Odisha Matric Result: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; କେମିତି ଦେଖିବେ ଜାଣନ୍ତୁ
ଚଳିତ ବର୍ଷ ରାଜ୍ୟରେ ପାଖାପାଖି ୫,୬୦,୦୦୦ ଛାତ୍ରଛାତ୍ରୀ ୨,୮୮୮ଟି କେନ୍ଦ୍ରରେ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ। ଅମ୍ଫାନ ବାତ୍ୟା ଓ କରୋନା ଲକଡାଉନ୍ କାରଣରୁ ମୂଲ୍ୟାୟନ କେତେକାଂଶରେ ବାଧିତ ହୋଇଥିଲେ ବି ସମୟରେ ସରିଛି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 28, 2020, 11:06 PM IST
ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟର ସାଢ଼େ ୫ ଲକ୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷା । ଆଜି (ଜୁଲାଇ ୨୯ ତାରିଖରେ) ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳ। କଟକ ସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ୨୯ ତାରିଖ ସକାଳ ୯ଟା ସମୟରେ ପ୍ରକାଶ ପାଇବ ଫଳ ।
ବୋର୍ଡ଼ ସଭାପତି, କର୍ତ୍ତୃପକ୍ଷ ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହା ପରେ ୧୧.୩୦ରେ ବୋର୍ଡ଼ର ୱେବ୍ସାଇଟରେ ଉପଲବ୍ଧ କରାଯିବ ପରୀକ୍ଷା ଫଳ ।
ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ www.bseodisha.nic.in ଓ www.bseodisha.ac.in ୱେବସାଇଟରେ ନିଜ ରୋଲ୍ ନମ୍ବର ଦେଇ ଦେଖି ପାରିବେ। ଏହା ସହ ଏସ୍.ଏମ୍.ଏସ୍. ଜରିଆରେ ମଧ୍ୟ ଜାଣିପାରିବେ ନିଜ ରେଜଲ୍ଟ । ନିଜ ମୋବାଇଲ୍ ଫୋନରୁ ୫୬୭୬୭୦ ନମ୍ବରକୁ ନିଜ ରୋଲ ନମ୍ବର ଓ ନାଁ ଏସ୍.ଏମ୍.ଏସ୍. କଲେ ସମ୍ପୂର୍ଣ ରେଜଲ୍ଟ ମିଳି ପାରିବ ।

ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ବୋର୍ଡ଼ ସଭାପତି ରାମାଶିଷ ହାଜରା କହିଛନ୍ତି, ‘‘କରୋନା ପାଇଁ ଚଳିତ ବର୍ଷ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରେଜଲ୍ଟ ପ୍ରକାଶ କରାଯିବ। ପାସ୍ ହାର ସାଙ୍ଗକୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରେସ ବିବୃତିରେ ଦିଆଯିବ ।’’
ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ୨,୮୮୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୬୦ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୬ ମେରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା । ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ଆରମ୍ଭ ହୋଇ କରୋନା ଯୋଗୁଁ ଲକଡାଉନ ହେବାରୁ ସ୍ଥଗିତ ରହିଥିଲା ।
ମେ ୨୦ରେ ଖାତା ଦେଖା ହେବ ବୋଲି ସ୍ଥିର ହୋଇଥିଲା, ହେଲେ ଅମ୍ପନ ବାତ୍ୟା ଯୋଗୁଁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ଖାତାଦେଖାରେ ବାରମ୍ବାର ଏଭଳି ସମସ୍ୟା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଚିନ୍ତାର କାରଣ ପାଲଟିଥିଲା।
‘‘ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି ସତ, କିନ୍ତୁ ଆଶା ଅଛି ଆମେ ଯେଉଁ ଭଳି ଭାବେ ଲେଖିଛୁ ତାକୁ ଆଧାର କରି ନମ୍ବର ଦେଇଥିବେ ଓ ରେଜଲ୍ଟ ଭଲ ହେବ,’’ କହିଛନ୍ତି ପରୀକ୍ଷାର୍ଥୀ ସୁଚିସ୍ମିତା ବେହେରା ।
ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ
ଏହା ବି ପଢ଼ନ୍ତୁ: ଭାରତରେ PUBG ସମେତ ଆହୁରି ୨୭୫ଟି ଚାଇନିଜ୍ ଆପ୍ ଖୁବ୍ ଜଲଦି ବ୍ୟାନ୍ ହୋଇପାରେ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ
ଗତ ବର୍ଷ ୭୦.୭୮% ଛାତ୍ରଛାତ୍ରୀ ପାସ୍ କରିଥିଲେ । ଚଳିତ ବର୍ଷ ନୂଆ ପାଟର୍ଣ୍ଣରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ବିଷୟରେ ୧୫ ମାର୍କ ଲେଖାଏଁ ରଖିଲେ ପାସ ହେବେ । ଏହାକୁ ନେଇ ବଢ଼ିଛି ପରୀକ୍ଷାର୍ଥୀଙ୍କ ଉତ୍କଣ୍ଠା ।