କରୋନାକୁ ସାବଧାନ ରୁହ, ତାସ୍ ଖେଳ ନାହିଁ, ଜଣଙ୍କର କାଶ ୧୯ ଫୁଟ୍‌ ଦୂର ଯାଏ: ସୁବ୍ରତୋ ବାଗଚୀ

ବିନା ଲକ୍ଷଣରେ ବି ଯେ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ପାରନ୍ତି । ତେଣୁ ସମସ୍ତେ ସାବଧାନ ରହି ସମାଜିକ ଦୂରତା ପାଳନ କରିବା ନିହାତି ଦରକାର ବୋଲି କହିଛନ୍ତି ରାଜ୍ୟର ସରକାରୀ ଅଧିକାରୀମାନେ ।

କରୋନାକୁ ସାବଧାନ ରୁହ, ତାସ୍ ଖେଳ ନାହିଁ, ଜଣଙ୍କର କାଶ ୧୯ ଫୁଟ୍‌ ଦୂର ଯାଏ: ସୁବ୍ରତୋ ବାଗଚୀ
ରାଜ୍ୟର କରୋନା ମୁକାବିଲା ସ୍ଥିତି ବିଷୟରେ କହୁଛନ୍ତି ସୂବ୍ରତୋ ବାଗଚୀ ।
  • News18 Odia
  • Last Updated: April 11, 2020, 7:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ମୋଟ ୫୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବାକି ଚିକିତ୍ସାଧୀନ ଅଛନ୍ତି । କରୋନା ଭାଇରସର ଭୟାବହତା ସମ୍ପର୍କରେ ସୂଚିତ କରାଇ ରାଜ୍ୟରେ ଏହି ମହାମାରୀର ମୁକାବିଲା ପାଇଁ ଗଠିତ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ଗ୍ରାମାଞ୍ଚଳର ଲୋକଙ୍କୁ ସାଙ୍ଗରେ ବସି ତାସ୍‌ ଆଦି ଖେଳ ନ ଖେଳିବାକୁ ଉପଦେଶ ଦେଇଛନ୍ତି ।

‘‘ସାମାଜିକ ଦୂରତାର ନିୟମକୁ କଡ଼ାକଡ଼ି ପାଳନ କଲେ ହିଁ ଆମେ କରୋନା ଭାଇରସ୍‌ ଜନିତ ସଙ୍କଟରୁ ମୁକ୍ତି ପାଇପାରିବା । ତେଣୁ ଲକଡାଉନରେ ସମୟ ବିତେଇବା ପାଇଁ ମିଳି ମିଶି ତାସ୍‌, ପଶା ଆଦି ଖେଳନ୍ତୁ ନାହିଁ… ଜଣଙ୍କର କାଶ ୧୯ ଫୁଟ୍‌ ଦୂର ଯାଏ । ଛିଙ୍କର ଜଳକଣା ୨୯ ଫୁଟ୍‌ ଦୂର ପର୍ଯ୍ୟନ୍ତ ଯାଏ । ଏ ସବୁ ଲୋକଙ୍କୁ ସଂକ୍ରମିତ କରିପାରେ,’’ ସେ କହିଛନ୍ତି ।

ଏବେ ଓଡ଼ିଶାରେ ୩୭ ଜଣ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ହସ୍ପିଟାଲରେ ରଖାଯିବା ଜରୁରୀ ହୋଇଥିବା ବେଳେ ବାକି ୩୫ ଜଣ ଆକ୍ରାନ୍ତଙ୍କଠାରେ ଥଣ୍ଡା, ଛିଙ୍କ ଓ କାଶ ଭଳି ଲକ୍ଷଣ ନାହିଁ ।

‘‘ଓଡ଼ିଶାରେ ୬୦ ବର୍ଷରୁ ଅଧିକ ବୟସର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଅଛି । ରାଜ୍ୟର ମୋଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୮ ପ୍ରତିଶତଙ୍କ ବୟସ ୬୦ରୁ ଅଧିକ । ସେଥି ପାଇଁ ରାଜ୍ୟରେ ଏ ଯାଏଁ କରୋନାର ସ୍ଥିତି ଚିନ୍ତାଜନକ ନୁହେଁ,’’ କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ରାଜ୍ୟରେ କୋଭିଡ-୧୯ର ମୁକବିଲା ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତାଲିମକୁ ଦୃଢ଼ୀଭୂତ କରାଯାଇଛି । ଏସ୍‌.ସି.ବି. କଟକର ୪୧୬ ଜଣ, ଏମ୍‌.କେ.ସି.ଜି. ବ୍ରହ୍ମପୁରର ୭୨ ଜଣ ଓ ୧,୬୦୦ ଆୟୁଷ ନିର୍ଦ୍ଦେଶାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି ବୋଲି ଜଣେଇଛନ୍ତି ଅଧିକାରୀମାନେ । ରାଜ୍ୟରେ ଚାରିଟି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟାପକ ଓ ତୃତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ ୯୦୬ ଜଣଙ୍କୁ ତାଲିମ ଦିଆଯାଇଛି । ଅପ୍ରେଲ ୧୦ ତାରିଖ ସୁଦ୍ଧା ୧ ଲକ୍ଷ ୧୦ ହଜାର ୨୭୯ ଜଣ ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ କୋଭିଡ ୧୯ ସମ୍ପର୍କିତ ମୌଳିକ ତାଲିମ ପ୍ରଦାନ କରାଯାଇଥିବା କହିଛନ୍ତି ମୁଖପାତ୍ର ସୁବ୍ରତ ବାଗଚି ।

ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପଞ୍ଜୀକୃତ ଶ୍ରମିକମାନଙ୍କୁ  ୧,୫୦୦ ଟଙ୍କାର ସହାୟତା ରାଶି ଘରକୁ ଘର ବଣ୍ଟା ଯାଇଛି ।  ଏହି ଟଙ୍କା ପାଇବ ପାଇଁ କୌଣସି ଦରଖାସ୍ତ ଦେବାର ଆବଶ୍ୟକତା ନାହିଁ । ଯଦି କୌଣସି ଦଲାଲ ଶୋଷଣ କରୁଥିବା ର ଅଭିଯୋଗ ହୁଏ ତେବେ ଆଇନ ଅନୁଯାୟୀ କଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସେ ।

ପଞ୍ଚାୟତି ରାଜ ବିଭାଗ କିଭଳି କରୋନାର ମୁକାବିଲା କରୁଛି ସେ ସ୍ପର୍କରେ ସୂଚନା ଦେଇ ବିଭାଗୀୟ ସଚିବ ଦେଓ ରଞ୍ଜନ କୁମାର ସିଂ କହିଛନ୍ତି ଯେ ଗ୍ରାମବାସୀମାନେ ଏକାଠି ହୋଇ ଏହାର ଲଢେ଼ଇ କରୁଛନ୍ତି ଓ ବେଶ୍‌ ସଚେତନ ଅଛନ୍ତି । ଗାଁକୁ ପ୍ରବେଶ କରିବା ମାତ୍ରେ ସାବୁନରେ ହାତ ଧୋଇ ଗାଁକୁ ପ୍ରବେଶ କରିବା ପାଇଁ ଲୋକେ କହୁଛନ୍ତି । ସରକାରଙ୍କ ବାର୍ତ୍ତା ଗାଁରେ ପହଞ୍ଚିଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରରେ ମିଟିଂ ହୋଇଥିଲା ।  ପାଖାପାଖି ଅଢେଇ ଲକ୍ଷ ଲୋକଙ୍କୁ କରୋନା ମୁକାବିଲା ନେଇ ତାଲିମ ଦିଆଯାଇଥିଲା । ସେହିପରି ପଞ୍ଚାୟତ ସ୍ତରରେ ଲୋକଙ୍କୁ  ସଚେତନ କରାଯାଇଛି ଓ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

‘‘ଗାଁ ଓ ଗରିବଙ୍କ ଉପରେ ସରକାରଙ୍କ ନଜର ରହିଛି । କରୋନା ସମୟରେ ସବୁ ଠୁ ବେଶୀ କ୍ଷତିଗ୍ରସ୍ତ ହୁଅନ୍ତି ଗରିବ ଲୋକେ । ସେଥି ପାଇଁ ଗାଁ ଓ ଗରିବଙ୍କ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଉଭୟ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ୟମ ଜାରି ରଖିଛନ୍ତି,’’ ସେ କହିଛନ୍ତି ।

ଗାଁରେ ସୁରକ୍ଷା ପାଇଁ ପଞ୍ଚାୟତ ପ୍ରତିନିଧି ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ଦୈନିକ ୩ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । କରୋନା ପ୍ରସ୍ତୁତି ପାଇଁ ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ମିଳିଛି ୫ ଲକ୍ଷ ଟଙ୍କା । ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମିଳିଛି ୧୦ ଲକ୍ଷ ଟଙ୍କା । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମାସ୍କ ବଣ୍ଟନ ଓ ବିକ୍ରି ହେଉଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇ ଏନ୍‌.ଏଚ୍‌.ଏମ୍‌.ର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ ଯେ ରାଜ୍ୟରେ ପଜିଟିଭ୍‌ ଚିହ୍ନଟ ହୋଇଥିବା ୮୦ ପ୍ରତିଶତ  ଆକ୍ରାନ୍ତ ଲକ୍ଷଣମୁକ୍ତ ଥିଲେ । ‘‘ବିନା ଲକ୍ଷଣରେ ବି ବ୍ୟକ୍ତି କୋରୋନା ଆକ୍ରାନ୍ତ ହୋଇପାରେ । ତେଣୁ ସମସ୍ତେ ସତର୍କ ରହିବାର ଆବଶ୍ୟକତା ଅଛି,’’ କହିଛନ୍ତି ପଣ୍ଡିତ ।
First published: April 11, 2020, 7:13 PM IST
corona virus btn
corona virus btn
Loading