By-election: କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ; କରାଯାଇଛି ଅଭୂତପୂର୍ବ ବ୍ୟବସ୍ଥା

ସବୁ ଭୋଟରଙ୍କ ସ୍କ୍ରିନିଂ କରାଯାଇ କୌଣସି ଲକ୍ଷଣ ନ ଥିବା ନାଗରିକଙ୍କୁ ମତଦାନ ପାଇଁ ଅନୁମତି ମିଳିବ । ସ୍କ୍ରିନିଂ ସମୟରେ ଅଧିକ ତାପମାତ୍ର କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖାଗଲେ ଟୋକନ ଦିଆଯିବା ସହ ସେମାନଙ୍କୁ ଶେଷ ଘଣ୍ଟାରେ ଭୋଟ ଦେବାପାଇଁ ଅନୁମତି ଦିଆଯିବ ।

By-election: କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ; କରାଯାଇଛି ଅଭୂତପୂର୍ବ ବ୍ୟବସ୍ଥା
କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ଉପ-ନିର୍ବାଚନ
  • News18 Odia
  • Last Updated: November 2, 2020, 9:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କରୋନା ମହାମରୀ ଭିତରେ ଅନୁଷ୍ଠିତ ହେବାକୁ ଯାଉଛି ଉପ-ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ସୁରକ୍ଷିତ ନିର୍ବାଚନ ପାଇଁ ପ୍ରଶାସନ ମଧ୍ୟ ଅଣ୍ଟା ଭିଡ଼ିଛି । ପୋଲିଂ ଅଧିକାରୀ ମାନଙ୍କୁ ସ୍କ୍ରିନିଂ କରି କେବଳ ସୁସ୍ଥ ଅଫିସରଙ୍କୁ ପରିଚାଳନା ଦାୟୀତ୍ୱ ଦିଆଯାଇଛି । ଭୋଟରଙ୍କ ପାଇଁ ବି ସମାନ ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ସବୁ ଭୋଟରଙ୍କ ସ୍କ୍ରିନିଂ କରାଯାଇ କୌଣସି ଲକ୍ଷଣ ନ ଥିବା ବ୍ୟକ୍ତିଙ୍କୁ ମତଦାନ ପାଇଁ ଅନୁମତି ମିଳିବ । ସ୍କ୍ରିନିଂ ବେଳେ ତାପମାତ୍ର କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖାଗଲେ ଟୋକନ ଦିଆଯିବା ସହ ସେମାନଙ୍କୁ ଶେଷ ଘଣ୍ଟାରେ ଭୋଟ ଦେବାପାଇଁ ଅନୁମତି ଦିଆଯିବ । ଦିବ୍ୟାଙ୍ଗ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ସହ ହ୍ବିଲ ଚେୟାର ବନ୍ଦୋବସ୍ତ କରାଯାଇଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଗୃହରେ ବିଛିନ୍ନ ହୋଇଥିବା ବ୍ୟକ୍ତିଙ୍କୁ ମତଦାନ କେନ୍ଦ୍ରକୁ ଯିବାକୁ ବାରଣ କରାଯାଇଛି । ଏମାନେ ପିପିଇ କିଟ ପିନ୍ଧି ମତଦାନ କେନ୍ଦ୍ରକୁ ଆସିପାରିବେ କିମ୍ବା ପୋଷ୍ଟାଲ ବ୍ୟାଲଟରେ ନିଜର ମତସାବ୍ୟସ୍ତ କରିବେ । ପ୍ରତି ବୁଥରେ ୧୫୦୦ ବଦଳରେ ଅତିବେଶିରେ ୧୦୦୦ ଜଣ ଭୋଟର ଭୋଟ ଦେଇପାରିବେ । ଭୋଟରଙ୍କୁ ସାନିଟାଇଜ ପାଇଁ ପ୍ରତି ବୁଥରେ ଆଶା କର୍ମୀ ଓ ସ୍ୱେଚ୍ଛାସେବୀ ଥିବା ବେଳେ ଡାହାଣ ହାତରେ ଗ୍ଳୋବ୍ସ ପିନ୍ଧି ମତଦାନ କରିବେ ମତଦାତା ।

ଭୋଟର ମାନଙ୍କ ପାଇଁ ଚଳିତ ଥର ବାଲେଶ୍ଵରରେ ୧୯୮ ବୁଥ୍ ପରିବର୍ତ୍ତେ ୩୪୬ ବୁଥ କରାଯାଇଥିଇବା ବେଳେ ତିର୍ତ୍ତୋଲରେ ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି । ଭୋଟର ଭୋଟ ସ୍ଲିପ ସହ ପ୍ରଦତ୍ତ ୧୧ ପରିଚୟ ପତ୍ରରୁ ଗୋଟିଏ ସାଙ୍ଗରେ ଆଣି ଆସିପାରିବେ । ଭୋଟିଂ ପରିଚାଳନା ପାଇଁ ୩୫୦୦ ପୋଲି କର୍ମଚାରୀ ଥିବା ବେଳେ ୮୦୦ ଆଶା କର୍ମୀ ଓ ୮୦୦ ସ୍ବେଚ୍ଛାସେବୀ ନିୟୋଜିତ ରହିବେ । ଉପ ନିର୍ବାଚନ ପାଇଁ ବାଲେଶ୍ୱରରେ ୮୬ ଓ ତିର୍ତ୍ତୋଲରେ ୧୫୫ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏହି ସବୁ ବୁଥରେ ୱେବ କାଷ୍ଟିଙ୍ଗ, ମାଇକ୍ରୋ ଅବଜର୍ଭର, ଭିଡିଓ ଗ୍ରାଫି ଓ ସିସିଟିଭି ବ୍ୟବସ୍ଥା ରହିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୯୦ ପ୍ଲାଟୁନ ଫୋର୍ସ, ୨୫୧ ପୋଲିସ ଅଫିସର ଓ ୬ କମ୍ପାନୀ ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ ଦାୟିତ୍ୱରେ ରହିବେ ।

ବାଲେଶ୍ୱରରେ ମୋଟ ମତଦାତା ସଂଖ୍ୟା ୨,୨୬,୫୮୨ ରହିଛି । ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧,୧୬,୮୮୩, ମହିଳା ଭୋଟର ୧,୦୯,୬୯୦ ଓ ତୃତୀୟ ଲିଙ୍ଗ ଭୋଟର ୯ ଜଣ ରହିଛନ୍ତି । ତିର୍ତ୍ତୋଲରେ ମୋଟ ମତଦାତା ସଂଖ୍ୟା ୨,୩୯,୧୫୩ ରହିଛି । ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧,୨୪,୧୬୮, ମହିଳା ଭୋଟର ୧,୧୪,୯୫୬ ଓ ୨୮ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ.ଲୋହାନୀ


"ସମସ୍ତ କୋଭିଡ କଟକଣା ସହ ସୁସ୍ଥ ଓ ନିରାପଦ ମତଦାନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ସବୁ ମତଦାନ କେନ୍ଦ୍ରକୁ ସାନିଟାଇଜ କରାଯାଇଥିବା ବେଳେ ଆସନ୍ତା କାଲି ମଧ୍ୟ ବାରମ୍ବାର ସାନିଟାଇଜ କରାଯିବ । ସାମାଜିକ ଦୁରତା ଭିତରେ ନିର୍ବାଚନ ପାଇଁ ଗୋଲେଇ ମଧ୍ୟରେ ମତଦାତା ଯାଇ ମତଦାନ କରିବେ । ମତଦାନ କେନ୍ଦ୍ରରେ ମତଦାତ ପହଞ୍ଚିବା ପରେ ହାତ ଧୋଇବା ସହ ସ୍କ୍ରିନିଂ ପାଇଁ ସବୁ ବନ୍ଦୋବସ୍ତ କରାଯାଇଛି । ଭୋଟର ମାନେ ଭୋଟ ଦାନ କେନ୍ଦ୍ରକୁ ଯିବା ପୂର୍ବରୁ ଗ୍ଳୋବ୍ସ ଦିଆଯିବ ଓ ଫେରିବା ବେଳେ ଗ୍ଲୋବସକୁ ସେମାନେ ଫିଙ୍ଗିବେ । କୋଭିଡ ଗାଇଡ଼ଲାଇନକୁ ମାନି ସବୁ ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଆହ୍ୱାନ କରୁଛୁ,'' କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ.ଲୋହାନୀ ।
Published by: Jagdish Barik
First published: November 2, 2020, 8:04 PM IST
corona virus btn
corona virus btn
Loading