ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଲା ବୋର୍ଡ଼

ଚିଠି ମାଧ୍ୟମରେ ବୋର୍ଡ଼ ପକ୍ଷରୁ ସରକାରଙ୍କୁ କିଛି ପ୍ରସ୍ତାବ ବି ଦିଆଯାଇଛି । ସେହି ପ୍ରସ୍ତାବ ଗୁଡିକ କଣ ଓ ସରକାର ଏ ବିଷୟରେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦିନେ ଦୁଇ ଦିନରେ ସ୍ପଷ୍ଟ ହେବ ।

ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଲା ବୋର୍ଡ଼
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ମାଟ୍ରିକ ଉତ୍ତର ଖାତା ମୂଲ୍ୟାୟନରେ ପ୍ରତିବନ୍ଧକ ସାଜିଛି ଲକଡ଼ାଉନ । ପୂର୍ବରୁ ମେ' ୩ ତାରିଖ ପରେ ଲକଡ଼ାଉନ ଉଠିଲେ ଖାତା ଦେଖା ପ୍ରକ୍ରିୟ ଆରମ୍ଭ କରିବା ଲାଗି ବ୍ୟବସ୍ଥା କରାଯିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଲକଡ଼ାଉନ ପୁଣି ବଳବତ୍ତର ରହିବାରୁ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି ।

ଖାତା ମୂଲ୍ୟାୟନ ପ୍ରକ୍ରିୟା ପୁଣି ଆରମ୍ଭ କରିବା ନେଇ ଆଜି ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ । ଲକଡ଼ାଉନ ବଳବତ୍ତର ଥିବାରୁ ଏହି ପରିସ୍ଥିତିରେ କିପରି ଖାତା ଦେଖା ଯିବ ସେ ନେଇ ନିର୍ଦ୍ଦିଷ୍ଟ ଦିଗ ନିର୍ଦ୍ଧାରଣ କରିବା ପାଇଁ ଗଣ ଶିକ୍ଷା ବିଭାଗ ଠାରୁ  ପରାମର୍ଶ ମଗା ଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

‘‘ଏ ସମ୍ପର୍କରେ ଚିଠି ଲେଖି ଆମେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ତେବେ ସରକାରଙ୍କ ନିର୍ଦ୍ଦେଶନାମା ଆସିବା ପରେ ହିଁ କିଛି କୁହାଯାଇ ପାରିବ,’’ କହିଛନ୍ତି ବୋର୍ଡ଼ ସଭାପତି ରାମାଶିଷ ହାଜରା ।

ଲକଡ଼ାଉନ୍ ଯୋଗୁଁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ମାତ୍ର ଗୋଟିଏ ଦିନ କରାଯାଇ ମାର୍ଚ୍ଚ ୧୯ ତାରିଖ ପର ଠାରୁ ଏ ପର୍ଯ୍ୟନ୍ତ ବନ୍ଦ ରହିଛି । ପୂର୍ବରୁ ଅର୍ଥାତ ଖାତା ମୂଲ୍ୟାୟନ ଆରମ୍ଭରୁ ୬୧ଟି କେନ୍ଦ୍ରରେ କେନ୍ଦ୍ର ପିଛା ୧୬ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଖାତା ଦେଖିବା ବ୍ୟବସ୍ଥା କରିଥିଲା ବୋର୍ଡ଼ । ମେ' ୩ ତାରିଖ ପରେ ଲକଡ଼ାଉନ ଉଠିଲେ ପୂର୍ବ ଅପେକ୍ଷା ଅଧିକ କେନ୍ଦ୍ର ଓ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଥିଲା ।

ବୋର୍ଡ଼ ସଭାପତି ରାମାଶିଷ ହାଜରା


ଏହା ସହିତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ୍ୟପୁସ୍ତକଗୁଡିକୁ ବୋର୍ଡ ମୁଖ୍ୟାଳୟରୁ ଜୋନଗୁଡିକୁ ପଠାଯିବା କାର୍ଯ୍ୟ ଶେଷ ହୋଇ ହୋଇଯାଇଛି । ଲକଡ଼ାଉନ ପରେ ବହିଗୁଡ଼ିକୁ ଅଧିକୃତ ଡିଲରମାନଙ୍କୁ ଦିଆଯାଇଥାନ୍ତା ଓ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କୁ ବିକ୍ରୀ କରାଯିବାର ଥିଲା । କିନ୍ତୁ ଲକଡାଉନ ବଳବତ୍ତର ରହିବାରୁ ସେହି ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଏ ସମ୍ପର୍କରେ ବୋର୍ଡ଼ର ପୂର୍ବତନ ସଭାପତି ସତ୍ୟକାମ ମିଶ୍ର କୁହିଛନ୍ତି: ‘‘ଏହି ଭଳି ପରିସ୍ଥିତିରେ ଗ୍ରୀନ ଜୋନଗୁଡିକରେ ମୂଲ୍ୟାୟନ କେନ୍ଦ୍ର କରି ସେଠାରେ ଖାତା ଦେଖା ଯାଇ ପାରିବ। କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଘରକୁ ଖାତା ପଠାଯିବା ଓ ସଂଗ୍ରହ କରାଯିବା ବ୍ୟବସ୍ଥା କରାଗଲେ ମଧ୍ୟ ଖାତା ମୂଲ୍ୟାୟନ ହୋଇପାରିବ ।’’

ଚିଠି ମାଧ୍ୟମରେ ବୋର୍ଡ଼ ପକ୍ଷରୁ ସରକାରଙ୍କୁ କିଛି ପ୍ରସ୍ତାବ ଦିଆଯାଇଥିବା ଜଣା ପଡିଛି । ତେବେ ସେହି ପ୍ରସ୍ତାବ ଗୁଡିକ କଣ ଓ ସରକାର ଏ ସମ୍ପର୍କରେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦିନେ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହେବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି ।
First published: May 4, 2020, 6:56 PM IST
corona virus btn
corona virus btn
Loading