ରାଜ୍ୟରେ ବଢ଼ିପାରେ ଲକଡାଉନ୍; ଏବେ ବି ୧୫,୦୦୦ କରୋନା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି

ଏବେ ବି ରାଜ୍ୟରେ ଦୈନିକ ସଂକ୍ରମଣ ୧୦,୦୦୦ରୁ ୧୨,୦୦୦ ମଧ୍ୟରେ ରହୁଥିବାରୁ ଅତି କମରେ ଦୁଇ ସପ୍ତାହ ପାଇଁ ଲକଡାଉନ୍ ବଢ଼ାଇବା ଉଚିତ ବୋଲି ମତ ପ୍ରକାଶ ପାଉଛି । ଏହି ମାସ ୧.୬୮ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଲେଣି ଓ ୨୭୦ ଜଣଙ୍କ ଜୀବନ ଗଲାଣି ।

ରାଜ୍ୟରେ ବଢ଼ିପାରେ ଲକଡାଉନ୍; ଏବେ ବି ୧୫,୦୦୦ କରୋନା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି
ଲକଡାଉନ୍ ସମୟରେ ଭୁବନେଶ୍ୱରରେ ପୋଲିସ ଚେକିଂର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ମେ ୧୯ ତାରିଖରେ ଲକଡାଉନ୍‌ ଶେଷ ହେଉଥିବା ବେଳେ କରୋନା ସଂକ୍ରମଣରେ ବ୍ରେକ୍‌ ଲାଗୁ ନ ଥିବାରୁ ଲକଡାଉନ ଅବଧିକୁ ଆହୁରି ବଢ଼ାଇବା ସପକ୍ଷରେ ମତ ବାଢିଛନ୍ତି ବିଶେଷଜ୍ଞମାନେ । ନିୟମ ଅନୁପାଳନକୁ ଆହୁରି କଡ଼ାକଡି଼ କରାଯିବ ବୋଲି କହି ସେହି ଦିଗକୁ ଇଙ୍ଗିତ ବି କରି ସାରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ବର୍ତ୍ତମାନର ଘଡି଼ସନ୍ଧି ମୁହୂର୍ତ୍ତରେ ସୋମବାର ଦିନ ଏକ ସର୍ବଦଳୀୟ ବୈଠକ ଡାକି ବିରୋଧୀ ଦଳମାନଙ୍କ ମତ ଲୋଡିଛନ୍ତି ସରକାର । ଲକଡାଉନ୍‌ ସତ୍ତ୍ୱେ ଏବେ ବି ରାଜ୍ୟରେ ଦୈନିକ ସଂକ୍ରମଣ ୧୦,୦୦୦ରୁ ୧୨,୦୦୦ ମଧ୍ୟରେ ରହୁଥିବାରୁ ସରକାର ଆହୁରି କଠୋର ନୀତି ଆପଣାଇବା ଉଚିତ ବୋଲି ଏହି ବୈଠକରେ ସହମତି ପ୍ରକାଶ ପାଇପାରେ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଜାରି ହେଲା; ମମତାଙ୍କ ସାନ ଭାଇ କରୋନାରେ ଚାଲିଗଲେ

ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଗଜପତି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ସ୍ଥିତି ଏବେ ବି ଆଗ ଭଳି ଚିନ୍ତାଜନକ ରହିଛି । ଏ ଭଳି ସ୍ଥିତିରେ ଶନିବାର ଦିନ ମୁଖ୍ୟ ଶାସନ ସଚିବଙ୍କ ଏକ ବିବୃତି ଲକଡାଉନ୍‌ ଅବଧି ବଢ଼ାଯାଇପାରେ ବୋଲି ସଙ୍କେତ ଦେଇଛି । ଏପରିକି ସରକାର ଆଉ ଦୁଇ ସପ୍ତାହ ପାଇଁ ଲକଡାଉନ୍‌ ବଢ଼ାଇ ପାରନ୍ତି ବୋଲି ସୂଚନା ମିଳିଛି । ରାଜ୍ୟରେ କେବଳ ମେ ମାସରେ ୧ ଲକ୍ଷ ୬୮ ହଜାର ୩୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେଲେଣି ଓ ୨୭୦ ଜଣ ଆକ୍ରାନ୍ତଙ୍କ ଜୀବନ ଗଲାଣି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


‘‘ଦୈନିକ ୧୦,୦୦୦ରୁ ୧୨,୦୦୦ କରୋନା ପଜିଟିଭ୍‌ ସଂଖ୍ୟା ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ବର୍ତ୍ତମାନ ସ୍ଥିତି ପ୍ଲାଟୁ ଷ୍ଟେଜରେ ରହିଛି । ପଜିଟିଭିଟି ହାର ୨୦ ପ୍ରତିଶତ ରହିଛି । ତେଣୁ ଟେଷ୍ଟ୍‌ କମ୍‌ କିମ୍ବା ବେଶୀ କଲେ ମଧ୍ୟ ସେହି ହାରରେ ପଜିଟିଭ ସଂଖ୍ୟା ରହୁଛି । ଆଉ ଗୋଟେ ସପ୍ତାହ ଲାଗିବ ଏହି ପଜିଟିଭିଟି ହାର କମିବା ପାଇଁ । ତା’ ପରେ ମେ ଶେଷ ବା ଜୁନ୍‌ ମାସ ପ୍ରଥମ ସପ୍ତାହରୁ ସଂକ୍ରମଣ ଧୀରେ ଧୀରେ କମିବ ବୋଲି ଆଶାକରାଯାଉଛି,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ମେ ୩୧ ତାରିଖ ପରେ ସଂକ୍ରମଣ ସଂଖ୍ୟା ୧୦,୦୦୦ ତଳକୁ ଆସିପାରେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ‘‘ଓଡ଼ିଶାରେ ଯେହେତୁ ସଂକ୍ରମଣ ବିଳମ୍ବରେ ବୃଦ୍ଧି ହୋଇଥିଲା, ତେଣୁ ଅନ୍ୟ ରାଜ୍ୟମାନଙ୍କଠାରୁ ଏହା ବିଳମ୍ବରେ କମିବ । ଏଣିକି ଗାଁଗୁଡି଼କୁ ଫୋକସ୍‌ କରିବାକୁ ପଡି଼ବ । ଗାଁ ଗୁଡିକରେ ଅଣ୍ଡର୍‌-ରିପୋର୍ଟିଂ ହେଉଛି, ହେଲେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗାଁମାନଙ୍କରୁ ସଠିକ ରିପୋର୍ଟ ମଧ୍ୟ ଆସି ପାରିବ ନାହିଁ କାରଣ ସେଠାରେ ଟେଷ୍ଟିଂ ସୁବିଧା ନାହିଁ । ଲୋକେ ବି ଟେଷ୍ଟିଂ କରାଇବା ପାଇଁ ଇଚ୍ଛୁକ ନୁହନ୍ତି । ଗ୍ରାମାଞ୍ଚଳରେ ଲୋକେ କମ୍‌ ଅବଗତ ଓ ସଚେତନ ଥିବାରୁ ମୃତ୍ୟୁ ହାର ଟିକେ ଅଧିକ ରହିବ । ଏପରି ସ୍ଥିତିରେ ରାଜ୍ୟକୁ ସର୍ବନିମ୍ନ ଆଉ ଦୁଇ ସପ୍ତାହ ଲକଡାଉନ୍‌ ଆବଶ୍ୟକ,’’ କହିଛନ୍ତି ଡଃ ମିଶ୍ର ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ବିଭିନ୍ନ ଆଡୁ ଉତ୍ତମ ସ୍ୱାସ୍ଥ୍ୟ ସେବାର କଥିତ ଅଭାବକୁ ନେଇ ପ୍ରଶ୍ନ ଉଠୁଥିବା ସମୟରେ ବିରୋଧୀ ଦଳମାନଙ୍କୁ ବିଶ୍ୱାସକୁ ନେଇ ସୋମବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିରୋଧୀ ଦଳ ବିଜେପିର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଏହି ବୈଠକ ଡାକିଛନ୍ତି ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

‘‘ଏହି ବୈଠକ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମୋଟାମୋଟି କହିଲେ କୋଭିଡ୍‌ ମୁକାବିଲାରେ ଭିତ୍ତିଭୂମିର ଅଭାବ ପରିଲକ୍ଷିତ ହେଉଛି । ଗତ ବର୍ଷର କୋଭିଡ ମୁକାବିଲା ତୁଳନାରେ ରାଜ୍ୟ ସରକାର ଏ ଥର ସେତେଟା ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳୁଛି । କେବଳ ପ୍ରଶାସନକୁ ଦାୟିତ୍ୱ ଦେଇ ସରକାର ଚୁପ୍‌ ବସିଛନ୍ତି । ଗତ ଥର ଯେଭଳି ନିର୍ବାଚିତ ପ୍ରତିନିଧିଙ୍କୁ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବାର ସୁଯୋଗ ମିଳିଥିଲା ଏ ଥର ବି ସେ ଭଳି କରାଯିବାକୁ ଆମର ପ୍ରସ୍ତାବ ରହିବ । ଏହା ସହିତ ବ୍ୟାପକ ଅକ୍ସିଜେନ୍‌ ଉପଲବ୍ଧ ହେବା ସହିତ ପଞ୍ଚାୟତ ସ୍ତରରେ ଅକ୍ସି-ପଲ୍ସ ବ୍ୟବସ୍ଥା କରିବାକୁ ଆମର ପ୍ରସ୍ତାବ ରହିବ । ଟିକାକରଣକୁ ବ୍ୟବସ୍ଥିତ କରିବା ଉପରେ ବି ଆମେ ଜୋର୍‌ ଦେବୁ,’’ କହିଛନ୍ତି ସେଠୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘ରାଜ୍ୟରେ ବେଡ୍‌, ଆଇସିୟୁ ଓ ଭେଣ୍ଟିଲେଟର୍‌ ସଂଖ୍ୟା ବୃଦ୍ଧି କରାଯିବା ଉଚିତ । ଘର ଘର ବୁଲି ଟିକାକରଣ କରାଯିବା ଉଚିତ । ଟେଷ୍ଟିଂ ବୃଦ୍ଧି କରିବା ସହ ଡୋର୍‌-ଷ୍ଟେପ୍‌ ଟେଷ୍ଟିଂ ହେଉ । ଲକଡାଉନ୍‌ ଓ ସଟଡାଉନ ଆହୁରି ବଢ଼ାଯାଉ ।’’

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ‘‘ଓଡ଼ିଶାର ସ୍ଥିତି ସମଗ୍ର ଭାରତ ବର୍ଷ ତୁଳନାରେ ଭଲ ଅଛି । ଦିଲ୍ଲୀ ଓ ଅନ୍ୟାନ୍ୟ ବଡ଼ ବଡ଼ ସହର ତୁଳନାରେ ଆମର ମ୍ୟାନେଜମେଣ୍ଟ ବହୁତ ଭଲ ହୋଇଛି । ବର୍ତ୍ତମାନ ଲୋକମାନଙ୍କୁ ଅଧିକ ସଚେତନ କରାଯାଉଛି । ବର୍ତ୍ତମାନ ଲୋକ ପ୍ରତିନିଧି ଭାବେ ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି ଆମେ ପ୍ରଥମେ କୋଭିଡ଼ ଗାଇଡ଼ଲାଇନକୁ ଠିକ ଭାବେ ପାଳନ କରିବା ଓ ଲୋକଙ୍କୁ ବୁଝେଇବା । ବର୍ତ୍ତମାନ ରାଜ୍ୟ ସରକାର ସବୁ ଆଡ଼ଭାନ୍ସଡ୍‌ ଟେକ୍ନୋଲୋଜି ଆପଣାଉଛନ୍ତି । ସବୁ ବିରୋଧୀଙ୍କ ଅଧିକାର ଅଛି ସେମାନେ ନିଜ ପ୍ରସ୍ତାବ ରଖି ପାରିବେ ।’’



ରାଜ୍ୟରେ ଗତ ବର୍ଷ କରୋନା ସଂକ୍ରମଣର ପିକ୍‌ ସମୟରେ ୮,୦୦୦ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏବେ ୧୫,୦୦୦ ରୋଗୀ ହସ୍ପିଟାଲରେ ଅଛନ୍ତି । ପ୍ରାୟ ୩,୦୦୦ ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ପଜିଟିଭିଟି ହାର ଏବେ ବି ୨୦ ପ୍ରତିଶତ ଉପରେ ରହୁଥିବାରୁ ଲୋକେ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞମାନେ ।
Published by: Anand ST Das
First published: May 16, 2021, 11:31 PM IST