କରୋନା ପାଇଁ ବସ୍ ମାଲିକଙ୍କୁ ଆଦେଶ: ଯେତିକି ସିଟ୍ ସେତିକି ଯାତ୍ରୀ ଉଠାଅ, ନହେଲେ ଦଣ୍ଡ ମିଳିବ

କୌଣସି ବସ୍ ଯଦି ମୋ’ଟ ସିଟ୍ ଠାରୁ ଅଧିକ ଯାତ୍ରୀ ଉଠାଏ, ତାହେଲେ ଆଇନ ଅନୁଯାୟୀ ବସର କର୍ମଚାରୀ ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

କରୋନା ପାଇଁ ବସ୍ ମାଲିକଙ୍କୁ ଆଦେଶ: ଯେତିକି ସିଟ୍ ସେତିକି ଯାତ୍ରୀ ଉଠାଅ, ନହେଲେ ଦଣ୍ଡ ମିଳିବ
ଭୁବନେଶ୍ୱର ସହରରେ କିଛି ବସ୍‌
  • News18 Odia
  • Last Updated: March 16, 2020, 11:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ସରକାରୀ ସ୍ତରରେ ଚାଲିଥିବା ବ୍ୟାପକ ପ୍ରସ୍ତୁତି କ୍ରମରେ ବସ୍‌ ପାଇଁ ବି କଟକଣା ଜାରି ହୋଇଛି ।  ସରକାରୀ ବସ୍‌ ହେଉ କି ବେସରକାରୀ ବସ୍‌, ସେଥିରେ ଏଣିକି କ୍ୟାପାସିଟି (ଯେତିକି ସିଟ୍‌ ଅଛି) ଠାରୁ ଅଧିକ ଯାତ୍ରୀ ଯାଇପାରିବେ ନାହିଁ । ଏ ସମ୍ପର୍କରେ କଟକଣା ଜାରି କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

କୌଣସି ବସ୍‌ ଯଦି ମୋ’ଟ ସିଟ୍‌ ଠାରୁ ଅଧିକ ଯାତ୍ରୀ ଉଠାଏ, ତାହେଲେ ଆଇନ ଅନୁଯାୟୀ ବସର କର୍ମଚାରୀ ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ପୋଲିସ କର୍ମଚାରୀଙ୍କ ସହ ପରିବହନ ବିଭାଗର ଅଧିକାରୀମାନେ ଏ ନେଇ ଯାଞ୍ଚ କରିବେ । ବସରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବା ସହ ସାମର୍ଥ୍ୟ ଅନୁସାରେ ବସର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

‘‘ସରକାର କରୋନକୁ ନେଇ ସଚେତନ ରହିଛନ୍ତି । ଏ ନେଇ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛନ୍ତି । କିନ୍ତୁ ରାଜଧାନୀରେ ଏକ ପଜିଟିଭ କେସ ଆସିବା ପରେ ଏଥି ପ୍ରତି ଅଧିକ ଦୃଷ୍ଟି ଦିଆଯାଉଛି । କ୍ୟାପାସିଟି ଠୁ ଅଧିକ ଯାତ୍ରୀ କିପରି ବସରେ ନ ଯିବେ, ବସରେ କିପରି ଅଧିକ ସ୍ବଚ୍ଛତା ଅବଲମ୍ବନ କରାଯିବ ସେ ନେଇ ବସ ଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଆଗକୁ ଅଧିକ କଣ କରାଯାଇ ପାରିବ ସେ ନେଇ ଅଧିକାରୀ ଓ ବସ ମାଲିକଙ୍କ ସହ ଆଲୋଚନା କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ପୂର୍ବରୁ ବସ ସଫେଇ ଉପରେ ଗୁରୁତ୍ବ ଦିଆଯାଉଥିଲେ ବି କରୋନା ପରେ ଏ ନେଇ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କରୋନାକୁ ନେଇ ସରକାର ଯଥାସମ୍ଭବ ପ୍ରୟାସ କରୁଥିବା ବେଳେ ଯାତ୍ରୀମାନେ ନିଜ ଆଡ଼ୁ ସତର୍କ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କରେନାକୁ ନେଇ ‘ମୋ’ ବସ’ରେ ଲୋକଙ୍କୁ ସଚେତନ କରାଯାଉଥିବା ଦେଖାଯାଇଛି । ବସ ମଧ୍ୟରେ ଲାଉଡ଼ସ୍ପିକର ଜରିଆରେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି । ନିୟମିତ ଭାବେ ହାତ ଧୋଇବା ସହିତ ସାନିଟାଇଜର୍‌ ଲିକ୍ୱିଡ୍‌ ବ୍ୟବହାର କରିବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଉଛି ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା


ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ଘରୋଇ ବସ ମାଲିକ ସଙ୍ଘ । ‘‘ସରକାରଙ୍କ ସତର୍କତା ପରେ କରୋନା ଭୟରେ ଯାତ୍ରୀଙ୍କ ସଂଖ୍ୟା କମିଛି । ଏପରିକି ସିଟ ଠାରୁ ବି କମ୍‌ ଯାତ୍ରୀ ବସରେ ଚଢ଼ୁଛନ୍ତି । ଏହା ଫଳରେ ବ୍ୟବସାୟ ବାଧାପ୍ରାପ୍ତ ହେଉଛି । ବସରେ ସ୍ବଚ୍ଛତା ଉପରେ ସଦା ବେଳେ ଗୁରୁତ୍ବ ଦିଆଯାଉଥିବା ବେଳେ ଏ ନେଇ ଅଧିକ ପଦକ୍ଷେପ ନିଆଯିବ । ସରକାର ଯାତ୍ରୀଙ୍କୁ ସଚେତନ କରାଇବା ପାଇଁ ପ୍ରତି ବସ ଷ୍ଟାଣ୍ଡରେ ବ୍ୟବସ୍ଥା କରିବା ଉଚିତ କହିଛନ୍ତି ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।

ମାସ୍କ ଓ ସାନିଟାଇଜେସନ ସାମଗ୍ରୀର ଅଭାବ ଦେଖାଦେଉଥିବାରୁ ଏ ସବୁକୁ ବସ୍‌ ଷ୍ଟାଣ୍ଡରେ ଉପଲବ୍ଧ କଲେ ଯାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି । ବସ୍‌ ବ୍ୟବସାୟ ପ୍ରଭାବିତ ହୋଇଥିବାରୁ ଟିକସ ଛାଡ଼ ପାଇଁ ସଙ୍ଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ୧୧,୪୭୨ଟି ବସ୍‌ ଚଳାଚଳ କରୁଛି, ଓ ସେଥିରୁ ୧,୦୫୧ଟି ସରକାରୀ ବସ୍‌ । ୫୨୩ ଯାତ୍ରୀବାହୀ ବସକୁ ଓଡ଼ିଶା ବାହାରକୁ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟରୁ ୩୩୫ଟି ବସ୍‌ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତାୟତ କରୁଛି ।
First published: March 16, 2020, 11:03 PM IST
corona virus btn
corona virus btn
Loading