କଡ଼ା ହେଲା କରୋନା କଟକଣା: କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି

ରାଜ୍ୟରେ ସବୁ ରେସ୍ତୋରାଁ, ବାର୍‌, କ୍ୟାଣ୍ଟିନ୍‌ ଓ ଟିଫିନ୍‌ ସେଣ୍ଟର ବନ୍ଦ ରଖିବାକୁ ଓ କୌଣସି ସରକାରୀ ସମାରୋହ, ଜୟନ୍ତୀ ପାଳନ ଓ ମାଲ୍ୟାର୍ପଣ ଆଦି ଆୟୋଜନ ନ କରିବାକୁ ମଧ୍ୟ ସରକାର ଆଦେଶ ଦେଇଛନ୍ତି ।

କଡ଼ା ହେଲା କରୋନା କଟକଣା: କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି
ଦିଲ୍ଲୀରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ଜାମା ମସଜିଦରେ ଏକ ଫଟୋ ଉଠାଉଛନ୍ତି । (ଏ.ଏଫ୍.ପି.)
  • News18 Odia
  • Last Updated: March 20, 2020, 5:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ଦୃଢ଼ତର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଜି କେତେକ ନୂଆ ଗାଇଡଲାଇନ ଜାରି କରିଛନ୍ତି । କୌଣସି ସ୍ଥାନରେ ସାତ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ଆଉ କରୋନା ଭାଇରସ୍‌ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ କୌଣସି ସଭାସମିତି କରିବାକୁ ରାଜ୍ୟ ସରକାର ଶକ୍ତ ବାରଣ କରିଛନ୍ତି ।

ରାଜ୍ୟରେ ସବୁ ରେସ୍ତୋରାଁ, ବାର୍‌, କ୍ୟାଣ୍ଟିନ୍‌ ଓ ଟିଫିନ୍‌ ସେଣ୍ଟର ବନ୍ଦ ରଖିବାକୁ ଓ କୌଣସି ସରକାରୀ ସମାରୋହ, ଜୟନ୍ତୀ ପାଳନ ଓ ମାଲ୍ୟାର୍ପଣ ଆଦି ଆୟୋଜନ ନ କରିବାକୁ ସରକାର ଆଦେଶ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟରେ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଗଠିତ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

‘‘କରୋନା ଭାଇରସର ପ୍ରସାର ବିରୋଧରେ ଲଢ଼ିବା ପାଇଁ ରାଜ୍ୟ ସରକାର ଜାରି କରିଥିବା ଏହି ନୂଆ ଗାଇଡଲାଇନଗୁଡ଼ିକୁ ପାଳନ କରିବାକୁ ପ୍ରତି ରାଜ୍ୟବାସୀଙ୍କୁ ନିବେଦନ କରାଯାଉଛି । କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ହୁଅନ୍ତୁ ନାହିଁ ଓ କରୋନା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ସଭାସମିତି ଆୟୋଜନ କରନ୍ତୁ ନାହିଁ ବୋଲି ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଦେଶ ଦେଇଛନ୍ତି,’’ କହିଛନ୍ତି ବାଗଚୀ ।

କ୍ୟାବିନେଟ ବୈଠକ ଓ ମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନଫେରାନସିଂ (ଭିସି) ଜରିଆରେ ହେବ ଓ ପ୍ରତି ବୈଠକରେ ଲୋକଙ୍କ ମଧ୍ୟରେ ଦୁଇ ମିଟର ଦୂରତା ରଖାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲମାନଙ୍କୁ ଗ୍ରାହକଙ୍କୁ ଖାଦ୍ୟ ଘରକୁ ନେବା ପାଇଁ ଉତ୍ସାହିତ କରାଯିବ ଓ ହୋଟେଲରେ ଗ୍ରାହକଙ୍କ ମଧ୍ୟରେ ଅତି କମରେ ଦୁଇ ମିଟର ଦୂରତା ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

କରୋନା ଭାଇରସର ପ୍ରସାରକୁ ରୋକିବାରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଓ ଆମ୍ବୁଲାନ୍ସ ଚାଳକ କରୁଥିବା ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟ ମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ କୌଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ବିଚଳିତ ନ କରନ୍ତୁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଜନତା କର୍ଫ୍ୟୁ' ଆହ୍ବାନକୁ ସମର୍ଥନ କରି ରବିବାର ସବୁ ଲୋକଙ୍କୁ ନିଜ ଘରେ ରହିବାକୁ ମୁଖ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି ।

କରୋନା ମୁକାବିଲାରେ ସାହାଯ୍ୟ ଓ ସେବା ମନୋବୃତ୍ତି ରଖିବାକୁ ଲୋକଙ୍କୁ ନବୀନ ଆହ୍ବାନ କରିଛନ୍ତି ବୋଲି ସୂଚନା ଦେଇ ବାଗଚୀ ଗୋପବନ୍ଧୁ ଓ ଭୀମ ଭୋଇଙ୍କ ଉଦାହରଣ ଦେଇଛନ୍ତି । ‘‘ଦୁର୍ଗତି ବେଳେ ପୁଅକୁ ଛାଡ଼ି ଲୋକଙ୍କ ସେବା କରିଥିଲେ ଗୋପବନ୍ଧୁ, ଆଉ ଜଗତ ଉଦ୍ଧାରର ଆହ୍ବାନ ଦେଇଥିଲେ ସନ୍ଥକବି ଭୀମ ଭୋଇ । ଆମେ ସେହି ମହାପୁରୁଷମାନଙ୍କ ଦାୟାଦ । ତେଣୁ ଆମେ ଆମର ବ୍ୟକ୍ତିଗତ ଓ ସାମାଜିକ ଦାୟିତ୍ୱ ସଠିକ ରୂପେ ନିର୍ବାହ କରି ଏହି ମହାମାରୀର ଦୃଢ଼ ମୁକାବିଲା କରିବା,’’ ସେ କହିଛନ୍ତି ।
First published: March 20, 2020, 5:58 PM IST