‘‘ରଥ ଯାତ୍ରାକୁ ନେଇ ସରକାର ଷଡ଼ଯନ୍ତ୍ର କରିଥିଲେ; ଆଇନ ମନ୍ତ୍ରୀ ଓ AGଙ୍କୁ ହଟାଯାଉ’’: କଂଗ୍ରେସ

ରଥ ଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ‘‘ଭୟଙ୍କର ଷଡ଼ଯନ୍ତ୍ର’’ ରଚିଥିଲେ ଓ ଅଦାଲତଙ୍କ ଆଢୁଆଳରେ ଏକ ନିର୍ଦ୍ଦିଷ୍ଟ ଏନଜିଓ ସହ ‘‘ଭିତିରିଆ ଫିକ୍ସିଂ’’ କରିଥିଲେ ବୋଲି ଅଭିଯୋଗ କରିଛି କଂଗ୍ରେସ । ଶାସକ ଦଳ ବିଜେଡି ଏହି ଅଭିଯୋଗକୁ ଆଧାରହୀନ ବୋଲି କହିଛି ।

‘‘ରଥ ଯାତ୍ରାକୁ ନେଇ ସରକାର ଷଡ଼ଯନ୍ତ୍ର କରିଥିଲେ; ଆଇନ ମନ୍ତ୍ରୀ ଓ AGଙ୍କୁ ହଟାଯାଉ’’: କଂଗ୍ରେସ
କୋଭିଡ୍ କଟକଣା ଯୋଗୁଁ ଏ ବର୍ଷ ରଥ ଯାତ୍ରା ବିନା ଭକ୍ତରେ କରାଯାଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରଥ ଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ‘‘ଭୟଙ୍କର ଷଡ଼ଯନ୍ତ୍ର’’ ରଚିଥିଲେ ଓ ଏପରିକି ଅଦାଲତଙ୍କ ଆଢୁଆଳରେ ଏକ ନିର୍ଦ୍ଦିଷ୍ଟ ଏନଜିଓ ସହ ‘‘ଭିତିରିଆ ଫିକ୍ସିଂ’’ କରିଥିଲେ ବୋଲି ଅଭିଯୋଗ କରି ରାଜ୍ୟର ଆଇନ ମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ବୟାନ ଏହି ଅଭିଯୋଗକୁ ପ୍ରମାଣିତ କରୁଛି ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି ।

‘‘ପୁରୀ ଗଜପତି ମହାରାଜ ସ୍ପଷ୍ଟ ଭାବେ କହିଛନ୍ତି ଯେ ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିସା ନିଯୋଗର କଥା କହି ନ ଥିଲେ । ନବୀନବାବୁଙ୍କ ସରକାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ପିଟିସନକାରୀ ଏନଜିଓଙ୍କ ଓକିଲଙ୍କ କଥା କହିଥିଲେ । ଏହା ସମସ୍ତଙ୍କୁ ହତବାକ କରିଦେଇଥିଲା ବୋଲି ଗଜପତି କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ କୋଟି କୋଟି ଓଡ଼ିଆ ଓ ଶ୍ରୀ ଜଗନ୍ନାଥପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର,’’ କହିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

ଗଜପତି ମହାରାଜ କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହନ୍ତି, ସିଏ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ । ‘‘ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନିଯାୟୀ ତାଙ୍କର ନିଷ୍ପତ୍ତି ଚୂଡ଼ାନ୍ତ, ଅଥଚ ରାଜ୍ୟ ସରକାର ତାଙ୍କର ତିନି ତିନିଟା ଚିଠିର ଉତ୍ତର ମଧ୍ୟ ଦେଇନାହାନ୍ତି । ଏ ଘଟଣାରୁ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଓ ଆଇନ ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରରେ ଆସିଛି । ତେଣୁ ପ୍ରଦେଶ କଂଗ୍ରେସ ଦାବି କରୁଛି ଯେ ଯଦି ନବୀନବାବୁ ମିଳିତଭାବେ ଏହି ଷଡ଼ଯନ୍ତ୍ର ରଚି ନାହାନ୍ତି ତେବେ ଆଡଭୋକେଟ ଜେନେରାଲଙ୍କୁ ବହିଷ୍କାର କରନ୍ତୁ ଓ ଆଇନ ମନ୍ତ୍ରୀଙ୍କୁ ତୁରନ୍ତ ପଦବୀରୁ ହଟାନ୍ତୁ,’’ କହିଛନ୍ତି ନାୟକ ।

ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।


ଆଡଭୋକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା । ‘‘ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ସହ ଓଡିଶା ସରକାରଙ୍କ ଓକିଲ ହରିଷ ସାଲଭେ ଯେଭଳି ଭାବରେ  ହଁ ରେ ହଁ ମାରିଲେ, ଏ ବାବଦରେ ହରିଷ ସାଲଭେଙ୍କୁ କିଏ ବ୍ରିଫିଙ୍ଗ କରିଥିଲେ? ଆଡଭୋକେଟ ଜେନେରାଲ ମହୋଦୟ କାହା ପାଇଁ ସୁପ୍ରିମ କୋର୍ଟ ଯାଇଥିଲେ?’’ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

ହାଇ କୋର୍ଟ ରଥ ଯାତ୍ରା ନେଇ ନିଷ୍ପତ୍ତି ନେବା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଛାଡ଼ିବା ପରେ କିଏ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ଚୁପ ବସି ପଡିବା ପାଇଁ ବୋଲି କଂଗ୍ରେସ ପଚାରିଛି । ନାୟକ କହିଛନ୍ତି ଯେ କଂଗ୍ରେସ ପ୍ରଥମରୁ କହିଆସୁଥିଲା ରଥ ଯାତ୍ରା ହେଉ ବୋଲି । ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ । ପୁରୀ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ଦାଶ ହାଇ କୋର୍ଟରୁ ସୁପ୍ରିମ କୋର୍ଟଙ୍କ ଶେଷ ଶୁଣାଣି ପର୍ଯ୍ୟନ୍ତ ଯାଇଥିଲେ ବୋଲି ସେ କହିଛନ୍ତି ।

ହେଲେ ଶାସକ ଦଳ ବିଜେଡିର ନେତାମାନେ ଏହି ସମସ୍ତ ଅଭିଯୋଗକୁ ନିରାଧାର ଓ ରାଜନୀତି-ପ୍ରେରିତ ବୋଲି କହିଛନ୍ତି ।
First published: June 28, 2020, 5:04 PM IST
corona virus btn
corona virus btn
Loading