କରୋନାର ମୁକାବିଲା କରିବ ଓଡ଼ିଆ ଯୁବକ ଉଦ୍ଭାବନ କରିଥିବା ସୌରଚାଳିତ ସାନିଟାଇଜିଙ୍ଗ୍ ମେସିନ୍

ଏହି ମେସିନରେ ଥିବା ଚ୍ୟାମ୍ବର ଭିତରେ କେବଳ ୨୦ ସେକେଣ୍ଡ ପର୍ଯ୍ୟନ୍ତ ପଶି ବାହାରିଯିବାକୁ ହେବ । ବାସ୍, ହୋଇଗଲା ସାନିଟାଜିଙ୍ଗ । ଏହାକୁ ବନେଇଛନ୍ତି ଭୁବନେଶ୍ୱର ଶ୍ୟାମପୁର ବାସିନ୍ଦା ସନ୍ତୋଷ କୁମାର ସ୍ବାଇଁ ।

କରୋନାର ମୁକାବିଲା କରିବ ଓଡ଼ିଆ ଯୁବକ ଉଦ୍ଭାବନ କରିଥିବା ସୌରଚାଳିତ ସାନିଟାଇଜିଙ୍ଗ୍ ମେସିନ୍
ନିଜେ ବନେଇଥିବା ସୋଲାର ସାନିଟାଇଜିଙ୍ଗ ମେସିନ ପାଖରେ ଠିଆ ହୋଇଛନ୍ତି ସନ୍ତୋଷ କୁମାର ସ୍ବାଇଁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭୁତାଣୁର ମୁକାବିଲା ଲାଗି ସାରା ବିଶ୍ୱ ଏବେ ତତ୍ପର ଥିବା ବେଳେ ଏ ଦିଗରେ ଜଣେ ଓଡ଼ିଆ ଯୁବ ମେକାନିକଙ୍କ ଉଦ୍ଭାବନ ପାଲଟିଛି ଚର୍ଚ୍ଚାର ବିଷୟ। ଏହି ଯୁବ ମେକାନିକ ଜଣକ ଉଦ୍ଭାବନ କରିଛନ୍ତି ଏକ ପୋର୍ଟେବୁଲ ସୋଲାର ସାନିଟାଇଜିଙ୍ଗ ମେସିନ, ଯାହା ଦ୍ୱାରା ଖୁବ୍‌ କମ୍‌ ସମୟ ଭିତରେ ଜଣେ ବ୍ୟକ୍ତିର ପୂରା ଦେହ ଓ ସେ ପିନ୍ଧିଥିବା ପୋଷାକ ମଧ୍ୟ ସାନିଟାଇଜ ହୋଇ ପାରିବ।  ଏହାର ଦାମ ମଧ୍ୟ କମ୍‌ ଅଛି ।

ଏହି ମେସିନରେ ଥିବା ଏକ ସ୍ଵତନ୍ତ୍ର ଚ୍ୟାମ୍ବରରେ ଔଷଧ ଯୁକ୍ତ ପାଣି ସ୍ପ୍ରେ ହେବାର ବ୍ୟବସ୍ଥା କରାଯାଇଛି । ଏହି ଚ୍ୟାମ୍ବର ଭିତରେ କେବଳ ୨୦ ସେକେଣ୍ଡ ପର୍ଯ୍ୟନ୍ତ ପଶି ବାହାରିଯିବାକୁ ହେବ । ବାସ୍, ହୋଇଗଲା ସାନିଟାଜିଙ୍ଗ। ମେସିନରେ ଅଛି ଦୁଇଟି ସୌର ପ୍ୟାନେଲ, ପାଣି ଉଠାଇବା ଲାଗି ଗୋଟିଏ ମୋଟର ପମ୍ପ, ରାତିରେ ବ୍ୟବହାର ଲାଗି ସୌରଚାଳିତ ଲାଇଟ ଓ ପାଣି ସ୍ପ୍ରେ ଲାଗି ନୋଜଲ ଇତ୍ୟାଦି ସାମଗ୍ରୀ । ଏହି ମେସିନ ବିକଶିତ କରିଛନ୍ତି ଭୁବନେଶ୍ୱର ଶ୍ୟାମପୁର ବାସିନ୍ଦା ସନ୍ତୋଷ କୁମାର ସ୍ବାଇଁ ।

‘‘ସୌରଚାଳିତ ହିଟର୍‌ ତିଆରି କରି ମୁଁ ପୂର୍ବରୁ ଚର୍ଚ୍ଚାରେ ଥିଲି । ଯେତେବେଳେ ଜାଣିଲି କରୋନା ଊାଇରସ୍‌ ଭଳି ମହାମାରୀର ଚିକିତ୍ସା ଲାଗି ଔଷଧ କିମ୍ବା ପ୍ରତିଷେଧକ ନାହିଁ, ସେତେବେଳେ ଏହାର କିଭଳି ମୁକାବିଲା କରିହେବ ସେ ନେଇ ମୋ’ର ଆଗ୍ରହ ବଢ଼ିଥିଲା । ଡାକ୍ତରମାନେ ସ୍ୱଚ୍ଛତା ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦେଉଥିବାରୁ ଏଭଳି ଏକ ଚ୍ୟାମ୍ବର ଥିବା ମେସିନ ତିଆରି କରିବା ଆଇଡ଼ିଆ ଆସିଲା, ଆଉ ମୁଁ କାମରେ ଲାଗି ପଡ଼ିଲି,’’ କହିଛନ୍ତି ସନ୍ତୋଷ କୁମାର ସ୍ବାଇଁ ।

ସ୍ବାଇଁଙ୍କ ବନ୍ଧୁମାନେ ଏହି ମେସିନରେ ନିଜକୁ ସାନିଟାଇଜ୍ କରି ଦେଖୁଛନ୍ତି ।


ଏହି ମେସିନର ବିଶେଷତ୍ୱ ହେଲା ଯେ ଏହା କରୋନା ଭୂତାଣୁ ସଂକ୍ରମଣ ସମୟରେ ବାହାରେ କାମ କରୁଥିବା ଲୋକଙ୍କ ଲାଗି ଅଧିକ ଉପାଦେୟ ହେବ । ଡିଉଟି ସମୟରେ ବା ସରିବା ପରେ ଏହି ମେସିନ ଭିତରେ କେବଳ ୨୦ ସେକେଣ୍ଡ ରହି ବାହାରି ଯିବାକୁ ହେବ । ଆଉ ବାରମ୍ବାର ଗାଧୋଇବା କିମ୍ବା ଲୁଗାପଟା ଧୋଇବାକୁ ହେବ ନାହିଁ । ଭିତରେ ଥରେ ପଶି ବାହାରି ଆସିଲେ ଆଉ ତିତ୍ନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଚିନ୍ତା ନାହିଁ ।  ଏହା ପୋର୍ଟେବୁଲ ଓ ରାତିରେ ବି ଏହାର ବ୍ୟବହାର କରିହେବ।

ସନ୍ତୋଷଙ୍କ ଏହି ଉଦ୍ୟମକୁ ମିଳିଛି ସାବାସୀ । ଶ୍ୟାମପୁର ବାସିନ୍ଦା ତୋଫାନ କୁମାର ବେହେରା କହିଛନ୍ତି ଯେ ଏଭଳି ଏକ ମେସିନର ଆବଶ୍ୟକତା ଥିଲା । ‘‘କୋଭିଡ-୧୯ ରୋଗର ଏହି ମାରାତ୍ମକ ଭୂତାଣୁର ମୁକାବିଲାରେ ରାସ୍ତାରେ କାମ କରୁଥିବା ଲୋକଙ୍କ ପାଇଁ ଅଧିକ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ଏହି ମେସିନ୍‌ ସେମାନଙ୍କ ପାଇଁ ଖୁବ୍‌ ଉପଯୋଗୀ ହେବ,’’ ସେ କହିଛନ୍ତି ।

ସନ୍ତୋଷ ତିଆରି କରିଥିବା ଏହି ମେସିନର ଦାମ ମାତ୍ର ୧୫,୦୦୦ ଟଙ୍କା । ନିଜର ଏହି ଉଦ୍ୟମ ବିଷୟରେ ସେ ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ସମିତିକୁ ମଧ୍ୟ ଅବଗତ କରାଇଛନ୍ତି । ସେ ଆଶା ରଖିଛନ୍ତି ଯେ ତାଙ୍କର ଏହି ଉଦ୍ଭାବନ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସହାୟକ ହେବ ।
First published: April 9, 2020, 7:48 PM IST
corona virus btn
corona virus btn
Loading