BPUT ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ରାଜ୍ୟର ଫାର୍ମାସି ଛାତ୍ରଛାତ୍ରୀମାନେ ପରୀକ୍ଷା ବର୍ଜନ କଲେ

ବି. ଫାର୍ମା ପରୀକ୍ଷାର୍ଥୀମାନେ ଆଜି ହେବାକୁ ଥିବା ମକ୍‌ ଟେଷ୍ଟ ଦେଇନାହାଁନ୍ତି । ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ବି. ଫାର୍ମା ପରୀକ୍ଷାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ବିପିୟୁଟି ଫାର୍ମାସି ଛାତ୍ର ସଙ୍ଘ ।

BPUT ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ରାଜ୍ୟର ଫାର୍ମାସି ଛାତ୍ରଛାତ୍ରୀମାନେ ପରୀକ୍ଷା ବର୍ଜନ କଲେ
କଟକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବି. ଫାର୍ମା ପରୀକ୍ଷାର୍ଥୀମାନେ ଧାରଣା ଦେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବି ଫାର୍ମା (B.Pharm) ଛାତ୍ରଛାତ୍ରୀଙ୍କ ଅଷ୍ଟମ ସେମିଷ୍ଟର ବା ଶେଷ ପରୀକ୍ଷାକୁ ଅନଲାଇନରେ କରିବା ପାଇଁ ବି.ପି.ୟୁ.ଟି.ର (BPUT) ନିଷ୍ପତ୍ତିର ବିରୋଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ପୂର୍ବରୁ ବି.ପି.ୟୁ.ଟି. ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରୁ ବୋଲି ଦାବି କରି ନିରାଶ ହୋଇଥିବା ଫାର୍ମାସୀ ଛାତ୍ର ସଙ୍ଘ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ କରିଛି ଓ ପରୀକ୍ଷା ବର୍ଜନ ନିଷ୍ପତ୍ତି ନେଇଛି ।

ବି.ପି.ୟୁ.ଟି. ଅଧୀନରେ ରାଜ୍ୟରେ ୧୬ଟି ଫାର୍ମାସି କଲେଜ ଅଛି ଓ ସେଥିରେ ୧,୨୫୭ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପୂର୍ବରୁ ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଉଥିଲେ । ହେଲେ ଚଳିତ ବର୍ଷ ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ଅନଲାଇନରେ କରିବା ପାଇଁ ବି.ପି.ୟୁ.ଟି. ନିଷ୍ପତ୍ତି ନେଇଥିଲା । ଏହି ଅନଲାଇନ୍‌ ପରୀକ୍ଷା ପାଇଁ ୱେବ୍‌-କ୍ୟାମ୍‌ ଥିବା ଡ଼େସ୍କଟପ୍‌ କମ୍ପ୍ୟୁଟର୍‌ ବା ଲ୍ୟାପଟପ୍‌ ସହିତ ହାଇ-ସ୍ପିଡ଼ ଇଣ୍ଟରନେଟ ସୁବିଧା ଭଳି ସର୍ତ୍ତ ରଖିଥିଲା ବି.ପି.ୟୁ.ଟି. । ହେଲେ ସବୁ ପରୀକ୍ଷାର୍ଥୀଙ୍କ ପାଖରେ ୱେବ୍‌-କ୍ୟାମ୍‌ ଥିବା ଡ଼େସ୍କଟପ୍‌ ବା ଲ୍ୟାପଟପ୍‌ ନାହିଁ । ପୁଣି ଗ୍ରାମାଞ୍ଚଳରେ ହାଇ-ସ୍ପିଡ଼ ଇଣ୍ଟରନେଟ ସୁବିଧା ଉପଲବ୍ଧ ନ ଥିବା ଓ କୋଭିଡ଼ ପରିସ୍ଥିତିରେ କୌଣସି ସାଇବର କ୍ୟାଫେକୁ ଯାଇ ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।

‘‘ଆମେ ଫାର୍ମାସି ଛାତ୍ରଛାତ୍ରୀମାନେ ନିଜର ସମସ୍ତ ପୁଞ୍ଜିକୁ କେମିକାଲ୍ କଣିବାରେ ବିନିଯୋଗ କରି ଦେଇଛୁ । ଏବେ ଲାପଟପ୍‌ କିଣିବା ପାଇଁ ପଇସା କେଉଁଠୁ ଆଣିବୁ? କରୋନା ପରିସ୍ଥିତି ଭିତରେ କୌଣସି ସେଣ୍ଟରକୁ ଯାଇ ପରୀକ୍ଷା ଦେବା ସଂକ୍ରମଣକୁ ନିମନ୍ତ୍ରଣ ଦେବା ଭଳି ହେବ । ତେଣୁ ମୋବାଇଲରେ ଯେପରି ପରୀକ୍ଷା ଦେଇ ହେବ ସେଥି ପାଇଁ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କରିବା ଦରକାର,’’ କହିଛନ୍ତି ବି ଫାର୍ମା ଛାତ୍ର ଡି. ଶୈଳଜା ଶଙ୍କର ।

କୋଭିଡ଼ ପରିସ୍ଥିତିରେ ସାଇବର କ୍ୟାଫେକୁ ଯାଇ ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।


ବି ଫାର୍ମାର ଏହି ପରୀକ୍ଷାକୁ ଜୁଲାଇ ମାସ ୧୩ ତାରିଖରୁ ୧୭ ତାରିଖ ମଧ୍ୟରେ କରିବା ପାଇଁ ବି.ପି.ୟୁ.ଟି. କତ୍ତୃପକ୍ଷ ଗତ ମାସ ୨୭ ତାରିଖ ଦିନ ବିଜ୍ଞପ୍ତି ଜାରି କରିଥିଲେ । ଏଥି ପାଇଁ ଆଜି ଅର୍ଥାତ ଜୁଲାଇ ୪ ତାରିଖ ଦିନ ମକ୍‌ ଟେଷ୍ଟ ଥିଲା । କିନ୍ତୁ ଆଜି କୌଣସି ପରୀକ୍ଷାର୍ଥୀ ମକ୍‌ ଟେଷ୍ଟ ଦେଇନାହାଁନ୍ତି । ପୂରା ପରୀକ୍ଷାକୁ ବର୍ଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଓଡ଼ିଶା ବିପିୟୁଟି ଫାର୍ମାସି ଛାତ୍ର ସଙ୍ଘ ।

‘‘ଆମେ ମୁଖ୍ୟତଃ ଦୁଇଟି ଦାବି କରିଛୁ । ଗୋଟିଏ ହେଲା ଡ଼େସ୍କଟପ୍ ବା ଲ୍ୟାପଟପ୍‌ ବଦଳରେ ମୋବାଇଲରେ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଉ । ଅନ୍ୟଥା ୟୁ.ଜି.ସି.ର ଗାଇଡ଼ଲାଇନ ଅନୁସାରେ ଆମର ପୂର୍ବ ୭ଟି ସେମିଷ୍ଟରର ପ୍ରଦର୍ଶନକୁ ଆଧାର କରି ମାର୍କ ଦିଆଯାଉ । ଏହି ଦୁଇଟି ଦାବି ନେଇ ଆମେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳମାନଙ୍କ ପର୍ଯ୍ୟନ୍ତ ସବୁଠି ଗୁହାରି କଲୁ, କିନ୍ତୁ କିଛି ଲାଭ ହେଲା ନାହିଁ । ଶେଷରେ ପରୀକ୍ଷାକୁ ବର୍ଜନ କରିବା ପାଇଁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି,’’ କହିଛନ୍ତି ଓଡ଼ିଶା ବିପିୟୁଟି ଫାର୍ମାସି ଛାତ୍ର ସଙ୍ଘର କାର୍ଯ୍ୟକାରୀ ସଭାପତି ଅତ୍ୟୁତାନନ୍ଦ ସ’ ।
First published: July 4, 2020, 5:14 PM IST
corona virus btn
corona virus btn
Loading