News18 Odia Digital
ଭୁବନେଶ୍ୱର: କରୋନା ଭାଇରସ୍ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ଯୋଗୁଁ ସ୍କୁଲ ଓ କଲେଜ ସବୁ ବନ୍ଦ ରହିଛି । ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ ହୋଇଥିବା ବେଳେ ଏ ଭଳି ଘଡ଼ିସନ୍ଧି ସମୟରେ ଅଭିଭାବକମାନଙ୍କୁ ବେସରକାରୀ ସ୍କୁଲଗୁଡ଼ିକ ଲୁଟ କରି ଚାଲିଛନ୍ତି ବୋଲି ରାଜ୍ୟ କଂଗ୍ରେସ କହିଛି ।
ସରକାର ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଗରିବ ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି, ଧନୀ ଲୋକଙ୍କ ପାଇଁ ଟିକସ ବି ଛାଡ଼ ହୋଇଛି ଓ ମଦ ଉପରେ ବି ସେସ୍ କମେଇଛନ୍ତି । କିନ୍ତୁ ସରକାର ଅଭାବୀ ଅଭିଭାବକଙ୍କ କଥା ଚିନ୍ତା କରୁନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି।
‘‘ସାରା ରାଜ୍ୟରେ ଏବେ ବେସରକାରୀ ସ୍କୁଲଗୁଡ଼ିକର ଚାପରେ ଅଭିଭାବକମାନେ ଚେପା ହୋଇଯାଇଛନ୍ତି । କରୋନା ପାଇଁ କେତେକ ଅଭିଭାବକଙ୍କର ଚାକିରୀ ପଳେଇଲାଣି, ସଟର ବନ୍ଦ ଥିବାରୁ ବ୍ୟବସାୟିକ କାରବାର ବି ଠପ ହୋଇଯାଇଛି । ଏଭଳି ସ୍ଥିତିରେ ଘର ଚଳାଇବା ବି ମୁସ୍କିଲ ହୋଇଗଲାଣି । ଗରିବ ହୁଅନ୍ତୁ କି ମଧ୍ୟବିତ୍ତ, ସମସ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କିନ୍ତୁ ବେସରକାରୀ ସ୍କୁଲଗୁଡ଼ିକର ଟଙ୍କା ନିଶା ଛାଡୁନାହିଁ,’’ କହିଛନ୍ତି କଂଗ୍ରେସ ନେତା ମାନସ ଚୌଧୁରୀ ।
କେତେକ ସ୍କୁଲ କେବଳ ଟ୍ୟୁସନ ଫି’ ନୁହେଁ, ବରଂ ଡେ ବୋର୍ଡ଼ିଂ ଚାର୍ଜ ଠାରୁ ଆରମ୍ଭ କରି ଫୁଡିଂ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି ବୋଲି ସେ କହିଛନ୍ତି । ‘‘ସ୍କୁଲ ବନ୍ଦ ଥିବାରୁ ପିଲା ତ ସ୍କୁଲ ଯାଉନାହାନ୍ତି । ତେଣୁ ଖାଇବା ଟଙ୍କା କାହିଁକି ଦେବେ? ଡେ ବୋର୍ଡ଼ିଂ ଟଙ୍କା କାହିଁକି ଦେବେ ? ଭିତ୍ତିଭୂମି ବିକାଶ ପାଇଁ ଟଙ୍କା କାହିଁକି ଦେବେ? ଘରେ ବସିବସି ବେସରକାରୀ ସ୍କୁଲଗୁଡ଼ିକ ଏବେ ମୋଟା ଅଙ୍କର ଟଙ୍କା ଗୋଟାଇବାରେ ଲାଗିଛନ୍ତି । ଏଭଳି ପଇସାଖିଆ ଘରୋଇ ସ୍କୁଲ ବିରୋଧରେ ନବୀନ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? ଖାଲି ଫିସ ଛାଡ଼ କରିବାକୁ ଅନୁରୋଧ କଲେ ଚଳିବ ନାହିଁ, ସେମାନଙ୍କୁ ନିର୍ଦ୍ଦେଶ ଦେବା ଦରକାର,’’ କହିଛନ୍ତି ଚୌଧୁରୀ ।

ଫି ନିର୍ଦ୍ଧାରଣ କମିଟି ଦେଇଥିବା ସୁପାରିଶକୁ ଲାଗୁ କରାଯାଉ ବୋଲି କଂଗ୍ରେସ ଦାବି କରିଛି।
କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି: ‘‘ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ସାଇ ଇଣ୍ଟରନାସନାଲ ସ୍କୁଲର ଉଦାହରଣ ନିଆଯାଉ । ସେଇ ସ୍କୁଲର ମାଲିକ ଏବେ ସରକାରଙ୍କ ଉପଦେଷ୍ଟା ସାଜିଛନ୍ତି । କିନ୍ତୁ ସେଠାରେ ଅଭିଭାବକମାନଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି । ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ପୋଲିସ କେଶ ବି କରାଯିବାର ନଜିର ରହିଛି ।’’
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକଙ୍କ ସହିତ ରଶ୍ମି ମହାପାତ୍ର, ରାଜୀବ ପଟ୍ଟନାୟକ, ବିଶ୍ୱଜିତ ଦାଶ, ନାସିର ନୱାଜ, ଅଶୋକ ଦାଶ ଓ ଆଶିଷ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି ଯେ ବେସରକାରୀ ସ୍କୁଲଗୁଡ଼ିକରେ ଫି ନିର୍ଦ୍ଧାରଣ କମିଟି ଦେଇଥିବା ସୁପାରିଶକୁ ଲାଗୁ କରାଯାଉ । ବେଆଇନ ଭାବେ ବିଭିନ୍ନ ଫିସ ଲାଗୁ କରୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ଶିକ୍ଷାକୁ ଏକ ଜରୁରୀ ସେବା ଭାବେ ଗ୍ରହଣ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି ।
‘‘ଶିକ୍ଷାକୁ ବ୍ୟବସାୟ କରି ଶୋଷଣ କରୁଥିବା ସ୍କୁଲ୍ ମାଲିକମାନଙ୍କୁ କଠୋର ଦଣ୍ଡ ଦେବା ଦରକାର । କରୋନା ସମୟରେ ଘରୋଇ ସ୍କୁଲଗୁଡ଼ିକ ମନ ଇଚ୍ଛା ଟଙ୍କା ଆଦାୟ ନ କରନ୍ତୁ । ‘ନୋ ସ୍କୁଲ ନୋ ଫି’ ନ୍ୟାୟରେ ସେମାନେ ଅଭିଭାବକମାନଙ୍କୁ ଶୋଷଣ କରିବାରୁ ନିବୃତ ରୁହନ୍ତୁ । ଘରୋଇ ସ୍କୁଲଗୁଡ଼ିକରେ ୨୫% ଗରିବ ଓ ଅବହେଳିତ ବର୍ଗର ପିଲାମାନେ ଯେଭଳି ପାଠ ପଢ଼ିବେ ତାହା ସୁନିଶ୍ଚିତ କରାଯାଉ । ଅନେକ ସମୟରେ ମିଛ କହି ଘରୋଇ ସ୍କୁଲଗୁଡ଼ିକ ସରକାରଙ୍କୁ ଠକୁଛନ୍ତି । ସେହି ମାଲିକମାନଙ୍କୁ ଗିରଫ କରିବା ସହ ସ୍କୁଲରୁ ସ୍ୱୀକୃତି ପ୍ରତ୍ୟାହାର କରିବା ଦରକାର,’’ କହିଛନ୍ତି ସତ୍ୟ ପ୍ରକାଶ ନାୟକ ।
ଏହା ବି ପଢ଼ନ୍ତୁ | ଖୋର୍ଦ୍ଧା SP କରୋନା ଆକ୍ରାନ୍ତ ହେଲେ; ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା
ଏହା ବି ପଢ଼ନ୍ତୁ | ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱୀକାର କଲା ଯେ ଭାରତୀୟ ଅଞ୍ଚଳରେ ଚୀନ୍ ସେନା ଅନୁପ୍ରବେଶ କରିଛି
ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୨୫% ସିଟ ଅବହେଳିତ ଶ୍ରେଣୀ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲେବି ସିଟ ବିକା ଯାଉଥିବାର ନଜିର ରହିଛି ବୋଲି କହିଛନ୍ତି କଂଗ୍ରେସ ନେତାମାନେ । ଏ ନେଇ କୋର୍ଟରେ ବି ମାମଲା ହୋଇଛି । ବିନା ଏନଓସିରେ ଚାଲିଥିବା ସ୍କୁଲଗୁଡ଼ିକ ଉପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
‘‘ବେସରକାରୀ ସ୍କୁଲଗୁଡ଼ିକର ଏଭଳି ବେଆଇନ ଓ ଅମାନବୀୟ କାର୍ଯ୍ୟ ସମ୍ପର୍କରେ ସରକାର ଜାଣିଛନ୍ତି କି ନାହିଁ? ଯଦି ଜାଣିଛନ୍ତି ତେବେ ଚୁପ କାହିଁକି ଅଛନ୍ତି? ବିଜେଡ଼ି ନେତାମାନେ ସେମାନଙ୍କ ଠାରୁ ଚାନ୍ଦା ନେଇ ସୁରକ୍ଷା ଦେଉଛନ୍ତି କି? ଏହାର ଜବାବ ସରକାର ଦେବା ଦରକାର,’’ କହିଛନ୍ତି ସତ୍ୟ ପ୍ରକାଶ ନାୟକ । ତେବେ ଏ ନେଇ ସରକାର କି ଘରୋଇ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନେ କିଛି କହିବାକୁ ମନା କରିଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।