ଲକଡାଉନରେ ଧରାଶାୟୀ ଶିଳ୍ପ କ୍ଷେତ୍ରକୁ ଠିଆ କରିବାକୁ ପ୍ରୟାସ ଆରମ୍ଭ କଲେ ରାଜ୍ୟ ସରକାର

ସବୁ ଘରୋଇ ଉଦ୍ୟୋଗର କର୍ମଚାରୀମାନଙ୍କୁ ଲକଡାଉନ ସମୟରେ ମୂଳ ଦରମାର ୮୦ ପ୍ରତିଶତ ସରକାର ବହନ କରିବା ଓ ଅନ୍ୟ ରାଜ୍ୟମାନଙ୍କ ପରି ବିଦ୍ୟୁତ ଚାର୍ଜ ସମ୍ପୂର୍ଣ୍ଣ ମାଗଣା ଦେବାକୁ ଦାବୀ କରିଛି ଉତ୍କଳ ଚ୍ୟାମ୍ବର ଅଫ କମର୍ସ ।

ଲକଡାଉନ ଯୋଗୁଁ ଏମଏସଏମଇ ସେକ୍ଟର ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି ।

ଲକଡାଉନ ଯୋଗୁଁ ଏମଏସଏମଇ ସେକ୍ଟର ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି ।

  • Share this:
News18 Odia Digital

ଭୁବନେଶ୍ୱର: ଲକଡାଉନ କାରଣରୁ ରାଜ୍ୟରେ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ଠୁଁ ଆରମ୍ଭ କରି ବୃହତ ଶିଳ୍ପ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି ଓ ଏହା ସରକାରଙ୍କୁ ଚିନ୍ତାରେ ପକାଇଛି । ପ୍ରଭାବିତ ଶିଳ୍ପକୁ ପୁନର୍ବାର ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

ଗୋଟେ ପଟେ ଲକଡାଉନ ଜାରି ରହିଥିବା ବେଳେ ଆଗକୁ କଣ ଲରାଯାଇ ପାରିବ ଏ ନେଇ ବିଭିନ୍ନ ଶିଳ୍ପପତି ଓ ଶିଳ୍ପାନୁଷ୍ଠାନ ସହ ସରକାର ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏମଏସଏମଇ ହେଉ କି ବୃହତ ଶିଳ୍ପ, ସବୁଠି ପଡିଛି କରୋନାର ବଡ ପ୍ରଭାବ । ଲକଡାଉନ ଯୋଗୁଁ ଏମଏସଏମଇ ସେକ୍ଟର ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ସମୟ ମଧ୍ୟରେ ପ୍ରାୟ ୫ ହଜାର କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା ଆକଳନ କରାଯାଉଛି ।

ବୃହତ ଶିଳ୍ପ, ଖଣି ଓ ଇସ୍ପାତ ଶିଳ୍ପ ବି ବେଶ ପ୍ରଭାବିତ ହୋଇଛି । ସରକାରଙ୍କୁ ସବୁ ଠୁ ଅଧିକ ରାଜସ୍ୱ ଆସୁଥିବା ଖଣି କାର୍ଯ୍ୟ ଚାଲୁଥିଲେ ବି ସରକାରଙ୍କ ନିୟମ ଓ କଟକଣା ଯୋଗୁଁ କାର୍ଯ୍ୟ ସ୍ୱାଭାବିକ ହୋଇପାରୁ ନାହିଁ । ସେଥି ପାଇଁ ଖଣିଜ କ୍ଷେତ୍ର ବି ପ୍ରଭାବିତ ହୋଇଛି । ଗତ ବର୍ଷ ତୁଳନାରେ ପ୍ରାୟ ୫୦ ପ୍ରତିଶତ କାରବାର ପ୍ରଭାବିତ ହୋଇଛି । ଖଣିଜ ଉତ୍ତୋଳନ, ପରିବହନ, ଆନ୍ତଃରାଜ୍ୟ ପରିବହନ ଆଦି ଜିଲ୍ଲାରେ କଟକଣା ଯୋଗୁଁ ବେଶ ପ୍ରଭାବିତ ହୋଇଛି । ଏସବୁ ଭିତରେ ପୂର୍ବାବସ୍ଥା ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି ସରକାର ।

ଏ  ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ପ୍ରସ୍ତାବ ଗ୍ରହଣ କରିବା ସହ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । ଖୁବ ଶୀଘ୍ର ଅନ୍ୟ ଏକ ବୈଠକ ଡାକି କିଛି ନିୟମ କୋହଳ କରିପାରନ୍ତି ବୋଲି କୁହାଯାଉଛି ।

ଅନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରୁଛି ।


ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି: ‘‘ଶିଳ୍ପାନୁଷ୍ଠାନ ଓ ଶିଳ୍ପ କ୍ଷେତ୍ରକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ସୁରକ୍ଷିତ ଅବସ୍ଥାରେ ରହି ଶ୍ରମିକ ମାନେ କିପରି କାମ କରିବେ, ନୀତି ନିୟମ ଭିତରେ କିପରି କାମ କରି ହେବ ସେ ନେଇ ପ୍ରୟାସ କରାଯାଉଛି । ଖୁବ ଶୀଘ୍ର ପୂର୍ବ ଭଳି ସ୍ଥିତି ଫେରିଆସିବା ବୋଲି ଆଶା କରାଯାଉଛି ।’’

ଲକଡାଉନ ଯୋଗୁଁ ଆନ୍ତମନ୍ତ୍ରିସ୍ତରୀୟ କମିଟି  ବୈଠକ ଶନିବାର ଦିନ ଭିଡିଓ କନ୍ଫରେନ୍ସିଂରେ ଅନୁଷ୍ଠିତ ହୋଇଥିଲା । କମିଟିର ଅନ୍ୟ ସଦସ୍ୟ ଓ ଶିଳ୍ପ ପ୍ରତିନିଧିଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକ ପରେ ଶିଳ୍ପପତି ତଥା ଉତ୍କଳ ଚ୍ୟାମ୍ବର ଅଫ କମର୍ସର କାର୍ଯ୍ୟକାରୀ କମିଟି ସଦସ୍ୟ ବ୍ରହ୍ମାନନ୍ଦ ଦାସ କହିଛନ୍ତି: ‘‘ସରକାରଙ୍କୁ ଅନେକ  ପ୍ରସ୍ତାବ ଦିଆଯାଇଛି । ଶିଳ୍ପ ସଂସ୍ଥାକୁ କାର୍ଯ୍ୟକ୍ଷମ କରିବା ଲାଗି ସରକାର ଆର୍ଥିକ ସହଯୋଗ କରିବା ସହ ତିନି ବର୍ଷ ପର୍ଯ୍ୟନ୍ତ ସୁଧମୁକ୍ତ କରିବା, ୱର୍କିଂ କ୍ୟାପିଟାଲ ଅନ୍ତତଃ ୨୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରିବା, ସମସ୍ତ ଘରୋଇ ଉଦ୍ୟୋଗର କର୍ମଚାରୀମାନଙ୍କୁ ଲକଡାଉନ ସମୟରେ ମୂଳ ଦରମାର ୮୦ ପ୍ରତିଶତ ସରକାର ବହନ କରିବା, ଅନ୍ୟ କେତେକ ରାଜ୍ୟ ପରି ସର୍ବନିମ୍ନ ଆବଶ୍ୟକ ହେଉଥିବା ବିଦ୍ୟୁତ ଚାର୍ଜ ଲକଡାଉନରେ ସମ୍ପୂର୍ଣ୍ଣ ମାଗଣା ଦେବା, ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ତିନି ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରାଇଭେଟ ବୃହତ ବୃହତ ଶିଳ୍ପ  ସଂସ୍ଥା  ତାଙ୍କର ସମସ୍ତ ଦରକାରୀ କଞ୍ଚା ମାଲ ଠୁଁ ଆରମ୍ଭ କରି  ସମସ୍ତ ଇନ୍ଫ୍ରାଷ୍ଟ୍ରକ୍ଚର ଓ ଅନ୍ୟାନ୍ୟ ସର୍ଭିସ ଲାଗି ଲଘୁ ଉଦ୍ୟୋଗମାନଙ୍କ ଠାରୁ କ୍ରୟ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରନ୍ତୁ । ଏହା ଦ୍ୱାରା ନିଯୁକ୍ତି  ବୃଦ୍ଧିପାଇବା ସହ ଲଘୁ ଉଦ୍ଦ୍ୟୋଗମାନଙ୍କ ଦୁଃଖ ଲାଘବ ହେବ ।’’

‘‘ସରକାର ଓ ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ପ୍ରାଥମିକ ଆଲୋଚନା ହୋଇଥିବା ବେଳେ ଖୁବ ଶୀଘ୍ର ହେବ ଆଉ ଏକ ବୈଠକ । ଏହି ବୈଠକରେ ଶିଳ୍ପ ଅନୁଷ୍ଠାନଗୁଡିକ ନିଜ ସମସ୍ୟା ସହ ଆମକୁ ଅବଗତ କରାଇବା ସହ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଏପରି ସ୍ଥିତିରେ ଶିଳ୍ପ କ୍ଷେତ୍ରକୁ ପୂର୍ବ ଭଳି ସୁଦୃଢ଼ କରିବାକୁ ହେଲେ ସରକରଙ୍କ ପକ୍ଷରୁ ସହଯୋଗର ଆବଶ୍ୟକତା ରହିଛି । ଆଗାମୀ ଦିନରେ ଆଉ ଏକ ବୈଠକ ଡକାଯାଇ ଏ ନେଇ କିଛି ନିଷ୍ପତ୍ତି ନିଆଯାଇପାରେ,’’ କହିଛନ୍ତି ଇପିକଲ ଏମଡି ନିତିନ ଭାନୁଦାସ ଯାଅଲେ ।

ଲକଡାଉନ ଯୋଗୁଁ ଶିଳ୍ପାନୁଷ୍ଠାନଗୁଡିକ ସାମ୍ନା କରୁଥିବା ସମସ୍ୟା ବାବଦରେ ତଦାରଖ ପାଇଁ ଗତ ୨୦ ତାରିଖ ଦିନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ଏହି କମିଟିରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସଦସ୍ୟ ରହିଛନ୍ତି ।
First published: