ଆସୁଛି ବାତ୍ୟା; ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ ବଳୟ

ଯଦିଓ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିବ ନାହିଁ, ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୧୫ ତାରିଖ ଠାରୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଆସୁଛି ବାତ୍ୟା; ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ ବଳୟ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡିଶା ଉପକୂଳରେ ବାତ୍ୟାର ପଦଧ୍ଵନି ଶୁଣିବାକୁ ମିଳୁଛି । ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ସକାଳେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି ଯାହା ଆସନ୍ତା ୪୮ ଘଣ୍ଟାରେ ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ । ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏହାର ପ୍ରଭାବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟର ପ୍ରଭାବରେ ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ତା’ର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହି ଲଘୁଚାପ ବଳୟ ସହ ସଂଶ୍ଲିଷ୍ଟ ଘୁର୍ଣ୍ଣି ବଳୟ ବାୟୁମଣ୍ଡଳର ଟ୍ରପୋସ୍ପିୟରର ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହି ଲଘୁଚାପ-ବଳୟ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ଦକ୍ଷିଣ-ପଶ୍ଚିମ ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଓ ପରେ ନିଜର ଦିଗ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

‘‘ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏହାର କି ପ୍ରଭାବ ପଡିବ ଜଣା ପଡ଼ିନାହିଁ । ୧୭ ତାରିଖ ସୁଦ୍ଧା ରାଜ୍ୟକୁ ଭୟ କରିବାର ଆବଶ୍ୟକତା ନାହିଁ । ଏହା ଉପରେ ପାଣିପାଗ ବିଭାଗର ନଜର ରହିଛି । ଏହାର ଗତିପଥ ଅନୁଯାୟୀ ସୂଚନା ଦିଆଯିବ,’’ କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଯଦିଓ ଆସନ୍ତା ପାଞ୍ଚ ଦିନ ଅର୍ଥାତ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିବ ନାହିଁ, କିନ୍ତୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୧୫ ତାରିଖ ଠାରୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଭିତରକୁ ଯିବାକୁ ବାରଣ କରାଯାଇଛି । ଯଦି କେହି ବଙ୍ଗୋପସାଗର ଭିତରକୁ ଯାଇଛନ୍ତି ତେବେ ଆସନ୍ତା କାଲି ସୁଦ୍ଧା କୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ନିର୍ଦେଶ ଜାରି କରିଛି ।

‘‘ଏବେ ଯଦିଓ ଏହି ଲଘୁଚାପ ବଳୟର ପ୍ରଭାବ ନାହିଁ, କିନ୍ତୁ ରାଜ୍ୟରେ କାଳବୈଶାଖୀ ବର୍ଷା ଆସନ୍ତା ୧୭ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଲାଗି ରହିବ, ବିଶେଷ କରି ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି,’’ କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ୱାସ ।

ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହି ଲଘୁଚାପ ବଳୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିବାରେ ସହାୟକ ହେବ । ମେ ୧୬ ତାରିଖ ସୁଦ୍ଧା ଏହା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ଛୁଇଁବା ନେଇ ଆକଳନ କରାଯାଇଛି ।

୨୦୧୯ ମେ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ଫନି ଓଡିଶାରେ ତାଣ୍ଡବ ରଚିଥିବା ବେଳେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ଭଦ୍ରକ ଓ ବାଲେଶ୍ୱରରେ ବିକଟାଳ ରୂପ ନେଇଥିଲା ଓ ଅନେକ କ୍ଷୟକ୍ଷତି କରିଥିଲା । ଏବେ ଆଉ ଏକ ବାତ୍ୟା ଲୋକଙ୍କୁ ଡରାଇବାରେ ଲାଗିଥିବାକୁ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି ।

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି

ଏହା ବି ପଢ଼ନ୍ତୁ: ଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି
First published: May 13, 2020, 7:40 PM IST
corona virus btn
corona virus btn
Loading