ରାଜ୍ୟରେ କମିବ ସ୍କୁଲ୍ ସିଲାବସ; ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ଖସଡ଼ା ଆସିବ

ପାଠ୍ୟ ଖସଡ଼ା କମାଇବାକୁ ମୁଖ୍ୟ ମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଚଳିତ ବର୍ଷ କେତେ ଦିନ ସ୍କୁଲ ବନ୍ଦ ହୋଇଛି, କେତେ ଦିନ ଆଉ ବନ୍ଦ ରହିବାର ସମ୍ଭାବନା ରହୁଛି ଓ ସ୍କୁଲ ଖୋଲିଲେ କେତେ ପ୍ରତିଶତ ସିଲାବସ ପଢ଼ାଇ ହେବ ସେ ସବୁ ଚିନ୍ତା କରି ଏକ ରିପୋର୍ଟ ତିଆରି ହେବ ।

ରାଜ୍ୟରେ କମିବ ସ୍କୁଲ୍ ସିଲାବସ; ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ଖସଡ଼ା ଆସିବ
କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସିବିଏସଇ ପରେ ଏବେ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସ୍କୁଲ ସିଲାବସ କମାଇବାକୁ ନିଷ୍ପତ୍ତି ନେଇଛି। ଏହାକୁ ମୁଖ୍ୟ ମନ୍ତ୍ରୀ ଅନୁମୋଦନ ଦେଇଥିବା ଆଜି ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି। ତେବେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କେତେ ପ୍ରତିଶତ ସିଲାବସ କମିବ ସେ ନେଇ ଏସ.ସି.ଆର.ଟି. ଠାରୁ ଏକ ରିପୋର୍ଟ ମଗାଯାଇଛି।

ଚଳିତ ବର୍ଷ କେତେ ଦିନ ସ୍କୁଲ ବନ୍ଦ ହୋଇଛି, କେତେ ଦିନ ଆଉ ବନ୍ଦ ରହିବାର ସମ୍ଭାବନା ରହୁଛି ଓ ସ୍କୁଲ ଖୋଲିଲେ କେତେ ପ୍ରତିଶତ ସିଲାବସ ପଢ଼ାଇ ହେବ ସେ ସବୁ ଚିନ୍ତା କରି ଏକ ରିପୋର୍ଟ ତିଆରି ହେବ । ବିଭାଗ ସେଇ ଆଧାରରେ ନିଷ୍ପତ୍ତି ନେବ। ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓ ଏକାଦଶ ଓ ଦ୍ୱାଦଶ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ରିପୋର୍ଟ ପ୍ରସ୍ତୁତ କରିବେ।

‘‘ସ୍କୁଲ ବନ୍ଦ ରହିବା ପିଲାଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି । ତେଣୁ ପିଲାମାନେ କେମିତି କମ୍‌ ବିଷୟ ପଢ଼ି ପରୀକ୍ଷା ଦେବେ ସେଥି ପାଇଁ ବିଭାଗ ଏହି ନିଷ୍ପତ୍ତି ନେଇଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବା ବେଳେ ଏବେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହା ଭିତରେ ଚାରି ମାସ ଅତିକ୍ରମ କରିଛି । ତୁରନ୍ତ ସିଲାବସରୁ କେଉଁ କେଉଁ ବିଷୟ ବାଦ ଦିଆଯିବ ତା’ର ତାଲିକା ପ୍ରଦାନ କଲେ ବୋର୍ଡ଼ ପରୀକ୍ଷା ପ୍ରସ୍ତୁତ ହେବାରେ ସାହାଯ୍ୟ ମିଳିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଯୁକ୍ତ ୨ ପାଠ୍ୟକ୍ରମ ସିବିଏସଇ ଢାଞ୍ଚାରେ ପଢ଼ାଯାଉଥିବା ବେଳେ ତାକୁ ଆଧାର କରି ସିବିଏସଇ ଯେଉଁ ଭଳି କମାଇଛି ସେମିତି କମ୍‌ କଲେ ଜାତୀୟ ସ୍ତରରେ ପ୍ରତିଦ୍ବନ୍ଦିତା ପାଇଁ ପିଲାଙ୍କୁ ସହାୟକ ହେବ ବୋଲି ଶିକ୍ଷାବିତମାନେ କହିଛନ୍ତି।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


‘‘ଯୁକ୍ତ ୨ ପାଇଁ ପାଠ୍ୟ ଖସଡ଼ା କମ କରିବାରେ କିଛି ଅସୁବିଧା ନାହିଁ । ଯେହେତୁ ସିବିଏସଇ ୩୦% ସିଲାବସ କମେଇଦେଇଛି ସିବିଏସଇ ଢାଞ୍ଚାରେ ଯୁକ୍ତ ଦୁଇ ପାଠ୍ୟକ୍ରମ କମାଇ ହେବ। ତାହେଲ ହିଁ ଜାତୀୟ ସ୍ତରର ପରୀକ୍ଷା ଦେବାରେ ପିଲାଙ୍କୁ ସୁବିଧା ହେବ,’’ କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛାଟୋଇ ।

ଦଶମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା ପରାମିତା କହିଛନ୍ତି, ‘‘ନୂଆ ଶିକ୍ଷା ବର୍ଷର ଚାରି ମାସ ବିତି ସାରିଛି। ଏହାରି ଭିତରେ ଆମେ କିଛି ପାଠ ନିଜେ ମଧ୍ୟ ଶେଷ କରିଛୁ। ଏବେ କେଉଁ ବିଷୟ କମିବ ତାହା ଚିନ୍ତାଜନକ କଥା । ତେଣୁ ସରକାର ତୁରନ୍ତ ନୂଆ ସିଲାବସ ଦେବା ଦରକାର ।’’

ଏହା ବି ପଢ଼ନ୍ତୁ: ବିଦାୟ ବିଜୟ! ହେଲେ କେମିତି କହିବା ତାଙ୍କ ୯୫ ବର୍ଷର ମା'ଙ୍କୁ ଯେ ପୁଅ ବିଜୟ ଆଉ ନାହିଁ?

ଏହା ବି ପଢ଼ନ୍ତୁ: ଚୀନ୍ ପାଇଁ ଆର୍ଥିକ ଅସୁବିଧା ବଢ଼ିବ; ଏହି ସପ୍ତାହରେ ମୋଦି ସରକାର ଲାଗୁ କରିବେ କିଛି ନୂଆ ନିୟମ

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ କୋଚିଂ କ୍ଲାସ ଓ ଟିଉସନ ବି ବନ୍ଦ ରହିଛି । ତେଣୁ ତୁରନ୍ତ ପରିବର୍ତ୍ତିତ ସିଲାବସ ଆସିଲେ ପିଲାମାନେ ଉପକୃତ ହେବେ ବୋଲି କୁହାଯାଉଛି ।
Published by: Anand Shankar Thankur Das
First published: July 22, 2020, 6:02 PM IST
corona virus btn
corona virus btn
Loading