ଓଡ଼ିଶାରେ କରୋନା ପଜିଟିଭ୍ ସେହି ୨ରେ ସ୍ଥିର, ହେଲେ ଆକ୍ରାନ୍ତ ରାଜ୍ୟରୁ ଆସିଛନ୍ତି ୭୮,୨୩୩ ଲୋକ

ଗତ କିଛି ଦିନ ଭିତରେ ବିଭିନ୍ନ କରୋନା ଆକ୍ରାନ୍ତ ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ୭୮,୨୩୩ ଜଣ ଲୋକଙ୍କ ଭିତରେ ଅନେକ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା ରହିଛି ବୋଲି କହିଛନ୍ତି ସରକାରୀ ମୁଖପାତ୍ର ।

ଓଡ଼ିଶାରେ କରୋନା ପଜିଟିଭ୍ ସେହି ୨ରେ ସ୍ଥିର, ହେଲେ ଆକ୍ରାନ୍ତ ରାଜ୍ୟରୁ ଆସିଛନ୍ତି ୭୮,୨୩୩ ଲୋକ
ଆଇ.ଇ.ସି. ମୁଖ୍ୟ ସୁବ୍ରତ ବାଗଚୀ ଓ ସୂଚନା ଓ ଜନସମ୍ପର୍କ ସଚିବ ସଞ୍ଜୟ କୁମାର ସିଂ କରୋନା ସ୍ଥିତି ବିଷୟରେ କହୁଛନ୍ତି ।
  • News18 Odia
  • Last Updated: March 25, 2020, 8:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଜି ପର୍ଯ୍ୟନ୍ତ ପୂର୍ବରୁ କରୋନା ଭାଇରସ୍‌ (COVID-19) ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ଛାଡ଼ିଦେଲେ ଆଉ କେହି ପିଜିଟିଭ୍ ବାହାରି ନାହାନ୍ତି ବୋଲି କହିଛନ୍ତି ଆଇ.ଇ.ସି. ମୁଖ୍ୟ ସୁବ୍ରତ ବାଗଚୀ । ତେବେ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଓ ସମ୍ଭାବନାକୁ ନେଇ ଉପୁଜିଥିବା ସ୍ଥିତିର ସମୀକ୍ଷା କରିଛନ୍ତି ସରକାର ଓ ଲକଡାଉନକୁ ମାନିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ଆଜି (ବୁଧବାର) ଓଡ଼ିଶାରୁ ୧୩୩ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତାହା ଭିତରୁ ୧୨୯ଟି ନମୁନା ନେଗେଟିଭ୍ ଆସିଛି ଓ ବାକି ୪ଟିର ରିପୋର୍ଟ ଆସିବାକୁ ଅଛି । ପୂର୍ବ ଦୁଇ ପଜିଟିଭ୍ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ବାଗଚୀ ।

‘‘ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ସେହି ମାତ୍ର ଦୁଇରେ ସ୍ଥିର ଥିବା ଯୋଗୁଁ ଆମେ ଆରାମ କରିବା ଉଚିତ ନୁହେଁ । ଉଦବେଗର କଥା ହେଲା ଏହା ଯେ ଏଇ କିଛି ଦିନ ଭିତରେ ବିଭିନ୍ନ କରୋନା ଆକ୍ରାନ୍ତ ରାଜ୍ୟରୁ ୭୮ ହଜାର ୨୩୩ ଜଣ ଲୋକ ଓଡ଼ିଶାକୁ ଫେରିଛନ୍ତି । ସେମାନଙ୍କ ଭିତରେ ଅନେକ କୋରୋନା ସଂକ୍ରମିତ ହୋଇଥିବା ଆଶଙ୍କା ରହିଛି । ତେଣୁ ବାହାରୁ ଫେରିଥିବା ଲୋକେ କୋରୋନାକୁ ଏଡ଼ାଇବା ପାଇଁ ହେଲେ ୧୪ ଦିନ ଧରି ସଂଗରୋଗ ବା କ୍ବାରେଣ୍ଟାଇନରେ ରହିବା ନିହାତି ଜରୁରୀ,’’ କହିଛନ୍ତି ବାଗଚୀ ।

ଭୁବନେଶ୍ୱରରେ ଲକଡାଉନ୍‌ ନିୟମ ଭାଙ୍ଗି ବାହାରେ ବୁଲୁଥିବା ଜଣେ ଯୁବକକୁ ପୋଲିସ ଦଣ୍ଡ ଦେଉଛି ।


ଓଡ଼ିଶାକୁ ଏ ପର୍ଯ୍ୟନ୍ତ ବିଦେଶରୁ ଫେରିଥିବା ୪,୦୧୫ ଜଣ ଲୋକଙ୍କୁ ପଞ୍ଜୀକରଣ କରିଛନ୍ତି । ୩୬ ଜଣ ବ୍ୟକ୍ତି ହସ୍ପିଟାଲରେ ଆଇସୋଲେସନରେ ରହିଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ଜୀବନ’ କାର୍ଯ୍ୟକ୍ରମରେ ପ୍ରେରିତ ହୋଇ କରୋନାରୁ ବର୍ତ୍ତିବା ପାଇଁ ୧ ଲକ୍ଷରୁ ଅଧିକ ଲୋକ ଶପଥ ନେଇଥିବା କହିଛନ୍ତି ବାଗଚୀ ।

ଏବେ କରୋନା ମୁକାବିଲା କ୍ଷେତ୍ରରେ ସ୍ବାସ୍ଥ୍ୟ ସେବା ସବୁ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ପାଲଟିଥିବାରୁ ଚିକିତ୍ସା ସାମଗ୍ରୀ ଯୋଗାଉଥିବା ଓଡ଼ିଶା ଔଷଧ ନିଗମର ବିତରକଙ୍କୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି ବୋଲି ସେ କହିଛନ୍ତି ।
First published: March 25, 2020, 8:00 PM IST