୧୫ MLA, ୩ ମନ୍ତ୍ରୀ ସଂକ୍ରମିତ ହେଲେଣି; କେବେ ଓ କେମିତି ବସିବ ବିଧାନ ସଭା ଅଧିବେଶନ?

ବିଧାନ ସଭାର ଦୁଇଟି ଅଧିବେଶନ ମଧ୍ୟରେ ଅତି ବେଶୀରେ ୬ ମାସର ବ୍ୟବଧାନ ନିୟମ ଥିବାରୁ ସେପ୍ଟେମ୍ବର ଶେଷ ସୁଦ୍ଧା ମୌସୁମୀ ଅଧିବେଶନ ବସିବା ପ୍ରାୟ ନିଶ୍ଚିତ । କିନ୍ତୁ ଜଣକ ପରେ ଜଣେ ବିଧାୟକ ଓ ମନ୍ତ୍ରୀ ସଂକ୍ରମିତ ହେଉଥିବା ଚିନ୍ତାର ବିଷୟ ପାଲଟିଛି ।

୧୫ MLA, ୩ ମନ୍ତ୍ରୀ ସଂକ୍ରମିତ ହେଲେଣି; କେବେ ଓ କେମିତି ବସିବ ବିଧାନ ସଭା ଅଧିବେଶନ?
ଓଡ଼ିଶା ବିଧାନ ସଭାର ଏକ ଫାଇଲ୍ ଫଟୋ
  • News18 Odia
  • Last Updated: September 5, 2020, 9:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଧାନ ସଭାର ମୌସୁମୀ ଅଧିବେଶନକୁ ନେଇ ଜାରି ରହିଛି ସସପେନ୍ସ । କୋଭିଡ ସ୍ଥିତିରେ କେବେ ବସିବ ଓ କେମିତି ବସିବ ସେ ନେଇ ଏବେବି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଗୋଟେ ଅଧିବେଶନର ୬ ମାସ ମଧ୍ୟରେ ଆଉ ଏକ ଅଧିବେଶନ ବସିବା ନେଇ ବ୍ୟବସ୍ଥା ଥିବାରୁ ଏପରି ସ୍ଥିତିରେ କିପରି ଆଗାମୀ ଅଧିବେଶନ ବସିବ ସେ ନେଇ ପ୍ରଶ୍ନ ଉଠିଛି।

ଯଦି ବିଧାନ ସଭାର ମୌସୁମୀ ଅଧିବେଶନ ବସେ, ତେବେ ତା’ର କ’ଣ ରହିବ ରୂପରେଖ? କୋଭିଡ ସ୍ଥିତିରେ ବିଧାନ ସଭା ଭିତରେ ନା ପୂର୍ବ ପରି ଲୋକସେବା ଭବନ କନଭେନସନ ସେଣ୍ଟରରେ ବସିବ ଅଧିବେଶନ? କମିବ କି ବିଧାୟକଙ୍କ ଉପସ୍ଥିତି? ଆଗାମୀ ବିଧାନସଭା ନେଇ ତାରିଖ ସ୍ଥିର ହୋଇ ନ ଥିବା ବେଳେ ଏମିତି ଅନେକ ପ୍ରଶ୍ନ ଉଙ୍କିମାରୁଛି ।

ବିଧାନ ସଭାର ଦୁଇଟି ଅଧିବେଶନ ମଧ୍ୟରେ ଅତି ବେଶୀରେ ୬ ମାସର ବ୍ୟବଧାନ ନିୟମ ଥିବାରୁ ସେପ୍ଟେମ୍ବର ଶେଷ ସୁଦ୍ଧା ମୌସୁମୀ ଅଧିବେଶନ ବସିବା ପ୍ରାୟ ନିଶ୍ଚିତ । କିନ୍ତୁ ଜଣକ ପରେ ଜଣେ ବିଧାୟକ ଓ ମନ୍ତ୍ରୀ ସଂକ୍ରମିତ ହେବା ସବୁଠୁ ଚିନ୍ତାର ବିଷୟ । ଏହାରି ଭିତରେ ୧୫ ଜଣ ବିଧାୟକ ଓ ୩ ଜଣ ମନ୍ତ୍ରୀ ସଂକ୍ରମିତ ହୋଇସାରିଛନ୍ତି ।

ପ୍ରଥମେ ନୀଳଗିରି ବିଧାୟକ  ସୁକାନ୍ତ ନାୟକ ପଜିଟିଭ ବାହାରିବା ପରେ ଜଣକ ପରେ ଜଣେ ସଂକ୍ରମିତ ହେଉଛନ୍ତି । ତାଙ୍କ ପରେ ପ୍ରଶାନ୍ତ ବେହେରା (ସାଲେପୁର), ସୁଧାଂଶୁ ପରିଡ଼ା (ରେମୁଣା), ଶ୍ରୀକାନ୍ତ ସାହୁ (ପୋଲସରା), ସୌମ୍ୟ ରଂଜନ ପଟ୍ଟନାୟକ (ଖଣ୍ଡପଡ଼ା), ଅନନ୍ତ ଜେନା (ମଧ୍ୟ ଭୁବନେଶ୍ୱର), ସଞ୍ଜୀବ ମଲିକ (ଭଦ୍ରକ), ମନ୍ତ୍ରୀ ସୁଶାନ୍ତ ସିଂହ, ପ୍ରୀତମ  ପାଢ଼ୀ (ପଟାଙ୍ଗି), ଦେବୀ ମିଶ୍ର (ନରସିଂହପୁର), ବ୍ୟୋମକେଶ ରାଏ (ଚାନ୍ଦବାଲି), ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ରାଉତ (ଉତ୍ତର ଭୁବନେଶ୍ୱର), ସୁନନ୍ଦା ଦାସ (ବରି), ବିକ୍ରମ ପଣ୍ଡା (ବ୍ରହ୍ମପୁର), ମନ୍ତ୍ରୀ ପଦ୍ମିନୀ ଦିୱାନ, ବିଷ୍ଣୁବ୍ରତ ରାଉତରାୟ (ବାସୁଦେବପୁର) ଓ ପ୍ରଶାନ୍ତ ମୁଦୁଲି (ଜଗତସିଂହପୁର) ସଂକ୍ରମିତ ହୋଇଛନ୍ତି ।

ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କୋଭିଡ ଗାଇଡ଼ଲାଇନ ଭିତରେ ବିଧାନସଭା ଡାକିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବିରୋଧୀ ଦଳମାନେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ‘‘କୋଭିଡ ଭିତରେ କିପରି ବିଧାନ ସଭା ବସିବ ସେ ନେଇ ସ୍ଥିତି ଦେଖି ବାଚସ୍ପତି ନିଷ୍ପତ୍ତି ନେବେ । ଆମର ଖାଲି ମତାମତ ନେଇ ପାରିବେ। କିନ୍ତୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଧାନ ସଭା ବସିବା ଜରୁରୀ ରହିଛି । ସମସ୍ତ କୋଭିଡ ନିୟମ ଭିତରେ ବିଧାନ ସଭା ବସିବା ସହ ବିଧାନ ସଭା ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ଟେଷ୍ଟ ହେବା ଉଚିତ ।’’

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘‘ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ରହିଛି । ସେ ଦୃଷ୍ଟିରୁ ଦୃଷ୍ଟିରୁ ବିଧାନ ସଭା ବସିବା ଜରୁରୀ । କୋଭିଡ ନିୟମ ମାନି ବିଧାନ ସଭା ବସିପାରିବ ।’’

ବିଜେଡି ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ‘‘ବିଧାନସଭା ବସିବ ବୋଲି ବାଚସ୍ପତି କହିସାରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କେବେ ବସିବ ଓ କେମିତି ବସିବ ସେ ନେଇ ବାଚସ୍ପତି  ନିଷ୍ପତି ନେବେ।’’

ଏହା ବି ପଢ଼ନ୍ତୁ | ରେଳବାଇର ବଡ଼ ଘୋଷଣା: ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ଯାତ୍ରୀବାହୀ ଟ୍ରେନ୍ ଚାଲିବ; ୧୦ ତାରିଖରୁ ଆପଣ କରିପାରିବେ ବୁକିଂ

ଏହା ବି ପଢ଼ନ୍ତୁ | Teachers Day: ଏହି ଗୁରୁମାନେ ଯିଏ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ପରି ତାରକା ଟିମ୍ ଇଣ୍ଡିଆକୁ ଦେଇଛନ୍ତି

‘‘ଗୋଟିଏ ଅଧିବେଶନର ୬ ମାସ ଭିତରେ ଆଉ ଏକ ଅଧିବେଶନ ବସିବାର ବ୍ୟବସ୍ଥା ଥିବାରୁ ସେପ୍ଟେମ୍ବର ୩୦ ଭିତରେ ବସିବ ଆଗାମୀ ଅଧିବେଶନ । ସଂସଦ ଅଧିବେଶନ ବସିବା ସ୍ଥିର ହୋଇଥିବାରୁ ବିଧାନ ସଭା ଅଧିବେଶନ କେମିତି ବସିବ ସେ ନେଇ ବିଚାର  ବିମର୍ଷ ଆରମ୍ଭ ହୋଇଛି। ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଆଲୋଚନା ହୋଇଥିବା ବେଳେ ଖୁବ ଶୀଘ୍ର ଏ ବିଷୟରେ ନିଷ୍ପତ୍ତି ନିଆଯିବ । ତେବେ କୋଭିଡ ଗାଇଡ଼ଲାଇନକୁ ଅନୁଶୀଳନ କରାଯାଇ ଆଗାମୀ ଅଧିବେଶନର ରୂପରେଖ ପ୍ରସ୍ତୁତ ହେବ,’’ କହିଛନ୍ତି ବାଚସ୍ପତି ।



ମାର୍ଚ୍ଚ ୩୦ରେ ଶେଷ ଥର ପାଇଁ ବସିଥିଲା ବିଧାନ ସଭା ଅଧିବେଶନ। ନିରାପତ୍ତା ଦୃଷ୍ଟିରୁ ପ୍ରଥମ ଥର ପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରରେ ବସିଥିଲା ବିଧାନ ସଭା । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିକୋଣରୁ ଅନେକ ପ୍ରସଙ୍ଗ ରହିଥିବା ବେଳେ କିପରି ରହିବ ଚଳିତ ବିଧାନ ସଭାର ରୂପରେଖ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
Published by: Anand Shankar Thankur Das
First published: September 5, 2020, 9:13 PM IST
corona virus btn
corona virus btn
Loading