ରାଜ୍ୟ ବିଧାନ ସଭାର ମୌସୁମୀ ଅଧିବେଶନ ୨୯ ତାରିଖରୁ; ଏ ଥର ପ୍ରଶ୍ନ କାଳ ରହିବ ନାହିଁ

ବିଧାନ ସଭା ଅଧିବେଶନରେ ରହିବ ମାତ୍ର ଆଠଟି କାର୍ଯ୍ୟ ଦିବସ । ପ୍ରଶ୍ନ କାଳ ବାତିଲ ନିଷ୍ପତ୍ତିକୁ କଂଗ୍ରେସ କଡ଼ା ସମାଲୋଚନା କରି କହିଛି ଯେ କୋଭିଡ ପରିଚାଳନାରେ ବିଫଳତା ଲୁଚାଇବାକୁ ସରକାର ଏମିତି ଯୋଜନା କରିଛନ୍ତି ।

ରାଜ୍ୟ ବିଧାନ ସଭାର ମୌସୁମୀ ଅଧିବେଶନ ୨୯ ତାରିଖରୁ; ଏ ଥର ପ୍ରଶ୍ନ କାଳ ରହିବ ନାହିଁ
ଓଡ଼ିଶା ବିଧାନ ସଭା ସୌଧ
  • News18 Odia
  • Last Updated: September 21, 2020, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ରାଜ୍ୟ ବିଧାନ ସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୭ ଯାଏଁ ହେବାକୁ ଥିବା ଏହି ଅଧିବେଶନରେ ରହିବ ମାତ୍ର ଆଠଟି କାର୍ଯ୍ୟ ଦିବସ । କୋଭିଡ କାରଣରୁ ଚଳିତ ଅଧିବେଶନରେ ରହିବନି ପ୍ରଶ୍ନ କାଳ ।

ପୂରା ଗୃହ କାର୍ଯ୍ୟର ରୂପରେଖ କେମିତି ହେବ ଖୁବ ଶୀଘ୍ର ସେହି ନିଷ୍ପତ୍ତି ହେବ ବୋଲି କହିଛନ୍ତି ବାଚସ୍ପତି । ପ୍ରଶ୍ନ କାଳ ବାତିଲ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିବା ସହ କୋଭିଡ ପରିଚାଳନା ବିଫଳତା ଲୁଚାଇବାକୁ ଏହା ଏକ ପ୍ରୟାସ ବୋଲି କହିଛି କଂଗ୍ରେସ ।

କୋଭିଡ ଦୃଷ୍ଟିକୋଣରୁ ବିଧାନ ସଭା ବିଧିରେ ହେବ ପରିବର୍ତ୍ତନ । ଚଳିତ ଥର ସଂସଦ ଢାଞ୍ଚାରେ ବସିବ ବିଧାନ ସଭାର ମୌସୁମୀ ଅଧିବେଶନ । ପ୍ରଶ୍ନ କାଳ ରହିବ ନାହିଁ । କେବଳ ଲିଖିତ ପ୍ରଶ୍ନର ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀମାନେ । ଆସନ୍ତା ୨୯ ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ପ୍ରଶ୍ନ କାଳ ବାତିଲ ନିଷ୍ପତ୍ତିକୁ ବିରୋଧୀ କଂଗ୍ରେସ କଡ଼ା ସମାଲୋଚନା କରିଛି । କୋଭିଡ ପରିଚାଳନାରେ ବିଫଳତା ଲୁଚାଇବାକୁ ସରକାର ଏଭଳି ଯୋଜନା କରିଥିବା ଅଭିଯୋଗ କରିଛି କଂଗ୍ରେସ ।

‘‘ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢ଼ୁଥିବା ବେଳେ ହସ୍ପିଟାଲରେ ବେଡ଼ ମିଳୁନି । ଆଇସିୟୁ ନାହିଁ କି ଆମ୍ବୁଲାନ୍ସ ଆସୁନି । କୋଭିଡ ପରିଚାଳନା ପାଇଁ ସରକାର ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ଚିକିତ୍ସା ପାଇଁ ବାର ଦୁଆର ସୁଣ୍ଡି ପିଣ୍ଡା ହେଉଛି ରୋଗୀ । କୋଭିଡ ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଛି । ଦୋଷ ଦୁର୍ବଳତା ପଦାରେ ପଡ଼ିଯିବା ଭୟରେ ସରକାର ଏପରି ଯୋଜନା କରିଛନ୍ତି । ସରକାରଙ୍କ ଏହି ବିଫଳତାକୁ ବିଧାନ ସଭା ରେ ଉଠାଇବୁ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗୃହ କାର୍ଯ୍ୟ କିପରି ଚାଲିବ ଓ କ’ଣ ରହିବ ରୂପରେଖ ସେ ନେଇ ଏକ ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ‘‘ସଂସଦ ଢାଞ୍ଚାରେ ବିଧାନ ସଭା ଚାଲିଲେ କିଛି ଅସୁବିଧା ନାହିଁ । ଦେଶର ସର୍ବୋଚ୍ଚ ଗୃହ ଯାହା ନିଷ୍ପତ୍ତି ନେବ ସବୁ ରାଜ୍ୟ ମାନିବା ଉଚିତ ।’’

‘‘ଚଳିତ ଥର ବିଶେଷ ପରିସ୍ଥିତିରେ ବିଧାନସଭା ବସୁଛି । ସଂସଦ ଢାଞ୍ଚାରେ ବସିବ ବିଧାନ ସଭା । ଏଥି ପାଇଁ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ । ପ୍ରଶ୍ନକାଳ ବାତିଲ ପ୍ରସଙ୍ଗରେ କଂଗ୍ରେସର ଅଭିଯୋଗ ଭିତ୍ତିହୀନ । କଂଗ୍ରେସ ଶାସିତ ରାଜ୍ୟରେ ବି ପ୍ରଶ୍ନକାଳ ବାତିଲ କରାଯାଇଛି । ନିଜ ନିଷ୍ପତ୍ତିକୁ ନିଜେ ପରଖନ୍ତୁ,’’ କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ବିଧାନ ସଭା ସଚିବାଳୟର ବିଜ୍ଞପ୍ତି ଅନୁସାରେ ଆସନ୍ତା ୨୯ ତାରିଖରୁ ଅକ୍ଟୋବର ୭ ଯାଏଁ ଚାଲିବ ଅଧିବେଶନ। ଚଳିତ ଅଧିବେଶନରେ ମୋଟ ଆଠଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗାନ୍ଧି ଜୟନ୍ତୀକୁ ଛାଡ଼ି ବାକି ସବୁ ଦିନ ଚାଲିବ ଗୃହ କାର୍ଯ୍ୟ । ରବିବାର ବି ଚାଲିବ ଗୃହ କାର୍ଯ୍ୟ । ବରିଷ୍ଠ ବିଧାୟକମାନେ ଗୃହକୁ ନ ଆସି ଭିଡିଓ କନ୍ଫରେନ୍ସିଂ ଜରିଆରେ ଭାଗ ନେବେ ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

‘‘କୋଭିଡ ଦୃଷ୍ଟିରୁ ସଂସଦ ଢାଞ୍ଚାରେ ବିଧାନ ସଭା ଚାଲିବାକୁ ନିଷ୍ପତି ହୋଇଛି । ବିଧାନ ସଭା ଅଧିବାଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ସବୁ ବିଧାୟକ ଓ ବିଧାନ ସଭା କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଫାଞ୍ଚ ଦିନ ପରେ ଆଉ ଥରେ ଟେଷ୍ଟ କରାଯିବ । ବିଧାନ ସଭା ସମୟରେ ଲକ୍ଷଣ ପରିଲକ୍ଷିତ ହେଲେ ଆଣ୍ଟିଜେନ ଟେଷ୍ଟ କରାଯିବ । ମୁଲତବୀ ପ୍ରସ୍ତାବ ଓ ଶୂନ୍ୟ କାଳ ସହ ପୂରା ଗୃହକାର୍ଯ୍ୟର ରୂପରେଖ କ’ଣ ରହିବ ସେ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ହେବ,’’ କହିଛନ୍ତି ବାଚସ୍ପତି ସ୍ଵର୍ଯ୍ୟନାରାୟଣ ପାତ୍ର ।



କୋଭିଡ ଦୃଷ୍ଟିରୁ ଚଳିତ ଅଧିବେଶନରେ ଅନେକ କିଛି ପରିବର୍ତ୍ତନ ହୋଇଥିବା ବେଳେ ଗୃହ କାର୍ଯ୍ୟ ବେଶ୍‌ ସରଗରମ ରହିବ ବୋଲି ଆଶା କରାଯାଉଛି ।
Published by: Anand Shankar Thankur Das
First published: September 21, 2020, 11:42 PM IST
corona virus btn
corona virus btn
Loading