କରୋନା: ବେଶୀ ସତର୍କ ହେଲେ ନବୀନ ସରକାର, ଜନଗଣନା ସ୍ଥଗିତ କରିବାକୁ ମୋଦିଙ୍କୁ ଲେଖିଲେ

ରାଜ୍ୟରେ ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ଯାଏ ୪୫ ଦିନ ମଧ୍ୟରେ ଜନଗଣନା ହେବାର ଥିଲା । ଏବେ କରୋନା ଭୂତାଣୁ ଯୋଗୁଁ ସମଗ୍ର ରାଜ୍ୟ ପ୍ରଶାସନ ଏହାର ମୁକାବିଲା ଦିଗରେ ଲାଗିଥିବାରୁ ଜନଗଣନା ପ୍ରସ୍ତାବ ଉପରେ ସାନି ବିଚାର କରିବା ଲାଗି ମୁଖ୍ୟ ମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

କରୋନା: ବେଶୀ ସତର୍କ ହେଲେ ନବୀନ ସରକାର, ଜନଗଣନା ସ୍ଥଗିତ କରିବାକୁ ମୋଦିଙ୍କୁ ଲେଖିଲେ
ନବୀନ ପଟ୍ଟନାୟକ ଓ (ଡାହାଣ) ନରେନ୍ଦ୍ର ମୋଦି
  • News18 Odia
  • Last Updated: March 20, 2020, 4:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସର ଦ୍ୱିତୀୟ ପଜିଟିଭ୍‌ ମାମଲା କାଲି ରାତିରେ ସାମନାକୁ ଆସିବା ପରେ ରାଜ୍ୟ ସରକାର ଅଧିକ ସତର୍କତା ଅବଲମ୍ବନ କରିବାର ନିଷ୍ପତ୍ତି କରି ଆହୁରି କେତେକ ନୂଆ କଟକଣା ଲାଗୁ କରିଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କରୋନା ଭାଇରସ କାରଣରୁ ଜନଗଣନା ପ୍ରକ୍ରିୟା ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ।

ଚିଠିରେ ପଟ୍ଟନାୟକ ଲେଖିଛନ୍ତି ଯେ କରୋନା ଭାଇରସର ମୁକାବିଲା ପାଇଁ ଓଡ଼ିଶାରେ ଯଥେଷ୍ଟ କର୍ମଚାରୀ ମୁତୟନ ହୋଇଛନ୍ତି । ଏ ସମୟରେ ଜନଗଣନା ହେଲେ କରୋନା ଭାଇରସର ମୁକାବିଲା ବାଧାପ୍ରାପ୍ତ ହେବ । ଏହା ସହ ଜନଗଣନା କର୍ମୀମାନେ କ୍ଷେତ୍ର ପରିଦର୍ଶନ କରିବା ବେଳେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଥିବା ଚିଠିରେ ଲେଖିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଘରୱାରି ସର୍ଭେ, ଘର ଗଣନା ଓ ଜନସଂଖ୍ୟା ରେଜିଷ୍ଟର ଅପଡେଟ କରିବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥି ପାଇଁ ରାଜ୍ୟରେ ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ଯାଏ ଜନଗଣନା କରିବା ଲାଗି ସରକାର ସ୍ଥିର କରିଥିଲେ । ଏହି ୪୫ ଦିନ ମଧ୍ୟରେ ରାଜ୍ୟରେ ସର୍ଭେ କରିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିଲା । ତେବେ କରୋନା ଭୂତାଣୁ ଯୋଗୁଁ ସମଗ୍ର ରାଜ୍ୟ ପ୍ରଶାସନ ଏହାର ମୁକାବିଲା ଦିଗରେ ଲାଗିଛନ୍ତି । ବିପତ୍ତିରୁ ରକ୍ଷା ପାଇବା ଲାଗି ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି । ତେଣୁ ଜନଗଣନା ପ୍ରସ୍ତାବ ନେଇ ସାନି ବିଚାର କରିବା ଲାଗି ପତ୍ରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।

ଏ ପର୍ଯ୍ୟନ୍ତ ମାତ୍ର ଗୋଟେ କରୋନା ଭାଇରସ୍‌ ପଜିଟିଭ୍‌ ମାମଲା ଅଛି ଓ ସେହି ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଆସୁଛନ୍ତି ବୋଲି ଆଶ୍ୱସ୍ତ ଥିବା ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ କେତେକ ନମୂନାର ପରୀକ୍ଷାରେ ଏହି ଦ୍ୱିତୀୟ ମାମଲାଟି ଜଣା ପଡ଼ିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ।

ଏହି କରୋନା ପଜିଟିଭ୍‌ ବ୍ୟକ୍ତି ଜଣକ କରୋନା ଭାଇରସ୍‌ ବ୍ୟାପିଥିବା ଦେଶରୁ ଫେରିଥିବା ଜଣାଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ରାଜ୍ୟ ପାଇଁ ଚିନ୍ତା ବଢ଼ିଛି ।

‘‘ଭୁବନେଶ୍ୱରରେ ଥିବା ଆର.ଏମ.ଆର.ସି. (RMRC)ରେ ପରୀକ୍ଷା ହୋଇଥିବା ୧୪ଟି ନୂଆ ନମୂନା ମଧ୍ୟରୁ ଆଜି ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛି । ଏହି ଦ୍ୱିତୀୟ ବ୍ୟକ୍ତି ଏକ କୋଭିଡ୍‌ ୧୯ ଦେଶକୁ ଯାଇ ଫେରିଥିଲେ । ପ୍ରଥମ ପଜିଟିଭ୍‌ ବ୍ୟକ୍ତି ଜଣକ ଏବେ ସୁସ୍ଥ ହୋଇଆସୁଛନ୍ତି,’’ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କରୋନା ଭାଇରସର ପ୍ରସାର ରୋକିବା ପାଇଁ ଓଡ଼ିଶା ସରକାର ଗତ ସପ୍ତାହେ ହେଲା ଅନେକ ପଦକ୍ଷେପ ନେଇଛନ୍ତି । ବିଦେଶ ଗସ୍ତରୁ ଫେରିଥିବା ଭାରତୀୟମାନଙ୍କୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦେଇ କରୋନା ଭାଇରସ୍‌ ସଂକ୍ରମଣ ବିଷୟରେ ଘୋଷଣା କରିବାକୁ ଉତ୍ସାହିତ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ହୋଇଛି ।
First published: March 20, 2020, 4:13 PM IST