କୋଭିଡ଼ ହସ୍ପିଟାଲର ବେଡ଼୍ ଓ ICU ଗଣିତ: ତଥ୍ୟ ଲୁଚାଉଛନ୍ତି କି ରାଜ୍ୟ ସରକାର? ଉଠିଲା ପ୍ରଶ୍ନ

ସରକାରୀ ଭାବେ ପ୍ରକାଶିତ କୋଭିଡ୍ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ସହିତ ସହମତ ନୁହଁନ୍ତି ଅନେକ ସାଧାରଣ ଲୋକ । ସେମାନେ ଓ ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ କୋଭିଡ ହସ୍ପିଟାଲ ଓ କେଆର ସେଣ୍ଟରରେ ରୋଗୀଙ୍କ ସମର୍କୀୟଙ୍କ ଠାରୁ ତଥ୍ୟ ଲୁଚାଯାଉଛି ।

କୋଭିଡ଼ ହସ୍ପିଟାଲର ବେଡ଼୍ ଓ ICU ଗଣିତ: ତଥ୍ୟ ଲୁଚାଉଛନ୍ତି କି ରାଜ୍ୟ ସରକାର? ଉଠିଲା ପ୍ରଶ୍ନ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 25, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମ ଏ ଯାବତ୍‌ ପ୍ରଶଂସନୀୟ ରହିଛି, ହେଲେ ତୃଣମୂଳ ସ୍ତରରେ ଏହାର ବାସ୍ତବ ଉପଲବ୍ଧିକୁ ନେଇ ଉଠିଛି ପ୍ରଶ୍ନ । ବିଶେଷ କରି ବିଭିନ୍ନ କୋଭିଡ ହସ୍ପିଟାଲରେ ଯଥେଷ୍ଟ ସଂଖ୍ୟାର ବେଡ଼, ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ଅଛି ବୋଲି ସରକାରୀ ଭାବେ କୁହାଯାଉଥିବା ବେଳେ ବାସ୍ତବତା ଠିକ୍‌ ଓଲଟା ବୋଲି ଅଭିଯୋଗ ଆସୁଛି । ସେଥି ପାଇଁ କୋଭିଡ ହସ୍ପିଟାଲ ଓ କୋଭିଡ୍‌ କେଆର୍‌ ସେଣ୍ଟରର ସବୁ ତଥ୍ୟ ନିୟମିତଭାବେ ଲୋକଙ୍କ ଅବଗତି ପାଇଁ  ସର୍ବସାଧାରଣରେ ପ୍ରଦର୍ଶିତ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

କୋଭିଡ ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ଏବେ କାର୍ଯ୍ୟକ୍ଷମ ଅଛି ମୋଟ ୪୮ଟି କୋଭିଡ ହସ୍ପିଟାଲ ଓ ୧୭୮ଟି କୋଭିଡ କେଆର ସେଣ୍ଟର । ଉଭୟ କୋଭିଡ  ହସ୍ପିଟାଲ ଓ କେୟାର ସେଣ୍ଟରରେ ମୋଟ ୮,୩୧୦ଟି ସାଧାରଣ ବେଡ଼ର ବ୍ୟବସ୍ଥା ରହିଛି ବୋଲି ସରକାର କହିଛନ୍ତି । ଏଥିରୁ ଏବେ ସୁଦ୍ଧା ଖାଲି ପଡ଼ିଥିବା ବେଡ଼ ସଂଖ୍ୟା ହେଉଛି ୩,୯୦୪ । ସେମିତି ସାରା ରାଜ୍ୟରେ ରହିଛି ମୋଟ ୧,୩୮୧ଟି ଆଇସିୟୁ । ସେଥିରୁ ଏବେ ଖାଲି ଅଛି ୭୫୬ଟି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କେବଳ ଭୁବନେଶ୍ୱରରେ ୧,୬୧୭ଟି କୋଭିଡ ବେଡ଼ ଥିବା ବେଳେ ସେଥିରୁ ଏବେ ଖାଲି ଅଛି ୪୧୦ଟି ବେଡ଼ ।  ସେହି ପରି ଭୁବନେଶ୍ବରରେ ମୋଟ ୫୩୪ଟି ଆଇସିୟୁ ଥିବା ବେଳେ ସେ ଭିତରୁ ଖାଲି ପଡିଛି ୨୭୪ଟି।  କେବଳ ଭୁବନେଶ୍ୱରରେ ୧୯୫ଟି ଭେଣ୍ଟିଲେଟର ବ୍ୟବସ୍ଥା ଅଛି ଓ ଏବେ ସେଥିରୁ ଖାଲି ପଡ଼ିଛି ୧୦୨ଟି ।

ଭୁବନେଶ୍ୱରରେ ଏକ କୋଭିଡ୍ ହସପିଟାଲ୍


ସରକାରୀ ଭାବେ ପ୍ରକାଶିତ ଏହି ତଥ୍ୟ ସହିତ କିନ୍ତୁ ସହମତି ପ୍ରକାଶ କରୁନାହାନ୍ତି ସାଧାରଣ ଲୋକ । ଅଧିକାଂଶ ଲୋକଙ୍କ ଅଭିଯୋଗ ଯେ ସବୁ କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟରରେ ରୋଗୀଙ୍କ ସମର୍କୀୟଙ୍କୁ ତଥ୍ୟ ଲୁଚାଯାଉଛି । ରୋଗୀକୁ ବେଡ଼ ମିଳୁଛି କି ନାହିଁ, ମେଡ଼ିସିନ ଦିଆଯାଉଛି କି ନାହିଁ, ଏମିତିକି ରୋଗୀର ସ୍ବାସ୍ଥ୍ୟ ଅବସ୍ଥା କ’ଣ ସେ ସୂଚନା ମଧ୍ୟ ଲୁଚାଯାଉଛି ବୋଲି କହିଛନ୍ତି ଅନେକ ରୋଗୀଙ୍କ ସମ୍ପର୍କୀୟମାନେ ।

‘‘ଜ୍ୱର ଓ ଥଣ୍ଡା ହେବାରୁ ମୋ’ର ଜଣେ ସମ୍ପର୍କୀୟଙ୍କୁ ଭୁବନେଶ୍ୱର ନେଇଆସିଥିଲୁ । ହସ୍ପିଟାଲ ଭିତରକୁ ରୋଗୀ ଗଲା ପରେ ଆମକୁ ଆଉ କିଛି ତଥ୍ୟ ଦିଆଗଲା ନାହିଁ । ଆଜି କୁହାଗଲା ତମ ପେସେଣ୍ଟ ମରିଗଲା । ଏବେ ଚାରି ଘଣ୍ଟା ହେଲାଣି ଆମକୁ କିଛି ଖବର ଦିଆଯାଉନାହିଁ,’’ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାରୁ ଆସିଥିବା ପ୍ରସନ୍ନ ସାମଲ । ସେହି ପରି ଅନୁଗୁଳର ସବ୍ୟ ବରାଳ ଅଭିଯୋଗ କରିଛନ୍ତି ଯେ କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟରରେ ତଥ୍ୟ ଲୁଚାଯାଉଛି ।

ଏଭଳି ସରକାରୀ ତଥ୍ୟ ଓ ପୀଡ଼ିତ ଜନତାଙ୍କ ଆରୋପ ଭିତରେ କୋଭିଡ ହସ୍ପିଟାଲ ଓ କୋଭିଡ କେଆର ସେଣ୍ଟରଗୁଡ଼ିକର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀମାନେ ।

ଏହା ବି ପଢ଼ନ୍ତୁ ଅନୁଷ୍କା ଓ ବିରାଟଙ୍କ ବିଷୟରେ ୟେ କ’ଣ କହିପକାଇଲେ ଗାଭାସ୍କର? ସବୁଠି ଚର୍ଚ୍ଚା; ଅନୁଷ୍କା ଖପା

ଏହା ବି ପଢ଼ନ୍ତୁ ବିହାରରେ ଅକ୍ଟୋବର ୨୮ରୁ ଆରମ୍ଭ ହେବ ବିଧାନ ସଭା ନିର୍ବାଚନ; ୩ଟି ପର୍ଯ୍ୟାୟରେ ହେବ

‘‘ସରକାରୀ ଭାବେ ଜାରି ହେଉଥିବା ତଥ୍ୟ ଠାରୁ ବାସ୍ତବ ତଥ୍ୟ ଅଲଗା । ଅଧିକାଂଶ କୋଭିଡ ହସ୍ପିଟାଲରେ ଆଇସିୟୁ ନ ଥିବା କହି ରୋଗୀଙ୍କୁ ଫେରାଇ ଦିଆଯାଇଛି । ଭେଣ୍ଟିଲେଟର ନାହିଁ ବୋଲି କୁହାଯାଉଛି । ଏ ସବୁ ଘଟଣା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛି । ତେଣୁ ଦୈନିକ ପ୍ରତି କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟରରେ ସାଧାରଣ ଲୋକଙ୍କ ପାଇଁ ତଥ୍ୟ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ହେବା ଉଚିତ,’’ କହିଛନ୍ତି ସାମାଜିକ କର୍ମୀ ଅଶୋକ ପାଲଟା ସିଂ ।



ଏହି ପ୍ରସଙ୍ଗରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କୌଣସି ଉତ୍ତର ରଖି ନ ଥିବା ବେଳେ ସରକାର କୋଭିଡ ପରିଚାଳନା ସମୟରେ ଏ ସବୁ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
Published by: Anand Shankar Thankur Das
First published: September 25, 2020, 11:59 PM IST
corona virus btn
corona virus btn
Loading