ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ରାଜ୍ୟରେ ଶ୍ରମଜୀବୀଙ୍କ ପାଇଁ ଆସିଲା ସରକାରୀ ନିର୍ଦ୍ଦେଶ, ହେଲେ ଅନୁପାଳନରେ ଅନେକ ବାଧା

ରାଜ୍ୟରେ ଶ୍ରମଜୀବୀଙ୍କ ପାଇଁ ଆସିଲା ସରକାରୀ ନିର୍ଦ୍ଦେଶ, ହେଲେ ଅନୁପାଳନରେ ଅନେକ ବାଧା

ରାଜ୍ୟରେ କାର୍ଯ୍ୟ କ୍ଷେତ୍ରରେ ଶ୍ରମିକ ନିୟୋଜନରେ ଅଧିକ ସରକାରୀ କଟକଣା ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ଶ୍ରମିକ, ଠିକାଦାର ଓ ଶ୍ରମିକ ନେତାମାନେ ।

ରାଜ୍ୟରେ ଶ୍ରମଜୀବୀଙ୍କ ପାଇଁ ଆସିଲା ସରକାରୀ ନିର୍ଦ୍ଦେଶ, ହେଲେ ଅନୁପାଳନରେ ଅନେକ ବାଧା
ଭୁବନେଶ୍ୱରରେ ଲକଡାଉନ୍ ସମୟରେ ରାସ୍ତାରେ ପୋଲିସ୍ ଚେକିଂ ଚାଲିଛି ।
  • News18 Odia
  • Last Updated: April 26, 2020, 8:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାର ନୋଟିସ କଲେ ଯେ ଲକଡାଉନ କାରଣରୁ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଅଟକି ରହିଯାଇଥିବା ଶ୍ରମିକମାନେ କର୍ମସ୍ଥଳୀକୁ  ଯାଇପାରିବେ। ଠିକାଦାର ସେମାନଙ୍କ ଯିବା ଆସିବାର ବ୍ୟବସ୍ଥା କରିବେ । ହେଲେ ଏହାର ବାସ୍ତବ ଉବଲବ୍ଧି କିନ୍ତୁ ଭିନ୍ନ। ସରକାରୀ ନିର୍ଦ୍ଦେଶ ଅନୁପାଳନରେ ଆସୁଛି ଅନେକ ବାଧକ ।

ଭୁବନେଶ୍ୱର ଉପକଣ୍ଠ ଭିଙ୍ଗାରପୁର ବାସିନ୍ଦା ସତ୍ୟନାରାୟଣ ପାତ୍ର ଜଣେ ଇଲେକ୍ଟ୍ରିକାଲ ମିସ୍ତ୍ରୀ ଭାବେ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଲକଡାଉନ କଟକଣା କାରଣରୁ ପ୍ରାୟ ଦେଢ଼ ମାସ ହେଲା ଘରେ ବସିଥିଲେ । କାମ ଧନ୍ଦା ନ ଥିଲା । ଏବେ ଶ୍ରମିକଙ୍କ ଉପରୁ ସରକାର ଲକଡାଉନ କଟକଣା କୋହଳ କରିବା ପରେ ସେ କାମକୁ ଆସିଛନ୍ତି, କିନ୍ତୁ କଷ୍ଟରେ ।

‘‘ଲମ୍ବା ସମୟ ବ୍ୟବଧାନରେ ମୁଁ କାମକୁ ଆସିଥିବାରୁ ଖୁସି । ହେଲେ ଅନେକ ସମସ୍ୟା । ଗାଡ଼ି ମୋଟର ଚାଲୁ ନ ଥିବାରୁ ଯିବା ଆସିବାରେ ସମସ୍ୟା ହେଉଛି । ଅଫିସ ଗାଡ଼ି ବି ଯାଇ ପାରୁନାହିଁ,’’ କହିଛନ୍ତି ସତ୍ୟ ନାରାୟଣ ।

ଅନୁରୂପ ମତ ହେଲା ବିଭିନ୍ନ ଗୋଦାମରେ ଖାଲାସୀ କାମ କରୁଥିବା କାଳିଆଙ୍କର । ‘‘ଶ୍ରମଜୀବୀଙ୍କ ଉପରୁ ଲକଡାଉନ କୋହଳ ହେବା ପରେ  କାମ ପାଇବି ବୋଲି ଆଶା ରଖିଥିଲି । ହେଲେ  ହତାଶ, କାରଣ ଠିକାଦାର କେହି ଆସୁନାହାନ୍ତି । ଦେଢ଼ ମାସ ହେଲା କାମ ଧନ୍ଦା ନପାଇ ମୁଁ ହତାଶ,’’ ସେ କହିଛନ୍ତି ।

ତେବେ ବିଭିନ୍ନ ପ୍ରକଳ୍ପର ସାଇଟ ଇଞ୍ଜିନିୟର ଓ ଠିକାଦାରଙ୍କ ମତରେ ସରକାରୀ ନିର୍ଦେଶନାମା ଆଦୌ ଉପଯୋଗୀ ନୁହେଁ । ଭୁବନେଶ୍ୱର ସ୍ଥିତ ଟିଏନ କନଷ୍ଟ୍ରକସନରେ ସାଇଟ ଇଂଜିନିୟର  ଭାବେ କାମ କରୁଥିବା ବିଜୟ କୁମାର ଖୁଣ୍ଟିଆ କହିଛନ୍ତି: ‘‘ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଶ୍ରମିକଙ୍କୁ କର୍ଯ୍ୟସ୍ଥଳୀକୁ ନେବାପାଇଁ ଗାଡିର ବ୍ୟବସ୍ଥା କରିବାକୁ ହେବ । ତାହା ପୁଣି ଖୁବ କମ ସଂଖ୍ୟକ  ଶ୍ରମଜୀବୀଙ୍କୁ ନେଇ । ପ୍ରଥମତଃ ସବୁଠି ପୋଲିସ ଚେକିଂ, ଦ୍ଵିତୀୟ ରେ ପାସ ପାଇବାରେ ଆସୁବିଧା। ତା ସହିତ କମ ସଂଖ୍ୟକ ଶ୍ରମଜୀବୀଙ୍କୁ ନେଇ ଗାଡ଼ିରେ ପରିବହନ, ଏସବୁ ଆର୍ଥିକ ସମସ୍ୟା ସୃଷ୍ଠି କରୁଛି। ଶ୍ରମଜୀବୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେବା ଦରକାର।'

ଅନ୍ୟଜଣେ ଠିକାଦାର ସମରେନ୍ଦ୍ର ମହାପାତ୍ର କହିଛନ୍ତି: ‘‘କାର୍ଯ୍ୟ କ୍ଷେତ୍ରରେ ଶ୍ରମିକ ନିୟୋଜନ ନେଇ ଅଧିକ ସରକାରୀ କଟକଣା ସମସ୍ୟା  ସୃଷ୍ଟି କରୁଛି । ସରକାର ଏହାର ସମାଧାନ କରିବା ଦରକାର ।’’

‘‘ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକଙ୍କ ପାଇଁ କେବଳ ଉପର ଠାଉରିଆଭାବେ ନୁହେଁ, ଆନ୍ତରିକତା ସହ ଉଦ୍ୟମ କରିବା ଦରକାର । କାରଣ ଏ କ୍ଷେତ୍ରରେ ଅଧିକ ଅଡ଼ୁଆ ସାଜୁଛି ବିଭିନ୍ନ ସରକାରୀ ଅଧିକାରୀଙ୍କ ସମ୍ମତି ପତ୍ର । ସରକାର ସେ ଦିଗରେ ଧ୍ୟାନ ଦେବା ଦରକାର,’’ କହିଛନ୍ତି ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ ।

ଶ୍ରମଜୀବୀଙ୍କ କଲ୍ୟାଣ ନିମନ୍ତେ ଶୁକ୍ରବାର ଏଭଳି କିଛି ଘୋଷଣା କରିଥିଲେ  ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ଯେଉଁଥିରେ ଶ୍ରମ ମିଳିବା ଉପରେ ଦିଆଯାଇଥିଲା ଗୁରୁତ୍ୱ ।  ହେଲେ ସେ କ୍ଷେତ୍ରରେ ନୀତି ନିୟମ ବାଧକ ସାଜୁଥିବାରୁ ଏବେ ଶ୍ରମଜୀବୀ ଲକଡାଉନ ସରିବାକୁ ଅପେକ୍ଷା କରିଛନ୍ତି ।
First published: April 26, 2020, 8:39 PM IST