PG ଓ UG ପରୀକ୍ଷା ବାଧ୍ୟତାମୂଳକ ନ କରିବା ପାଇଁ ପୁଣି ଅନୁରୋଧ କଲେ ମନ୍ତ୍ରୀ ଅରୁଣ ସାହୁ

ରାଜ୍ୟର ଅଧିକାଂଶ ଜିଲ୍ଲାରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ ଲକଡାଉନ ଓ ସଟଡାଉନ ସ୍ଥିତି ସହ ଗମନାଗମନ ଅସୁବିଧା ଥିବାରୁ ୨ ଲକ୍ଷ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ନେଇ ପରୀକ୍ଷା କରିବା ଅସମ୍ଭବ ବୋଲି ଚିଠିରେ ଲେଖିଛନ୍ତି ଅରୁଣ ସାହୁ ।

PG ଓ UG ପରୀକ୍ଷା ବାଧ୍ୟତାମୂଳକ ନ କରିବା ପାଇଁ ପୁଣି ଅନୁରୋଧ କଲେ ମନ୍ତ୍ରୀ ଅରୁଣ ସାହୁ
ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 odia Digital

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟଗୁଡିକରେ ପିଜି ୟୁଜି ପରୀକ୍ଷା ଶେଷ କରିବା ନେଇ ତୁଟୁନି ଅଡୁଆ । ଯୁକ୍ତ-୩ ଷଷ୍ଠ ସେମିଷ୍ଟର ଓ ପିଜି ଶେଷ ସେମିଷ୍ଟରକୁ ବାଧ୍ୟତାମୂଳକ କରିଛି ୟୁଜିସି । ଏ ନେଇ ଉପୁଜିଥିବା ଅସୁବିଧା ବିଷୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଆଉ ଏକ ଚିଠି ଲେଖିଛନ୍ତି ।

ଜୁଲାଇ ୬ ତାରିଖରେ ୟୁଜିସି ବିଧିବଦ୍ଧ ନୋଟିସ କରି ଯୁକ୍ତ-୩ ଷଷ୍ଠ ସେମିଷ୍ଟର ଓ ପିଜି ଶେଷ ସେମିଷ୍ଟରକୁ ବାଧ୍ୟତାମୂଳକ କରିଥିବା ବିଷୟରେ ସବୁ ରାଜ୍ୟକୁ ଅବଗତ କରାଇଥିଲେ । ଏହା ପୂର୍ବରୁ ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଜୁନ ୨୦ ତାରିଖରେ ରାଜ୍ୟର ସବୁ ପିଜି ୟୁଜି ପରୀକ୍ଷାକୁ ବାତିଲ କରି ବିକଳ୍ପ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଦେବା ପାଇଁ ଘୋଷଣା କରିଥିଲେ ।

ୟୁଜିସିର ପରିବର୍ତ୍ତିତ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ପରୀକ୍ଷା ସମ୍ଭବ ନୁହେଁ ବୋଲି ଜୁଲାଇ ୯ ତାରିଖରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ମନ୍ତ୍ରୀ ଦର୍ଶାଇ ଥିଲେ ଯେ ବର୍ତ୍ତମାନ ରାଜ୍ୟରେ କୋରୋନାର ଭାୟାବହତାକୁ ଦେଖି ପରୀକ୍ଷା କରିବା ସମ୍ଭବ ନୁହେଁ। ଏହାର କୌଣସି ଉତ୍ତର ୟୁଜିସି ଦେଇ ନ ଥିବା ବେଳେ ଆଜି ଆଉ ଏକ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ।

ଅରୁଣ କୁମାର ସାହୁ ଲେଖିଥିବା ଚିଠିର ପ୍ରଥମ ପୃଷ୍ଠା


ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଗ୍ରାମାଞ୍ଚଳରେ ରହୁଛନ୍ତି । ଗରିବ ମଧ୍ୟବିତ୍ତ ଶ୍ରେଣୀର ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ଫୋନ, ଲାପଟପ ବା ଡେସ୍କଟପ୍‌ କମ୍ପୁଟର ନାହିଁ। ଏପରିକି ଇଣ୍ଟରନେଟର ମଧ୍ୟ ଘୋର ଅବ୍ୟବସ୍ଥା ରହିଛି। ଏଭଳି ସ୍ଥିତିରେ ଅନଲାଇନ ପରୀକ୍ଷା ସମ୍ଭବ ନୁହେଁ ।

ତା’ଛଡ଼ା ଅଧିକାଂଶ ଜିଲ୍ଲାରେ କରୋନା ଭାଇରସ୍‌ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଲକଡାଉନ ଓ ସଟଡାଉନ ସ୍ଥିତି ଉପୁଜିଛି, ଯାହାକୁ ନେଇ ଗମନାଗମନ ଅସୁବିଧା ମଧ୍ୟ ରହିଛି। ଏଣୁ କଲେଜ ସ୍ତରରେ ୨ ଲକ୍ଷ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ନେଇ ପରୀକ୍ଷା କରିବା ତାଙ୍କର ସ୍ୱାସ୍ଥ୍ୟବସ୍ଥା ସହ ଖେଳିବା ସହ ସମାନ ହେବ ବୋଲି ମନ୍ତ୍ରୀ ଅରୁଣ ସାହୁ ଚିଠିରେ ଲେଖିଛନ୍ତି । ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏଭଳି ସ୍ଥିତିରେ ଆଣି ପରୀକ୍ଷା କରିବା ଏକ କାଠିକାର ପାଠ । ଛାତ୍ରଛାତ୍ରୀଙ୍କୁ ନିଜ ଘରୁ ଆଣି ବାହାରେ ରଖି ପରୀକ୍ଷା କରାଇବା ରାଜ୍ୟ ସରକାରଙ୍କ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ମନ୍ତ୍ରୀ କହିଛନ୍ତି ।



ପୁଣି ବର୍ତ୍ତମାନ ଅଧିକାଂଶ ମହାବିଦ୍ୟାଳୟ କ୍ବାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରାଯାଉଥିବାରୁ ସେଠାରେ ପରୀକ୍ଷା କରିବାରେ ଏକ ପ୍ରକାର ରିସ୍କ ମଧ୍ୟ ରହିବ ବୋଲି କହିଛନ୍ତି ସାହୁ । ତେଣୁ ୟୁଜିସି ଓ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା କରିବା ନେଇ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ: ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟ୍: ‘‘ସରକାରଙ୍କ ସହ ପଙ୍ଗା ନେଲେ ସେ ତୁମ ବଞ୍ଚିବା ମୁସ୍କିଲ୍ କରିଦେବେ’’

ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା

ୟୁଜିସି ଯଦି ବିଳମ୍ବରେ ପରୀକ୍ଷା କରିବାକୁ କୁହେ ତେବେ ଲକ୍ଷାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ପଛରେ ପଡିଯିବେ। ତେଣୁ ବିକଳ୍ପ ବ୍ୟବସ୍ଥା ଅର୍ଥାତ ଗତ ସେମିଷ୍ଟର ଓ ଇଣ୍ଟରନାଲ ଆଧାରରେ ମୂଲ୍ୟାୟନ କରିବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ସାହୁ । ଏହା ଫଳରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ଫଳ ପ୍ରକାଶନରେ ସୁବିଧା ହୋଇପାରିବ ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: July 23, 2020, 9:09 PM IST
corona virus btn
corona virus btn
Loading