ଓଡ଼ିଶା ବୋର୍ଡ଼ର ଦଶମ ଶ୍ରେଣୀ ସିଲାବସରେ ହେଲା ପରିବର୍ତ୍ତନ; ଛାତ୍ରଛାତ୍ରୀ ଚିନ୍ତିତ

ଦଶମ ଶ୍ରେଣୀର ୧୪ଟି ବହିରୁ ୮ଟି ବହିର ବିଷୟରେ ପରିବର୍ତ୍ତନ କରାଯାଇଛି, ହେଲେ ଲକଡାଉନ ଯୋଗୁ ସିଲାବସ୍ ଓ ବହି ପାଇବାରେ ପିଲାଙ୍କୁ କଷ୍ଟ ହେଉଛି ।

ଓଡ଼ିଶା ବୋର୍ଡ଼ର ଦଶମ ଶ୍ରେଣୀ ସିଲାବସରେ ହେଲା ପରିବର୍ତ୍ତନ; ଛାତ୍ରଛାତ୍ରୀ ଚିନ୍ତିତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 16, 2020, 7:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ବୋର୍ଡ଼ର ଦଶମ ଶ୍ରେଣୀ ସିଲାବସରେ ପରିବର୍ତ୍ତନ ହୋଇଛି । ଚଉଦଟି ବହିରୁ ଆଠଟିରେ କିଛି ବିଷୟ ବଦଳିଛି । ଏହି ସିଲାବସ ପରିବର୍ତ୍ତନକୁ ନେଇ ଏବେ ଚିନ୍ତାରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ । ଓଡ଼ିଶା ମାଧ୍ୟମିକ ବୋର୍ଡ଼ ସଭାପତି ରାମାଶିଷ ହାଜରା

ଗତ ବର୍ଷରୁ ଦଶମ ଶ୍ରେଣୀରେ କିଛି ବିଷୟରେ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନର ଲକଡାଉନ ସ୍ଥିତିରେ ଏହାକୁ ଲାଗୁ କରିବା ଚିନ୍ତାର କାରଣ ସାଜିଛି । ନା ପିଲାଙ୍କୁ ମିଳିଛି ନୂଆ ସିଲାବସ ନା ନୂଆ ବହି । ଦଶମ ଶ୍ରେଣୀର ପାଠପଢ଼ାରେ ଏହା ବଡ଼ ବ୍ୟାଘାତ କରିବ ବୋଲି ଅନେକଙ୍କୁ ମନେ ହେଉଛି ।

ସାହିତ୍ୟ ସିନ୍ଧୁ, ସ୍କିଲ ଅଫ କମ୍ୟୁନିକେଟିଭ ଇଂଲିଶ, ମାଧ୍ୟମିକ ବୀଜ ଗଣିତ, ମାଧ୍ୟମିକ ଜ୍ୟାମିତି, ଜୀଵ ବିଜ୍ଞାନ, ଭୌତିକ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି ବିଷୟରେ ପରିବର୍ତ୍ତନ କରାଯାଇଛି । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଚିଠି ମାଧ୍ୟମରେ ଜଣାଇବା ପରେ ଚିନ୍ତରେ ଛାତ୍ରଛାତ୍ରୀ । ପୁରୁଣା ବହି ସଂଗ୍ରହ କରିଥିଲେ ମଧ୍ୟ ସିଲାବସ ନ ରହିବାରୁ କେଉଁ ବିଷୟ ପଢ଼ିବେ ଓ କେଉଁଟା ନ ପଢ଼ିବେ ତାହା ଜାଣି ହେଉନି । ଯଦି ଶୀଘ୍ର ବହି କି ସିଲାବସ ନ ମିଳେ, ତେବେ ପାଠ ପଢ଼ା ବହୁତ ପଛେଇଯିବ । ଏମିତିରେ ପରୀକ୍ଷା ଦେବା ବି କଷ୍ଟକର ହୋଇପଡ଼ିବ ।

‘‘ଦୀକ୍ଷା ଆପ୍‌ ଡାଉନଲୋଡ଼ କରି ପଢିବାକୁ କୁହାଗଲା । ହେଲେ ସେଥିରେ ବି କୌଣସି ନୂଆ ତଥ୍ୟ ନାହିଁ । ନୂଆ ବହି କି ସିଲାବସ ଯୋଗୁଁ ପାଠ ପଢ଼ା ଅଟକି ରହିଛି । ଘରେ ଖାଲି ବସି ମଧ୍ୟ ଦଶମ ଶ୍ରେଣୀ ପାଇଁ ଆମେ ପ୍ରସ୍ତୁତ ହୋଇପାରୁ ନାହୁଁ,’’ କହିଛନ୍ତି ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ନିବେଦିତା ସାହୁ ।

ଓଡ଼ିଶା ମାଧ୍ୟମିକ ବୋର୍ଡ଼ ସଭାପତି ରାମାଶିଷ ହାଜରା


ସେପଟେ ଶିକ୍ଷକଙ୍କ କହିବା କଥା ଯେ ଅନଲାଇନ ଜରିଆରେ ପାଠ ପଢ଼ାଇବା ବି ମୁସ୍କିଲ ହୋଇଛି । କେଉଁ ବିଷୟକୁ ଆଧାର କରି ପିଲାଙ୍କୁ ଗାଇଡ଼ କରାଯିବ ତାହା କଷ୍ଟସାଧ୍ୟ ବୋଲି କହିଛନ୍ତି ଶିକ୍ଷାବିତମାନେ।

‘‘ଏ ଭଳି ସ୍ଥିତିରେ ବହି କି ସିଲାବସ ପରିବର୍ତ୍ତନ କରିବାର ଆବଶ୍ୟକତା ନ ଥିଲା। ବିଏସଇ ଅଧୀନରେ ପ୍ରତି ବର୍ଷ ପରୀକ୍ଷା ଦେଉଥିବା ଛଅ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳରୁ। ସେମାନଙ୍କ ପକ୍ଷେ ଇଣ୍ଟରନେଟ ଓ ୱେବସାଇଟରୁ ପାଠ ପଢ଼ିବା ତଥ୍ୟ ସଂଗ୍ରହ କରିବା କଷ୍ଟକର,’’ କହିଛନ୍ତି ଶିକ୍ଷାବିତ ଗଙ୍ଗାଧର ଷଡଙ୍ଗୀ ।

ବୋର୍ଡ଼ କର୍ତ୍ତୃପକ୍ଷ ଙ୍କ କହିବା କଥା ଯେ ନୂଆ ସିଲାବସକୁ ଆଧାର କରି ବହି ଛପା ସରିଛି । ମାର୍ଚ୍ଚ ୨୪ ତାରିଖରୁ ନୂଆ ବହି ବିକ୍ରି ହୋଇଥାନ୍ତା । କିନ୍ତୁ ଲକଡାଉନ ପାଇଁ ତାହା ବନ୍ଦ ରହିଛି । ଲକଡାଉନ ପରେ ତୁରନ୍ତ ବହି ବିକ୍ରି ଆରମ୍ଭ ହେବ। ଏହା ସହ ନୂଆ ସିଲାବସ ତାଲିକା ଖୁବ ଶୀଘ୍ର ଉପଲବ୍ଧ କରାଇବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ବୋର୍ଡ଼ ସଭାପତି ରାମାଶିଷ ହାଜରା ।

‘‘ପିଲାମାନେ ବର୍ତ୍ତମାନ ଘରେ ଅଛନ୍ତି । ତାଙ୍କ ପାଖରେ କିଭଳି ନୂଆ ସିଲାବସ ତଥ୍ୟ ମିଳିବ ସେ ନେଇ ଚେଷ୍ଟା ଚାଲିଛି । ଏବା ଖୁବ୍‌ ଶୀଘ୍ର ପହଞ୍ଚିବ,’’ କହିଛନ୍ତି ହାଜରା ।

ହେଲେ ପ୍ରଶ୍ନ ଉଠୁଛି ଯେ ଗତ ବର୍ଷରୁ ସିଲାବସ ପରିବର୍ତ୍ତନ ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ବହି ବିକ୍ରିରେ ବିଳମ୍ବ ହେଲା କାହିଁକି? ବିଏସଇ ୱେବସାଇଟରେ କାହିଁକି ସିଲାବସ ତାଲିକା ପ୍ରକାଶ କରାଯାଉନାହିଁ?
First published: April 16, 2020, 7:07 PM IST
corona virus btn
corona virus btn
Loading