ପରିଚୟ ପତ୍ର ନଥିଲେ ବି ମିଳିପାରିବ ଟିକା; ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଲେ

ଟିକା ପାଇଁ ପଞ୍ଜୀକରଣ କରିବାକୁ ହେଲେ ୭ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି । ହେଲେ ରାଜ୍ୟରେ ଏମିତି ବହୁ ବର୍ଗର ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ଏହି ପରିଚୟପତ୍ର ମଧ୍ୟରୁ କୌଣସିଟିଏ ବି ନାହିଁ ।

ପରିଚୟ ପତ୍ର ନଥିଲେ ବି ମିଳିପାରିବ ଟିକା; ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଲେ
ପରିଚୟ ପତ୍ର ନଥିଲେ ବି ମିଳିପାରିବ ଟିକା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ କରୋନାର ବଢ଼ୁଥିବା ଆକଳନ ଭୟାନକ ଅଟେ । କରୋନାଙ୍କ ଏହି ଯୁଦ୍ଧରେ ଟିକାକୁ ଏକ ବଡ଼ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ଏହି କ୍ରମରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପରିଚୟ ପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ ବୋଲି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପରିଚୟପତ୍ର ନ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇହେବ ସେଥିଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସେ ସମସ୍ତ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ଏସିଏସ୍‌ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ ଟିକା ପାଇଁ ପଞ୍ଜିକରଣ କରିବାକୁ ହେଲେ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି । ହେଲେ ରାଜ୍ୟରେ ଏମିତି ବହୁ ବର୍ଗର ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଏହି ପରିଚୟ ପତ୍ର ଗୁଡ଼ିକ ମଧ୍ୟରୁ କୌଣସିଟି ବି ନାହିଁ । କିନ୍ତୁ ସେମାନେ ବି କୋଭିଡ ସଂକ୍ରମିତ ହୋଇପାରନ୍ତି ।ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଓ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି । ଏହି ବର୍ଗର ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଏସିଏସ୍‌ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ପ୍ରଶାସନକୁ ଦୃଢ଼ ମନ୍ତ୍ର ଦେଇଛନ୍ତି । ମୁଖ୍ୟ ମନ୍ତ୍ରୀ ସ୍ୱାସ୍ଥ୍ୟ ସେବାରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ଏହା ସହ କୋଭିଡ଼ ପରିଚାଳନା କ୍ଷେତ୍ରରେ ମୁଖ୍ୟ ମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି ଓ ଘରୋଇ ହସ୍ପିଟାଲ ଗୁଡିକ ଯେମିତି ମନ ଇଚ୍ଛା ଦର ନ ନେବେ ତାଉପରେ ମଧ୍ୟ ନଜର ରଖିବା ସହ କୋଭିଡ଼ ସୁ ପରିଚାଳନା କରିବା ପାଇଁ ଦୃଢୋକ୍ତି ଦେଇଛନ୍ତି ।

ଏହା ସହ କୋଭିଡ ଚିକିତ୍ସା କରୁଥିବା ସମସ୍ତ ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖିବାକୁ କହିଛନ୍ତି । ବେସରକାରୀ ମେଡିକାଲ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ । ଯଦି ସେମାନେ ଏହା ନ କରନ୍ତି, ତେବେ ସଂପୃକ୍ତ ହସ୍‌ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି । ସେହିପରି ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ Testing, Tracing ଓ containmentକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିପରି କୋଭିଡ଼ ମହାମାରୀ ସୁପରିଚାଳନା ପାଇଁ ସାତସୂତ୍ରୀ ମନ୍ତ୍ର ପ୍ରଶାସନକୁ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ।

"ଟେଷ୍ଟିଂକୁ ଆମେ ବଢ଼ାଉଛୁ । ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଆରଟିପିସିଆର ଟେଷ୍ଟ ଲାବ୍ରୋଟୋରି ପ୍ରସ୍ତୁତ କରାଯିବ । ତେଣୁ ଆମର ଟେଷ୍ଟିଂ କାପାସିଟ ବଢ଼ୁଛି । ଆମେ ଟାର୍ଗେଟେଡ ସାମ୍ପଲିଙ୍ଗ କରୁଛୁ । ଯାହାର ଆବଶ୍ୟକ ତାହାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛୁ । ଜାତୀୟ ହାର ଠୁ ଆମର ଭଲ ସ୍ଥିତି ଅଛି । ମାତ୍ର ଆମ ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ଲକଡ଼ାଉନର ପ୍ରଭାବ ନିଶ୍ଚିତ ପଡିବ । ତୃତୀୟ ଲହର ସ୍ପେକୁଲେସନ ମାତ୍ର ଆମକୁ ସତର୍କ ରହି ଟ୍ରାନସମିସନ ଚେନ ବ୍ରେକ କରିବାକୁ ହେବ । ପ୍ରାଇଭେଟ ହସ୍ପିଟାଲ ଗୁଡିକୁ ଆମେ ତର୍ଜମା କରୁଛୁ । ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ସହ ଆଲୋଚନା ଚାଲିଛି । ସମ୍ପୂର୍ଣ୍ଣ ଭାବେ ଆମେ ତାଙ୍କ ଉପରେ ଦୃଷ୍ଟି ରଖିଛୁ ।" କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

"ବେସରକାରୀ କୋଭିଡ ଚିକିତ୍ସାଳୟ ପ୍ରତିଦିନ ରାଜ୍ୟ ସରକାରଙ୍କୁ ତଥ୍ଯ ପ୍ରଦାନ କରୁଛନ୍ତି.। ହସ୍ପିଟାଲ ମାନେ ଖର୍ଚ୍ଚ ଅନୁଯାୟୀ ଅର୍ଥ ନେଉଛନ୍ତି । କୋଭିଡ ରୋଗୀଙ୍କ ପାଇଁ ଅଧିକ ଖର୍ଚ୍ଚ ହେଉଛି । ଦିନକୁ ପ୍ରାୟ ଆଠ ହଜାର ଟଙ୍କା । ବେସରକାରୀ ହସ୍ପିଟାଲରେ ବର୍ତ୍ତମାନ ଦୁଇଟି ପ୍ରମୁଖ ସମସ୍ୟା ଦେଖା ଦେଉଛି । ଅକ୍ସିଜେନ ଅଛି ଓ ମିଳୁଛି, କିନ୍ତୁ ସିଲିଣ୍ଡର ମିଳୁ ନାହିଁ । ବର୍ତ୍ତମାନ ଆମର ବହୁତ୍ ଅକ୍ସିଜେନ ଦରକାର ହେଉଛି । ବେସରକାରୀ ହସ୍ପିଟାଲରେ ନିୟମିତ ବ୍ୟବଧାନରେ କର୍ମଚାରୀ ମାନେ ସଂକ୍ରମିତ ହେଉଛନ୍ତି । ଫଳରେ କର୍ମଚାରୀ ସମସ୍ୟା ଦେଖା ଦେଉଛି । ମୁଖ୍ୟ ମନ୍ତ୍ରୀ କେଉଁଠି ଶୁଣିଲେ ଅଧିକ ଟଙ୍କା ନିଆଯାଉଛି ବୋଲି ଆମେ ଜାଣିନୁ । ଆମେ କିନ୍ତୁ କେବେ ଅଧିକ ଟଙ୍କା ନେବା କଥା ଭାବିନୁ ।ଆମ ଆସୋସିଏସନ ପକ୍ଷରୁ ସମସ୍ତଙ୍କୁ କୁହା ଯାଇଛି ନିୟମ ମୁତାବକ ଟଙ୍କା ନେବା ପାଇଁ," କହିଛନ୍ତି ଓଡିଶା ରାଜ୍ୟ ବେସରକାରୀ ଡାକ୍ତରଖାନା ସଂଘ ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା ।
Published by: Jagdish Barik
First published: May 13, 2021, 6:15 PM IST