କରୋନା ଭାଇରସ: ଥଣ୍ଡା, ଜ୍ବର ବା କାଶ ରୋଗୀଙ୍କୁ ଭଲକରି ପରୀକ୍ଷା କରିବାକୁ ଦିଆଗଲା ନିର୍ଦ୍ଦେଶ

କରୋନା ଭୂତାଣୁର ଯାଞ୍ଚ ପାଇଁ ରକ୍ତ ନମୂନା ପରୀକ୍ଷା କରିବାକୁ ପ୍ରସ୍ତୁତ ଦେଶର ୨୦ ଟି ଲ୍ୟାବ୍ ମଧ୍ୟରେ ଭୁବନେଶ୍ବରର ଆର୍‌ଏମ୍‌ଆର୍‌ସି ସାମିଲ ହୋଇଛି । ବିମାନ ବନ୍ଦରରେ ସ୍ବତନ୍ତ୍ର ଯାଞ୍ଚ ବ୍ୟବସ୍ଥା କରାଯାଇଛି । କୌଣସି ଥଣ୍ଡା, ଜ୍ବର ବା କାଶ ଜନିତ ରୋଗୀ ଆସିଲେ ତାକୁ ଗୁରୁତ୍ୱର ସହ ନେଇ ପରୀକ୍ଷାନିରୀକ୍ଷା କରିବାକୁ ସବୁ ଏଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

କରୋନା ଭାଇରସ: ଥଣ୍ଡା, ଜ୍ବର ବା କାଶ ରୋଗୀଙ୍କୁ ଭଲକରି ପରୀକ୍ଷା କରିବାକୁ ଦିଆଗଲା ନିର୍ଦ୍ଦେଶ
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ କର୍ମଶାଳା ।
  • News18 Odia
  • Last Updated: January 28, 2020, 6:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ଭାଇରସର ବିଶ୍ୱବ୍ୟାପୀ ବଢ଼ୁଥିବା ପ୍ରକୋପ ଓ ଭାରତରେ କିଛି ସନ୍ଦିଗ୍ଧ କେସ୍‌ ମିଳିବା ପରେ ରାଜ୍ୟ ସରକାର ଏ ମହା ବିପଦର ମୁକାବିଲା ଓ ସଚେତନତା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗତ କାଲି କଟକ ବଡ଼ ମେଡ଼ିକାଲରେ କରୋନା ଭାଇରସ୍‌ ପାଇଁ ଏକ ବିଶେଷ ୱାର୍ଡ଼ ଖୋଲିବା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି ଏକ ଉଚ୍ଚସ୍ତରୀୟ କର୍ମଶାଳା ।

ସବୁ ଜିଲ୍ଲାର ମେଡିକାଲ ସୁପରିଟେଣ୍ଡେଣ୍ଟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜର ଯୋଗ ଦେଇଛନ୍ତି ଏହି ରାଜ୍ୟସ୍ତରୀୟ କର୍ମଶାଳାରେ । ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ବୈଠକରେ ସେମାନଙ୍କୁ କରୋନା ରୋଗୀଙ୍କୁ କେମିତି ତିନୋଟି ପର୍ଯ୍ୟାୟରେ ଚିକିତ୍ସା ସୁବିଧା ଦେବେ ସେ ସମ୍ପର୍କରେ ଅବଗତ କରାଯାଇଛି । ମୁଖ୍ୟତଃ ଚ଼ୀନରୁ ଆସୁଥିବା ଲୋକଙ୍କୁ କିପରି ଯତ୍ନ ନେବେ ତା’ ଉପରେ ଦିଆଯାଇଛି ଗୁରୁତ୍ବ ।

‘‘ସବୁ ଥଣ୍ଡା କି ଜ୍ବର କରୋନାରେ ଆକ୍ରାନ୍ତ ହେବାର ଲକ୍ଷଣ ନୁହେଁ । ହେଲେ ଏପରି ଲକ୍ଷଣ ଦେଖାଗଲେ ସତର୍କତା ଅବଲମ୍ବନ ଜରୁରୀ,’’ କହିଛନ୍ତି ଧଳ । କରୋନା ଭୂତାଣୁର ଯାଞ୍ଚ ପାଇଁ ରକ୍ତ ନମୂନା ପରୀକ୍ଷା କରିବାକୁ ପ୍ରସ୍ତୁତ ଦେଶର ୨୦ ଟି ଲ୍ୟାବ୍‌ ମଧ୍ୟରେ ଭୁବନେଶ୍ବରର ଆର୍‌ଏମ୍‌ଆର୍‌ସି ସାମିଲ ହୋଇଛି ଓ ବିମାନ ବନ୍ଦରରେ ସ୍ବତନ୍ତ୍ର ଯାଞ୍ଚ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

ଏହି କର୍ମଶାଳା ପରେ କୌଣସି ଥଣ୍ଡା, ଜ୍ବର ବା କାଶ ଜନିତ ରୋଗୀ ଆସିଲେ ତାକୁ ଗୁରୁତ୍ୱର ସହ ନେଇ ପରୀକ୍ଷାନିରୀକ୍ଷା କରିବାକୁ ସବୁ ଏଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ବରିଷ୍ଠ ଅଧିକାରୀମାନେ । ଗଲା ଦୁଇ ମାସ ଭିତରେ ଚ଼ୀନ ଯାଇ ନ ଥିବା ବ୍ୟକ୍ତିଙ୍କୁ ଏହି ଭାଇରସ ଆକ୍ରମଣ କରିବାର କୌଣସି ଭୟ ନାହିଁ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ ।

ଝାରସୁଗୁଡାରୁ ସର୍ବାଧିକ ଓଡ଼ିଆ ଚ଼ୀନରେ କାର୍ଯ୍ୟ କରୁଥିବାରୁ ସେଠାରେ କେହି କରୋନା ଆକ୍ରାନ୍ତ ହୋଇ ଫେରିବା ଆଶଙ୍କା ଥିବାରୁ ସେଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଝାରସୁଗୁଡା ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ ବି ପରାମର୍ଶ ଦିଆଯାଇଛି । ଏ ନେଇ ହୋଟେଲ ଆସୋସିଏସନକୁ ଚିଠି ଲେଖାଯାଇଛି ।

ବର୍ତ୍ତମାନ ସୁଦ୍ଧା ୪,୫୬୫ ଟି କରୋନା ଭାଇରସ କେସ୍‌ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଚ଼ୀନରେ କେବଳ ୪,୪୯୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏ ପର୍ଯ୍ୟନ୍ତ ୧୦୬ ଜଣଙ୍କର ମୃତ୍ୟୁ ହୋଇସାରିଛି । ମୃତକ ସମସ୍ତେ ଚ଼ୀନର ନାଗରିକ । ସେହିପରି ନେପାଳରେ ଜଣେ ଓ ମାଲେସିଆରେ ତିନି ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ଭାରତରେ ଏବେ ଯାଏ କୌଣସି ପଜିଟିଭ ନମୂନା ଚିହ୍ନଟ ହୋଇନାହିଁ । ରକ୍ତ ନମୂନା ପରୀକ୍ଷଣ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦେଶରେ ୨୦ଟି ଲ୍ୟାବ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାର ଆର୍‌ଏମ୍‌ଆର୍‌ସି ସାମିଲ ହୋଇଛି । କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି, ଭିମ୍‌ସାର୍‌ ଓ ଏମ୍‌ସ୍‌ ସମେତ ଜିଲ୍ଲା ହସ୍ପିଟାଲରେ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଡାକ୍ତରମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

କରୋନା ଭାଇରସକୁ ନ ଡରି ଏହାର ମୁକାବିଲା କରିବା ଦରକାର ବୋଲି କହିଛନ୍ତି ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତି ।

ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ ପାଇଁ କୌଣସି ଭ୍ୟାକ୍ସିନ୍‌ ବା ମେଡିସିନ୍‌ ନାହିଁ । ତେଣୁ ଏନେଇ ସତର୍କତା ହିଁ ଜରୁରୀ । ଥଣ୍ଡା, ଜ୍ବର କିମ୍ବା କାଶ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛି ସ୍ବାସ୍ଥ୍ୟ ବିଭାଗ । ତେବେ ଏଥିରେ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି ।
First published: January 28, 2020, 6:40 PM IST
corona virus btn
corona virus btn
Loading