କନଫ୍ୟୁଜନ୍ ଦୂର କର: କରୋନା ଉପରେ ନବୀନ ସରକାରଙ୍କୁ ବିରୋଧୀ ଦଳ ନେତାମାନଙ୍କ ଉପଦେଶ

କରୋନା ମୁକାବିଲାରେ ଆଗ ଧାଡ଼ିରେ ଥିବା ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର କର୍ମଚାରୀମାନଙ୍କ ବିଶେଷ ଧ୍ଯାନ ରଖିବାକୁ ସରକାରଙ୍କୁ ଅନୁରୋଧ କଲେ ପ୍ରଦୀପ୍ତ ନାୟକ । ସର୍ବଦଳୀୟ ବୈଠକର ଆୟୋଜନ କରିବାକୁ ନବୀନଙ୍କୁ କହିଲେ ନରସିଂହ ମିଶ୍ର ।

କନଫ୍ୟୁଜନ୍ ଦୂର କର: କରୋନା ଉପରେ ନବୀନ ସରକାରଙ୍କୁ ବିରୋଧୀ ଦଳ ନେତାମାନଙ୍କ ଉପଦେଶ
ଲୋକସେବା ଭବନରେ ବିଧାନ ସଭା ବୈଠକ ଚାଲିଛି ।
  • News18 Odia
  • Last Updated: March 30, 2020, 4:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ପ୍ରସାର ରୋକିବାକୁ ଜାରି ଥିବା ଦେଶବ୍ୟାପୀ ଲକଡାଉନ୍‌ ମଧ୍ୟରେ ଆଜି ରାଜ୍ୟ ବିଧାନ ସଭାର ଅସମାପ୍ତ ବଜେଟ ଅଧିବେଶନର ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିଥିଲା ଓ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଥିଲା । ବିଧାନ ସଭା ବାହାରେ ପ୍ରଥମ ଥର ପାଇଁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା ।

ଏହି ବୈଠକରେ ଭାଗ ନେଇଥିବା ଅଧିକାଂଶ ବିଧାୟକ ମୁହଁରେ ମାସ୍କ୍ ପିନ୍ଧି ଆସିଥିଲେ । କରୋନା ସତର୍କତା ପାଇଁ ଆବଶ୍ୟକ ଥିବା ସାମାଜିକ ଦୂରତା ପାଳନ କରିବା ପାଇଁ ହଲ୍‌ ଭିତରେ ଗୋଟିଏ ଧାଡ଼ିରେ ୮ରୁ ୯ ଜଣ ବିଧାୟକ ବସିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ କାଲି ସନ୍ଧ୍ୟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ ।

ବୈଠକ ପରେ ବିଧାନ ସଭାରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସରକାରଙ୍କ କରୋନା ଭାଇରସ୍‌ ଜନିତ ସ୍ଥିତିର ମୁକାବିଲାକୁ ପ୍ରଶଂସା କରିବା ସହିତ କେତେକ ପରାମର୍ଶ ଦେଇଥିଲେ ।

‘‘ମୁଖ୍ୟ ମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ଯେ ସେ ଏକ ସର୍ବଦଳୀୟ ବୌଠକର ଆୟୋଜନ କରନ୍ତୁ । ସରକାର ଯାହା ସବୁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ, କିନ୍ତୁ ଖାଲି କାଗଜ କଲମରେ ପଦକ୍ଷେପ ନେଲେ ହେବନି; ଲୋକଙ୍କ ପାଖରେ ତାହା ପହଞ୍ଚିବା ଆବଶ୍ୟକ,’’ କହିଛନ୍ତି ନରସିଂହ ମିଶ୍ର ।

ବୈଠକ ପୂର୍ବରୁ ଲୋକସେବା ଭବନ ପରିସରକୁ ଡିସଇନଫେକ୍ଟ କରାଯାଇଥିଲା ।


ସରକାର କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଇଥିବା ଗାଇଡଲାଇନ୍‌ ଭ୍ରମାତ୍ମକ ରହୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।

‘‘ଆପଣ (ମୁଖ୍ୟ ମନ୍ତ୍ରୀ) ଯାହା ସବୁ ଘୋଷଣା କରୁଛନ୍ତି ତାହା ଟିକେ କନଫ୍ୟୁଜିଂ ରହୁଛି, ପରିଷ୍କାର ହେଉ ନାହିଁ ଓ ଅନେକ ସମୟରେ ପରସ୍ପର ବିରୋଧୀ ହେଉଛି । ଅତଏବ ଗୋଟେ ଲିଫଲେଟ୍‌ ଜାରି କରନ୍ତୁ କେଉଁଟା କରିବା କଥା କେଉଁଟା କରିବା କଥା ନୁହେଁ,’’ କହିଛନ୍ତି ମିଶ୍ର ।

କରୋନା ଭାଇରସର ମୁକାବିଲା କରିବାରେ ଆଗ ଧାଡ଼ିରେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର କର୍ମଚାରୀମାନଙ୍କ ବିଶେଷ ଧ୍ଯାନ ରଖିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ୍ତ ନାୟକ । ସେମାନଙ୍କ ପାଇଁ ବୀମାର ବ୍ୟବସ୍ଥା ସରକାର କରିବା ଉଚିତ ବୋଲି ସେ କହିଛନ୍ତି ।

ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ଗିଲୋଟିନ ଜରିଆରେ ପାରିତ ହୋଇଥିଲା । ଏହି ବୈଠକରେ ସବୁ ଦଳର ୩୦ ପ୍ରତିଶତ ବିଧାୟକ ଭାଗ ନେଇଥିଲେ । ଏହା ପରେ ଅନିର୍ଦ୍ଧିଷ୍ଟ କାଳ ଯାଏ ବିଧାନ ସଭାକୁ ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
First published: March 30, 2020, 4:19 PM IST
corona virus btn
corona virus btn
Loading