ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଲେ ହାଇ କୋର୍ଟ

ଯଦି ରାଜ୍ୟ ସରକାର ଆଗାମୀ ଦୁଇ ଦିନ ଭିତରେ ରାଜ୍ୟରେ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ନେଇ ବିଦ୍ଧିବଦ୍ଧ ନିଷ୍ପତ୍ତି ନ ନିଅନ୍ତି ତେବେ ତୃତୀୟ ଦିନ ସୁପ୍ରିମ କୋର୍ଟକୁ ଏହି ମାମଲା ନେବେ ବୋଲି କହିଛନ୍ତି ମାମଲା ପରିଚାଳନା କରୁଥିବା ଆଇନଜୀବୀ ।

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଲେ ହାଇ କୋର୍ଟ
ଓଡ଼ିଶା ହାଇ କୋର୍ଟ ଓ (ଡାହାଣ) ଭୁବନେଶ୍ୱରର ରାମ ମନ୍ଦିର
  • News18 Odia
  • Last Updated: August 11, 2020, 12:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ମାମଲାରେ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇ କୋର୍ଟ । ସୁପ୍ରିମ କୋର୍ଟଙ୍କ ଏକ ନିର୍ଦ୍ଦେଶନାମାକୁ ଆଧାରି କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସମସ୍ତ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କୁ ପ୍ରବେଶ ଅନୁମତି ଦିଆଯାଇ ପାରିବ ବୋଲି କହିବା ସହିତ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି ହାଇ କୋର୍ଟ।

ଶ୍ରୀମନ୍ଦିର ସହିତ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପ୍ରବେଶ ଅନୁମତି ନେଇ ହାଇ କୋର୍ଟରେ ତିନିଟି ଭିନ୍ନ ଭିନ୍ନ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ସେଥି ମଧ୍ୟରୁ ଦୁଇଟି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଦୁଇଟି ମାମଲାର ଫଇସଲା କରି ଏହି ମାମଲାଗୁଡ଼ିକର ପରିଚାଳନାରେ ପୂର୍ଣ୍ଣଛେଦ ମଧ୍ୟ ପକାଇଛନ୍ତି ।

ଏହି ମାମଲାର ଶୁଣାଣି ସମୟରେ ଗତ ଜୁଲାଇ ମାସ ୩୧ ତାରିଖରେ ଝାଡ଼ଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ବନାମ କେନ୍ଦ୍ର ସରକାରଙ୍କ ମାମଲାରେ ସୁପ୍ରିମ କୋର୍ଟଙ୍କ ଝାଡ଼ଖଣ୍ଡ ସରକାରଙ୍କୁ ପ୍ରସ୍ତାବ ପ୍ରସଙ୍ଗ ମଧ୍ୟ ହାଇ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା । ସେହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କୋଭିଡ ନିୟମ ପାଳନ କରି ଝାଡ଼ଖଣ୍ଡରେ ଥିବା ବାସୁକିନାଥ ମନ୍ଦିର ଓ ବୈଦ୍ୟନାଥ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କରିବାକୁ ଅନୁମତି ଦେବା ପାଇଁ ଝାଡ଼ଖଣ୍ଡ ସରକାରଙ୍କୁ ପ୍ରସ୍ଥାବ ଦେଇଥିଲେ । ଏହା ସହ ସେହି ମାମଲାରେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ସୁପ୍ରିମ କୋର୍ଟ କହିଥିଲେ ।

ଆଇନଜୀବୀ ଅକ୍ଷକ କୁମାର ପାଣ୍ଡେ


‘‘ଅନ୍ୟ ରାଜ୍ୟଗୁଡ଼ିକ ଭଳି ଆମ ରାଜ୍ୟରେ କୋଭିଡ ନିୟମ ମାନି ଧର୍ମାନୁଷ୍ଠାନଗୁଡ଼ିକୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବାକୁ ଅନୁମତି ଦେବା ପାଇଁ ଆମେ ଏହି ମକଦମାଟି କରିଥିଲୁ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବି. ଆର ଷଢ଼ଙ୍ଗୀଙ୍କ ଖଣ୍ଡପୀଠ କଣ୍ଟେନମେଣ୍ଟ ଜୋନରେ ନ ଥିବା ଧର୍ମାନୁଷ୍ଠାନଗୁଡ଼ିକ ଭିତରକୁ ସର୍ବସାଧାରଣ ପ୍ରବେଶ କରି ପାରିବେ ବୋଲି କହିଥିଲେ । ଏହା ସହ ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି ହାଇ କୋର୍ଟ,’’ କହିଛନ୍ତି ଏହି ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅକ୍ଷକ କୁମାର ପାଣ୍ଡେ ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ‘‘ମନ୍ଦିର ଖୋଲିବା ନିଷ୍ପତ୍ତି ଆମେ ଖୁବ ଶୀଘ୍ର ନେବାକୁ ଯାଉଛୁ। ବିଭିନ୍ନ ସ୍ଥିତିକୁ ଆକଳନ କରି ଆମେ ନିଷ୍ପତ୍ତି ଗ୍ରହଣ କରିବୁ ଏବଂ ଯେତେବେଳେ ନିଷ୍ପତ୍ତି କରାଯିବ ସେତେବେଳେ ସବୁ ମନ୍ଦିର ପାଇଁ ନିଷ୍ପତ୍ତି ହେବ। କଣ ଗାଇଡ଼ଲାଇନ ଆପଣାଇ ମନ୍ଦିର ଖୋଲାଯିବ ସେ ନିଷ୍ପତ୍ତି ମଧ୍ୟ କରାଯିବ। ଯେମିତି ଏହା ଦ୍ୱାରା ସଂକ୍ରମଣ ନ ବ୍ୟାପେ ସେଥି ପ୍ରତି ଦୃଷ୍ଟି ଦିଆ ଯିବ,’’ କହିଛନ୍ତି ଜେନା ।

ଏହା ବି ପଢ଼ନ୍ତୁ: ପାଣିକୋଇଲିରେ ଇନୋଭା କାର୍‌କୁ ପଛରୁ ପିଟିଲା ଟ୍ରକ୍, ଫିଙ୍ଗିଦେଲା ଦୂରକୁ; ଅଳ୍ପକେ ବର୍ତ୍ତିଲେ ୭ ଜଣ

ଏହା ବି ପଢ଼ନ୍ତୁ: ଭୁବନେଶ୍ୱର: COVID ଚିକିତ୍ସା ବିଷୟରେ ଭୁଲ୍ ତଥ୍ୟର ଅଡ଼ିଓ ଭାଇରାଲ୍ କରି ୨ ଜଣ ଗିରଫ ହେଲେ

ହାଇ କୋର୍ଟ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ କୌଣସି ନିର୍ଦ୍ଦଷ୍ଟ ସମୟ ସୀମା ଦେଇ ନ ଥିବାରୁ କୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ବିଳମ୍ବ ହୋଇପାରେ ବୋଲି ଏହି ମାମଲା ପରିଚାଳନା କରୁଥିବା ଆଇନଜୀବୀମାନେ ଅନୁମାନ କରିଛନ୍ତି । ଏହା ସହ ଯଦି ରାଜ୍ୟ ସରକାର ହାଇ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରନ୍ତି ତେବେ ସେମାନେ ଏହି ମାମଲାକୁ ସୁପ୍ରିମ କୋର୍ଟକୁ ନେବେ ବୋଲି କହିଛନ୍ତି ।



‘‘ପୁରୀରେ ରଥଯାତ୍ରା ନେଇ ହାଇ କୋର୍ଟ ମଧ୍ୟ ସମାନ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ ନ କରିବାରୁ ଆମେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ । ମହାପ୍ରଭୁଙ୍କ ରଥଯାତ୍ରା ହେଲା ବି । ତେଣୁ ଏହି କ୍ଷେତ୍ରରେ ମଧ୍ୟ ଆମେ ରାଜ୍ୟ ସରକାରଙ୍କୁ ଦୁଇ ଦିନର ମହଲତ ଦେଉଛୁ । ଯଦି ରାଜ୍ୟ ସରକାର ଏହି ଦୁଇ ଦିନ ମଧ୍ୟରେ ରାଜ୍ୟରେ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ନେଇ କିଛି ବିଦ୍ଧିବଦ୍ଧ ନିଷ୍ପତ୍ତି ଗ୍ରହଣ ନ କରନ୍ତି ତେବେ ତୃତୀୟ ଦିନ ଆମେ ସୁପ୍ରିମ କୋର୍ଟରେ ଏ ସମ୍ପର୍କରେ ଏକ ମାମଲା ଦାୟର କରିବୁ,’’ କହିଛନ୍ତି ମାମଲା ପରିଚାଳନା କରୁଥିବା ଅନ୍ୟତମ ଆଇନଜୀବୀ ବିଭୂତି ଭୁଷଣ ଚୌଧୁରୀ । ​
Published by: Anand Shankar Thankur Das
First published: August 11, 2020, 12:45 AM IST
corona virus btn
corona virus btn
Loading