News18 Odia Digital
ଭୁବନେଶ୍ୱର: ଗତ ଦଶ ଦିନ ଭିତରେ ରାଜ୍ୟରେ କରୋନା ଭାଇରସ୍ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇଥିବାରୁ ରାଜ୍ୟବାସୀଙ୍କୁ ଅଧିକ ସତର୍କ ରହି ଏହି ବିପଦର ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରୁ ଓଡ଼ିଶା ଫେରିବା ଆରମ୍ଭ କରିଥିବା ପ୍ରବାସୀ ଓଡ଼ିଆମାନଙ୍କର ଯତ୍ନ ନେବା ପାଇଁ ଓ ସଂକ୍ରମଣ ରୋକିବାରେ ସରକାରଙ୍କୁ ସହଯୋଗ କରିବା ପାଇଁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।
‘‘ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ infected ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ସମସ୍ତେ ଆମର ପିଲାଛୁଆ । ଆମ ଭାଇଭଉଣୀ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ଆପଣମାନେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ,’’ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ପଟ୍ଟନାୟକ ।
ଓଡ଼ିଶା ପାଇଁ ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା ପ୍ରଥମ ଚ୍ୟାଲେଞ୍ଜ ଥିଲା ବୋଲି କହି ସେ କହିଛନ୍ତି ଯେ ଓଡିଶା ପ୍ରଥମ ରାଜ୍ୟ ଯିଏ ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା । ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଥିଲେ ଓ ଲୋକେ ସହଯୋଗ କରିବାରୁ ରାଜ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲା ବୋଲି ସେ କହିଛନ୍ତି ।

ଗୁଜରାଟର ସୁରତରୁ ପ୍ରବାସୀ ଓଡ଼ିଆ ଆଠଟି ବସରେ ଫେରୁଛନ୍ତି ।
ତା’ ପର ଚ୍ୟାଲେଞ୍ଜ ଥିଲା ନିଜାମୁଦିନ୍ରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍ ଭାବରେ ଯତ୍ନ ନେବା । ସେ ପୁଣି ଥରେ ଲୋକଙ୍କୁ ଅନୁରୋଧ କରିଥିଲେ ଓ ଲୋକେ ସହଯୋଗ କରିବାରୁ ସରକାର ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ବୋଲି ସେ କହିଛନ୍ତି ।
‘‘ଏବେ ଆମର ତୃତୀୟ ଆହ୍ବାନ ହେଉଛି ପଶ୍ଚିମ ବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ । ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି,’’ କହିଛନ୍ତି ପଟ୍ଟନାୟକ ।

ଲକଡାଉନରେ ଭୁବନେଶ୍ୱରର ଏକ ଫାଙ୍କା ରାସ୍ତା
ରାଜ୍ୟବାସୀଙ୍କୁ ସାବଧାନ ରହିବା ପାଇଁ କହି ସେ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି । ‘‘ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା ଓ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା । ଏହା ଦ୍ବାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।
‘‘ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୂରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ,’’ କହିଛନ୍ତି ପଟ୍ଟନାୟକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।