କରୋନା ସୁରକ୍ଷା: ରାଜ୍ୟରେ ଲାଗୁ ହେଲା ଏସମା ଆଇନ; ନିୟମ ନ ମାନିଲେ ଛଅ ମାସ ଜେଲ୍‌ ଦଣ୍ଡ

ଲକଡାଉନ୍ ନିୟମକୁ କିଛି ଲୋକ ମାନୁ ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ଓଡ଼ିଶାରେ ଲକଡାଉନ୍ ନିୟମ ନ ମାନିଲେ ଛଅ ମାସ ଜେଲ୍‌ ଦଣ୍ଡ ହୋଇପାରେ ଓ ₹୧,୦୦୦ ଜରିମାନା ବି ଦେବାକୁ ପଡ଼ିପାରେ ।

କରୋନା ସୁରକ୍ଷା: ରାଜ୍ୟରେ ଲାଗୁ ହେଲା ଏସମା ଆଇନ; ନିୟମ ନ ମାନିଲେ ଛଅ ମାସ ଜେଲ୍‌ ଦଣ୍ଡ
ଲକଡାଉନ ସତ୍ତ୍ୱେ ସୋମବାର ଭୁବନେଶ୍ୱରରେ ଘରୁ ବାହାରକୁ ବାହାରିଥିବା ଜଣେ ଯୁବତୀ ।
  • News18 Odia
  • Last Updated: March 23, 2020, 3:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ଗୁରୁତର ସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଏସମା (Essential Services Maintenance Act) ଲାଗୁ କରାଯାଇଛି । ରାଜ୍ୟ ଗୃହ ବିଭାଗର ନିର୍ଦେଶନାମା ଅନୁସାରେ ଜଳଯୋଗାଣ ଓ ପରିମଳ ସେବା ପାଇଁ ରାଜ୍ୟର ସବୁ ସହରାଞ୍ଚଳରେ ଆସନ୍ତା ଛଅ ମାସ ପାଇଁ ଲାଗୁ ହୋଇଛି ଏସ୍‌ମା । PHEO, OWSSB ଓ WATCO ପାଇଁ ବି ଲାଗୁ ହେବ ଏହି ନିର୍ଦେଶନାମା । ଜଳଯୋଗାଣ ଓ ପରିମଳ ସେବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଏବେ କୌଣସି ବି କାରଣରୁ ଧର୍ମଘଟ କରିବା ମନା ।

ସରକାର ଲୋକଙ୍କୁ ଲକଡାଉନ୍ ନିୟମକୁ ମାନିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଲକଡାଉନ୍ ନିୟମ ନ ମାନିଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏପରିକି ଉଲ୍ଲଂଘନକାରୀଙ୍କୁ ଛଅ ମାସ ଜେଲ୍‌ ଦଣ୍ଡ ହୋଇପାରେ ଓ ହଜାରେ ଟଙ୍କା ଜରିମାନା ବି ଦେବାକୁ ପଡ଼ିପାରେ । ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୋଧରେ IPC ଦଫା ୧୮୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ଲକଡାଉନ୍ ନିୟମକୁ କିଛି ଲୋକ ମାନୁ ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନେ ସରକାରଙ୍କ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ । ତେଣୁ ଲୋକେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ମୋଦି । କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ଓ ପରିବାରକୁ ସୁରକ୍ଷା ଦେବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ସେ ।

ଓଡ଼ିଶାର ଖୋର୍ଦ୍ଧା ସମେତ ଦେଶର ୮୦ଟି ସହରରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଛି ଲକଡାଉନ୍ । ମାର୍ଚ୍ଚ ୩୧ ଯାଏ ସମଗ୍ର ଦିଲ୍ଲୀରେ ଲକଡାଉନ୍‌ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଉତ୍ତର ପ୍ରଦେଶର ୧୬ଟି ଜିଲ୍ଲା ଓ ସଂପୂର୍ଣ୍ଣ ବିହାର ଏବେ ତାଲାବନ୍ଦ ରହିଛି । ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ବି ତାଲାବନ୍ଦ ରହିଛି । ସମଗ୍ର ହିମାଚଳ ପ୍ରଦେଶରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଲକ୍‌ଡାଉନ୍‌ ନିର୍ଦେଶ ଦିଆଯାଇଛି । ଛତିଶଗଡ଼ର କେବଳ ସହରାଞ୍ଚଳରେ ଲକଡାଉନ୍‌ ଘୋଷଣା କରାଯାଇଛି । ତାମିଲ ନାଡୁର ଚେନ୍ନାଇ ସହରରେ ମାର୍ଚ୍ଚ ୩୧ ଯାଏ ତାଲାବନ୍ଦ ରହିଛି ।

କରୋନାର ମୁକାବିଲା ଲାଗି ଓଡ଼ିଶାରେ ଜାରି ହୋଇଥିବା ଲକଡାଉନର ଆଜି (ସୋମବାର) ହେଉଛି ଦ୍ବିତୀୟ ଦିନ । ଆଜି ବି ଓଡ଼ିଶାର ୫ଟି ଜିଲ୍ଲା ଓ ୧୦ଟି ସହରରେ କରାଯାଉଛି ଲକଡାଉନ୍ । ମାର୍ଚ୍ଚ ୨୯ ରାତି ୯ଟା ଯାଏ ଏହି ସବୁ ଜିଲ୍ଲା ଓ ସହର ବନ୍ଦ ରହିବ ।

ଏହି ସମୟରେ ସବୁ ଘରୋଇ କମ୍ପାନିର କର୍ମଚାରୀମାନଙ୍କୁ ଘରେ ଥାଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିହାତି ଦରକାର ହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ । ଅସ୍ଥାୟୀ ଭାବେ ସେବା ନ ଯୋଗାଇଲେ ବି ବନ୍ଦ ହେବନି କର୍ମଚାରୀଙ୍କ ଦରମା । ନିହାତି ଦରକାର ନ ଥିଲେ ବାହାରକୁ ନ ଯିବାକୁ ମୁଖ୍ୟ ମନ୍ତ୍ରୀ ଦେଇଛନ୍ତି ପରାମର୍ଶ ।

ଭୁବନେଶ୍ବରର ବିଭିନ୍ନ ଛକରେ ନାକାବନ୍ଦୀ କରିଛି ପୋଲିସ । କାମ ନ ଥାଇ ରାସ୍ତାରେ ବୁଲିଲେ ଜୋରିମାନା ଆଦାୟ ହେବ ବୋଲି କହିଛି ପୋଲିସ । ଜରୁରୀକାଳୀନ ସେବା ପାଇଁ ପୋଲିସ ପକ୍ଷରୁ ଦିଆଯାଉଛି ପାସ୍ ।
First published: March 23, 2020, 3:23 PM IST