ମାଟ୍ରିକ ପରୀକ୍ଷା ଫଳ: ବରଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ; ନୂଆପଡ଼ାରେ ସବୁ ଠାରୁ କମ୍

ପରୀକ୍ଷାର୍ଥୀମାନଙ୍କର ପରୀକ୍ଷା ଫଳ ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିବାକୁ ବୋର୍ଡ଼ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ମାର୍କରେ ତୃଟି ଥିବା ସନ୍ଦେହ ଥିଲେ ସେମାନେ ଅନଲାଇନ ଆବେଦନ ବି କରିପାରିବେ ।

ମାଟ୍ରିକ ପରୀକ୍ଷା ଫଳ: ବରଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ; ନୂଆପଡ଼ାରେ ସବୁ ଠାରୁ କମ୍
ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଜଣେ ଶିକ୍ଷୟତ୍ରୀ ମିଠା ଖୁଆଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି କଟକ ସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଏହା ସହ କୋଭିଡ କଟକଣା ମଧ୍ୟରେ ଖାତା ଦେଖାଯାଇଥିବାରୁ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ଦୂର ହୋଇଛି । ଚଳିତ ବର୍ଷ ପାସ ହାର ୭୮.୭୬ ପ୍ରତିଶତ ରହିଛି, ଯାହା ଗତ ବର୍ଷ ଠାରୁ ୬.୪୧ ପ୍ରତିଶତ ଅଧିକ ।

ଚଳିତ ବର୍ଷ ୫,୩୪,୮୪୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪,୨୧,୨୫୬ ଜଣ ପାସ କରିଛନ୍ତି । ଏ-୧ ଗ୍ରେଡରେ ୧,୨୭୯ ଜଣ ପାସ୍ କରିଥିବା ବେଳେ ଏ-୨ ଗ୍ରେଡରେ ୮,୪୫୮ ଜଣ ପାସ କରିଛନ୍ତି । ବି-୧ ଗ୍ରେଡରେ ୧୮,୧୮୮ ଜଣ ଓ ବି-୨ ଗ୍ରେଡରେ ୩୧,୩୨୮ ଜଣ, ସି-ଗ୍ରେଡରେ ୪୯,୧୫୩ ଜଣ, ଡ଼଼ି ଗ୍ରେଡରେ ୮୯,୫୫୬ ଜଣ ଓ ଇ- ଗ୍ରେଡରେ ୨,୨୩,୧୯୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନଙ୍କର ପାସ ହାର ଅଧିକ ରହିଛି । ୮୯.୩୭ ପ୍ରତିଶତ ସହିତ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ ହାର ରହିଥିବା ବେଳେ ନୂଆପଡ଼ାରେ ସର୍ବନିମ୍ନ ୬୦.୧୮ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ଗତ ବର୍ଷ ୨୮୯ଟି ସ୍କୁଲରେ ଶତ ପ୍ରତିଶତ ପାସ ହାର ରହିଥିବା ବେଳେ ଚଳିତ ବର୍ଷ ରେକର୍ଡ଼ ୬୭୮ଟି ସ୍କୁଲରେ ଶତ ପ୍ରତିଶତ ପାସ ହାର ରହିଛି । ଗତ ବର୍ଷ ୮୨ଟି ସ୍କୁଲରେ କୌଣସ ଜଣେ ବି ପରୀକ୍ଷାର୍ଥୀ ପାସ କରି ନ ଥିବା ବେଳେ ଏ ଥର ମାତ୍ର ୩୧ଟି ସ୍କୁଲରେ ପାସ ହାର ଶୁନ୍ୟ ରହିଛି ।

ସପ୍ଲିମେଣ୍ଟାରି ପରୀକ୍ଷା ବିଷୟରେ କହୁଛନ୍ତି ଗଣ ଶିକ୍ଷା ସଚିବ ଚିତ୍ରା ଅରୁମୁଗମ ।


‘‘କୋଭିଡ ସମୟରେ ଖାତା ମୂଲ୍ୟାୟନ ଆମ ପାଇଁ ନିହାତି ଭାବରେ ଏକ ଚାଲେଞ୍ଜ ଥିଲା । ତଥାପି ବିଳମ୍ବରେ ହେଲେ ବି ଆମେ ପରୀକ୍ଷା ଫଳ ଆଜି ପ୍ରକାଶ କରିଛୁ । ମୂଲ୍ୟାୟନ ସମ୍ପୂର୍ଣ୍ଣ ତୃଟିଶୁନ୍ୟ ରହିଛି,’’ କହିଛନ୍ତି ବୋର୍ଡ଼ ସଭାପତି ରାମାଶିଷ ହାଜରା ।

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ମଧ୍ୟ ସପ୍ଲିମେଣ୍ଟାରି ପରୀକ୍ଷା ନେଇ ଅନିଶ୍ଚିତତା ଜାରି ରହିଛି । କୋଭିଡ କଟକଣା ଥିବାରୁ ଚଳିତ ବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା କରିବା ଆଶା ନ ଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ‘‘କୋଭିଡ ସ୍ଥିତିକୁ ଦେଖି ଆମେ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ତାରିଖ ଘୋଷଣା କରିନାହୁଁ । କାହିଁକି ନା ଆମେ ପିଲାମାନଙ୍କୁ ବିପଦରେ ପକାଇବାକୁ ଚାହୁଁନାହୁଁ । ସ୍ଥିତିରେ ପରିବର୍ତ୍ତନ ଆସିବା ପରେ ଆମେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବୁ,’’ କହିଛନ୍ତି ଗଣ ଶିକ୍ଷା ସଚିବ ଚିତ୍ରା ଅରୁମୁଗମ ।

ସବୁ ଦୃଷ୍ଟିରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ଫାଳାଫଳ ବେଶ ଭଲ ରହିଛି । ଆଶାନୁରୂପ ଫଳ ମିଳିଥିବାରୁ ପରୀକ୍ଷାର୍ଥୀଙ୍କ ମହଲରେ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥୀମାନେ ନିଜ ନିଜର ସ୍କୁଲକୁ ଆସି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଆଶିର୍ବାଦ ନେବା ସହ ମିଠା ଖାଇ ଉତ୍ସବ ମନାଇଛନ୍ତି । ତେବେ ଏହି ପରୀକ୍ଷା ଫଳ ପ୍ରକାଶକୁ ୩ ମାସ ବିଳମ୍ବ ହୋଇ ସାରିଥିବାରୁ ଏବଂ ଶିକ୍ଷା ବର୍ଷ ଆରମ୍ଭ ହୋଇସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇ ପାରି ନ ଥିବାରୁ ଚିନ୍ତିତ ଅଛନ୍ତି ଛାତ୍ରଛାତ୍ରୀମାନେ ।

‘‘ଯେଉଁ ଭଳି ଭାବେ ଖାତା ଦେଖା ଗଲା ମୁଁ ଟିକେ ଡରି ଯାଇଥିଲି ଯେ ଖାତା ଦେଖା ଠିକ ହେବ ବା ନାହିଁ । ହେଲେ ମୁଁ ୯୪.୬୭ ପ୍ରତିଶତ ନମ୍ବର ରଖିଥିବାରୁ ବହୁତ ଖୁସି ଅଛି । ଆଗକୁ ଆଇ.ଆଇ.ଟି. ପାଇଁ ଇଚ୍ଛା ଅଛି,’’ କହିଛନ୍ତି ତୁଳସୀପୁର ଶିଶୁ ମନ୍ଦିରର ଛାତ୍ରୀ ଭାଗ୍ୟଲକ୍ଷ୍ବୀ ।

ଏହା ବି ପଢ଼ନ୍ତୁ: WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ପରୀକ୍ଷାର୍ଥୀ କିମ୍ବା ସେମାନଙ୍କ ଅଭିଭାବକମାନଙ୍କ ପରୀକ୍ଷା ଫଳାଫଳ ସମ୍ପର୍କିତ ଦ୍ବନ୍ଦକୁ ଦୂର କରିବା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସେହି କଣ୍ଟ୍ରୋଲ ରୁମ ନମ୍ବର ହେଲା ୦୬୭୧-୨୪୧୨୦୫୯ ଓ ୦୬୭୧-୨୪୧୨୦୬୦ । ଏହା ବ୍ୟତୀତ ପରୀକ୍ଷାର୍ଥୀ ମାର୍କରେ ତୃଟି ଥିବା ସନ୍ଦେହ ଥିଲେ ସେମାନେ ଅଗଷ୍ଟ ୬ ତାରିଖରୁ ୧୮ ତାରିଖ ମଧ୍ୟରେ ବୋର୍ଡର ୱେବସାଇଟରେ ଅନଲାଇନ ଆବେଦନ ମଧ୍ୟ କରି ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
Published by: Anand Shankar Thankur Das
First published: July 29, 2020, 6:17 PM IST
corona virus btn
corona virus btn
Loading