ରାଜ୍ୟରେ ଏବେ କମିବ କରୋନା ମୃତ୍ୟୁ ହାର; ସରକାର ଆରମ୍ଭ କଲେ ସଘନ ମନିଟରିଂ

ରାଜ୍ୟ ସରକାର ବନେଇଥିବା ନୂଆ କମିଟିରେ ଅଛନ୍ତି ୪୩ ଜଣ ବରିଷ୍ଠ ଡାକ୍ତର । ଏହି ଟିମ ୩୦ଟି ଜିଲ୍ଲାର କୋଭିଡ ହସ୍ପିଟାଲ ଗସ୍ତ କରି ଚିକିତ୍ସା ବ୍ୟବସ୍ଥା ତଦାରଖ କରିବ ଓ ମୃତ୍ୟୁ ହାର ରୋକିବା ପାଇଁ ମାର୍ଗଦର୍ଶନ ଓ ବୈଷୟିକ ଇନପୁଟ ଦେବ ।

ରାଜ୍ୟରେ ଏବେ କମିବ କରୋନା ମୃତ୍ୟୁ ହାର; ସରକାର ଆରମ୍ଭ କଲେ ସଘନ ମନିଟରିଂ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 20, 2020, 4:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ କାରଣରୁ ହେଉଥିବା ମୃତ୍ୟୁ ହାର ରୋକିବାକୁ ସରକାର ଗଠନ କରିଛନ୍ତି ଏକ ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ କମିଟି । ଏହି ଟିମ କୋଭିଡ ସ୍ଥିତି ସମୀକ୍ଷା କରିବା ସହ ରାଜ୍ୟରେ ମୃତ୍ୟୁ ହାର ଆହୁରି କିପରି କମି ପରିବ ସେ ନେଇ ମାର୍ଗଦର୍ଶନ ଦେବ ।

ରାଜ୍ୟରେ ବର୍ତ୍ତମାନ କରୋନା ମୃତ୍ୟୁ ହାର ୦.୫୮ ପ୍ରତିଶତ ରହିଛି। ସାତଟି ମେଡିକାଲ କଲେଜର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଏହି ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ କମିଟି ଗଠନ କରାଯାଇଛି । ଏଥିରେ ରହିଛନ୍ତି ୪୩ ଜଣ ବରିଷ୍ଠ ଡାକ୍ତର। ଏହି ଟିମ ୩୦ଟି ଜିଲ୍ଲାର କୋଭିଡ ହସ୍ପିଟାଲ ଗସ୍ତ କରି ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ ମୃତ୍ୟୁ ହାର ରୋକିବା ଦିଗରେ ମାର୍ଗଦର୍ଶନ ଓ ବୈଷୟିକ ଇନପୁଟ ପ୍ରଦାନ କରିବ।

ରାଜ୍ୟରେ କୋଭିଡ ସ୍ଥିତି କ୍ରମଶଃ ସଙ୍ଗୀନ ହେଉଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେ ୪ ଜିଲ୍ଲା ଉପରେ ଫୋକସ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା । ଗଞ୍ଜାମ ପରେ ଏହି ଚାରିଟି ଜିଲ୍ଲାକୁ ନେଇ ଏବେ ଟେନସନ ଲାଗି ରହିଛି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ


ଲଗାତାର ଭାବେ ଏହି ଚାରିଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବୁଧବାର ଏଥିରୁ ତିନୋଟି ଜିଲ୍ଲାରେ ୨୦୦  ପାର କରିଛି ଏହି ସଂଖ୍ୟା । ଖୋର୍ଦ୍ଧାରେ ସର୍ବାଧିକ ୪୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ୨୨୨, ରାୟଗଡ଼ାରେ ୨୧୧ ଓ ସୁନ୍ଦରଗଡ଼ରେ ୧୫୫ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଫୋକସ ଜିଲ୍ଲା ଥିବା ଯାଜପୁରକୁ ରାୟଗଡା ଟପିଯାଇଛି ।

ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ୧୫,୪୯୮କୁ ଛାଡ଼ିଦେଲେ ଏହି ଚାରିଟି ଜିଲ୍ଲାରୁ ଅଛନ୍ତି ୨୦,୧୩୫ ଜଣ ଆକ୍ରାନ୍ତ । ମୋଟ ୩୭୧ ମୃତକଙ୍କ ମଧ୍ୟରୁ  ଗଞ୍ଜାମରେ ୧୬୨ ଜଣ ଥିବା ବେଳେ ଏହି ଚାରିଟି ଜିଲ୍ଲାରେ ୧୧୦ ଜଣଙ୍କ ଜୀବନ  ଯାଇଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅଞ୍ଚଳଭିତ୍ତିକ ରଣକୌଶଳ ଆପଣେଇବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସ୍ୱାସ୍ଥ୍ୟ ବିଭାଗ ବି ତତ୍ପର ହୋଇଛି । ଜିଲ୍ଲା ପରିପ୍ରେକ୍ଷୀରେ ସଂକ୍ରମଣ ହାର କିପରି କମାଯାଇ ପାରିବ ସେ ନେଇ ପଦକ୍ଷେପ ନେଇ ଜଣାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

‘‘ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ଫଳପ୍ରଦ ହେବ।  ଗଞ୍ଜାମରେ ସ୍ଥିତି ପିକ୍‌ ହୋଇ ନିୟନ୍ତ୍ରଣକୁ ଆସିଥିବା ଏବେ ଖୋର୍ଦ୍ଧା ଓ କଟକ ଆଗ ପିକ୍ ହେବ। ସମ୍ପୂର୍ଣ୍ଣ ଜିଲ୍ଲା ପିକ୍‌ ହେବା ବେଳକୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ହୋଇଯିବ। ଏପରିକି ହୁଏତ ମାସ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଛୁଇଁ ପାରେ । କିନ୍ତୁ ଭୟଭୀତ ହେବାର କିଛି  କାରଣ ନାହିଁ । ବିଶେଷ କରି ୨୦ରୁ ୫୦ ବର୍ଷ ବୟସର ଲୋକ ଅଧିକ ସଂକ୍ରମିତ ହେଉଥିବାରୁ ଏହି ସମୟରେ ଅନ୍ୟ ଦୂରାରୋଗ୍ୟ ରୋଗରେ ପୀଡ଼ିତ ଥିବା ହାଇରିସ୍କ ଗ୍ରୁପକୁ କିପରି ସଂକ୍ରମଣ ନ ବ୍ୟାପିବ ସେଥି ପ୍ରତି  ରିଭର୍ସ ଆଇସୋଲେସ ସହ ସମସ୍ତେ ଯତ୍ନବାନ ହେବା ଜରୁରୀ । ସରକାରଙ୍କ ଅଞ୍ଚଳଭିତ୍ତିକ ରଣକୌଶଳ ଏ କ୍ଷେତ୍ରରେ ଫଳପ୍ରଦ ହେବ,’’ କହିଛନ୍ତି ଭେଷଜ ବିଶେଷଜ୍ଞ ନିରୋଜ ମିଶ୍ର ।

ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକର ନିଜ ଫ୍ୟାନମାନଙ୍କୁ କହିଲେ: ‘ମୋ’ ପ୍ରଥମ କାର୍‌ ମୋତେ ଖୋଜି ଆଣି ଦିଅ’

ଏହା ବି ପଢ଼ନ୍ତୁ | Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’

ରାଜ୍ୟରେ ମୃତ୍ୟୁ ହାର କେମିତି କମାଯାଇପାରିବ ସେ ନେଇ ମାର୍ଗଦର୍ଶନ ଦେବାକୁ ଏହି ଟିମ ଗଠନ କରାଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଏମ୍ସର ପୂର୍ବତନ ନିର୍ଦେଶକ ଅଶୋକ ମହାପାତ୍ର । ସେ କହିଛନ୍ତି, ‘‘ରାଜ୍ୟରେ ମୃତ୍ୟୁ ହାର କମଥିଲେ ବି ଆହୁରି କମେଇବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ବରିଷ୍ଠ ଡାକ୍ତରଙ୍କୁ ନେଇ ଗଠିତ ଏହି ଟିମ ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ମାର୍ଗଦର୍ଶନ  ଦେଲେ ଏହା ବେଶ ଉପାଦେୟ ହେବ । ୭ଟି ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ଏହି ଟିମ ୩୦ଟି ଜିଲ୍ଲାର କୋଭିଡ ସ୍ଥିତି ଚିକିତ୍ସା ତଦାରଖ କରିବା ସହ ମୃତ୍ୟୁ ହାର ରୋକିବା ଦିଗରେ ମାର୍ଗଦର୍ଶନ ଓ ବୈଷୟିକ ଇନପୁଟ ଦେବ । ଏହା ମୃତ୍ୟୁ ହାର ଆହୁରି କମାଇବାରେ ସହାୟକ ହେବ ।’’



ଅଗଷ୍ଟ ମାସରେ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୨,୦୦୦ ପାର କରୁଥିଲେ ବି ପଜିଟିଭିଟି କମିଛି । କିନ୍ତୁ ଅଗଷ୍ଟ ମାସର ପ୍ରଥମ ୧୯ ଦିନ ସାଢ଼େ ୪ ମାସର ରେକର୍ଡ ଭାଙ୍ଗିଛି । ଏହି ସାଢ଼େ ୪ ମାସରେ ମୋଟ ୩୧,୬୨୪ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୭୭ ଜଣଙ୍କ ମୃତ୍ୟୁ ହୋଇଛି, ହେଲେ ଅଗଷ୍ଟର ଏହି ୧୯ ଦିନରେ ୩୫,୩୬୪ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୯୫ ଜଣଙ୍କ ଜୀବନ ଯାଇଛି । ଗତ ସାଢ଼େ ୪ ମାସରେ ମୋଟ ୫ ଲକ୍ଷ ୧୪ ହଜାର ଟେଷ୍ଟ ହୋଇଥିବା ବେଳେ ଏହି ୧୯ ଦିନରେ ୫ ଲକ୍ଷ ୪୭ ହଜାର ଟେଷ୍ଟ ହେଲାଣି ।
Published by: Anand Shankar Thankur Das
First published: August 20, 2020, 4:31 PM IST
corona virus btn
corona virus btn
Loading