କରୋନା ଭାଇରସ: ରାଜ୍ୟର ସବୁ ସ୍କୁଲ୍, କଲେଜ, ସିନେମା ହଲ୍ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ
ଏହି ଭୟଙ୍କର ମହାମାରୀକୁ ‘ରାଜ୍ୟ ବିପର୍ଯ୍ୟୟ’ ଘୋଷଣା କରି ରାଜ୍ୟରେ ଏହାର ପ୍ରତିକାର ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଧାର୍ମିକ ସମାବେଶ, ବିବାହ ଭୋଜି, ପାର୍ଟି ଆଦି ସାମାଜିକ ସମାବେଶ ଉପରେ ନଜର ରଖିବାକୁ ସ୍ଥାନୀୟ କତୃପକ୍ଷଙ୍କୁ କୁହାଯାଇଛି ।

କଟକ ବଡ଼ ମେଡିକାଲ୍ରେ ଗତ ମାସ କେନ୍ଦ୍ରୀୟ ଟିମ୍ର ସଦସ୍ୟମାନେ ନୀରିକ୍ଷଣ କରୁଛନ୍ତି । (ଫାଇଲ୍ ଫଟୋ)
- News18 Odia
- Last Updated: March 13, 2020, 4:28 PM IST
ଭୁବନେଶ୍ବର: କରୋନା ଭାଇରସକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ମହାମାରୀ ବୋଲି ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଯଥା ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ସିନେମା ହଲ ଏବଂ ସୁଇମିଙ୍ଗ ପୁଲକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କ୍ୟାବିନେଟ ବୈଠକ ପରେ ବିଧାନ ସଭାରେ କରୋନା ଭାଇରସ (ସିଓଭିଆଇଡି-୧୯)କୁ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ, ୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭୟଙ୍କର ମହାମାରୀକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବାରେ ପ୍ରଥମ ରାଜ୍ୟ ହୋଇଛି ଓଡ଼ିଶା । କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ସମସ୍ତ ସରକାରୀ ଅଫିସରମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ମୁଖ୍ୟ ମନ୍ତ୍ରୀ ରାଜ୍ୟରେ କରୋନା ଭାଇରସର ମୁକାବିଲା କରିବା ପାଇଁ ୨୦୦ କୋଟି ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି । କରୋନାର ପ୍ରତିକାର ପାଇଁ ଆବଶ୍ୟକୀୟ ପନ୍ଥା, ଜନସାସାଧାରଣଙ୍କ ସ୍ବାସ୍ଥ୍ୟ ଯତ୍ନ ତଥା ଏହି ମହାମାରୀର ବିସ୍ତାରକୁ ରୋକିବା ପାଇଁ ସମସ୍ତ ଦିଗରେ ଏହି ପାଣ୍ଯି ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ପଟ୍ଟନାୟକ ।
ଓଡ଼ିଶାରେ ଧାର୍ମିକ ସମାବେଶ, ବିବାହ ଭୋଜି, ପାର୍ଟି ଭଳି ସାମାଜିକ ସମାବେଶ ତଥା ସଭାଗୁଡିକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ନିୟନ୍ତ୍ରିତ ହେବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି ।
ଏପର୍ଯ୍ୟନ୍ତ ଓଡ଼ିଶାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିକାରତ୍ମକ ପନ୍ଥା ଗ୍ରହଣ କରାଯାଇଛି । ସମସ୍ତ ସରକାରୀ ଅଫିସର, ମନ୍ତ୍ରୀ ଏବଂ ଜନସାଧାରଣଙ୍କୁ ଆବଶ୍ୟକତା ନ ଥିଲେ ବିଦେଶ ଯାତ୍ରା ନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ କିଛି ବ୍ୟକ୍ତି ୟେସ ବ୍ୟାଙ୍କ ଦୁର୍ନୀତିରୁ ଲୋକଙ୍କ ନଜର ହଟାଇବା ପାଇଁ ସରକାର ଏଭଳି ଘୋଷଣା କରିଥିବା କହୁଛନ୍ତି । ଅନ୍ୟ କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରତିକାରତ୍ମକ ପନ୍ଥାକୁ ପ୍ରସଂଶା କରିଛନ୍ତି ।
ଏଡ଼ିଶାରେ ଏବେ ସୁଦ୍ଧା ୧୬ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୧୪ଟିରେ ନେଗେଟିଭ୍ ଆସିଥିବା ବେଳେ ଦୁଇଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଓଡ଼ିଶାର କେବଳ ଭୁବନେଶ୍ବର ଆରଏମଆରସିରେ ଦିନକୁ ୨୦ଟି ନମୂନା ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ କରୋନା ଆକ୍ରାନ୍ତ ବା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ, ଭୁବନେଶ୍ବର ଏଆଇଆଇଏମଏସ ଏବଂ କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟରେ ଥିବା ଅନ୍ୟ ପ୍ରମୁଖ ମେଡିକାଲ କଲେଜ, ପ୍ରମୁଖ ସରକାରୀ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି
ଆବଶ୍ୟକ ନ ପଡିଲେ ଗହଳୀ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ଏବଂ ସାନିଟାଇଜର କଳାବଜାରୀ ରୋକିବା ପାଇଁ ଜିଲାପାଳମାନେ ଡ୍ରଗ କଣ୍ଟ୍ରୋଲରମାନଭ୍କୁ ଆହ୍ବାନ ଦିଆଯାଇଛି ।
ଭାରତରେ କରୋନା ପଜିଟିଭ୍ ସଂଖ୍ୟା ୭୪ ଟିପିଥିବା ବେଳେ ସରକାରଙ୍କ ପକ୍ଷରୁ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ ଭିସାକୁ ସ୍ଥଗିତ ରଖାଯଆଇଛି । କୂଟନୈତିକ, ସରକାରୀ, ଜାତିସଂଘ, ନିଯୁକ୍ତି, ପ୍ରକଳ୍ପକୁ ବାଦ ଦେଲେ ଅନ୍ୟ ସମସ୍ତ ଭିସା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ରହିଛି । ଏଥି ସହିତ ଇଟାଲୀ, ଜର୍ମାନୀ, ଚାଇନା, ଇରାନ, ଦକ୍ଷିଣ କୋରିଆ ଜାପାନ, ସ୍ପେନରୁ ଫେରୁଥିବା ସମସ୍ତ ଭାରତୀୟ ଏବଂ ବିଦେଶୀମାନଙ୍କୁ ୧୪ ଦିନ ଯାଏ କ୍ବାରାଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।