ତାମିଲ ନାଡ଼ୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ମିଳିଲା ସରକାରୀ ସହାୟତା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲ ନାଡୁର ମୁଖ୍ୟ ମନ୍ତ୍ରୀଙ୍କ ସହିତ ଅସହାୟ ଶ୍ରମିକଙ୍କ ବିଷୟରେ ଆଲୋଚନା କରିବା ପରେ କୋଏମ୍ବାଟୁରର ଜିଲ୍ଲାପାଳ ଓ କମ୍ପାନୀର ପରିଚାଳକ ଆସି ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତାମିଲ ନାଡ଼ୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ମିଳିଲା ସରକାରୀ ସହାୟତା
ବ୍ରେନ ଟ୍ୟୁମରରେ କଷ୍ଟ ପାଉଥିବା ସନାତନ ମଲ୍ଲିକଙ୍କୁ ତାଙ୍କ ସହକର୍ମୀମାନେ ସାହାଯ୍ୟ କରୁଛନ୍ତି ।
  • News18 Odia
  • Last Updated: April 12, 2020, 10:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଗଣେଷ ପଲ୍‌ | News18 Odia Digital

ବୌଦ୍ଧ: କରୋନା ଭାଇରସ ସଂକ୍ରମଣ ଯୋଗୁଁ ଦେଶରେ ଲକଡାଉନ ଜାରି ହେବା ପରେ ତାମିଲ ନାଡ଼ୁରେ କାମ କରୁଥିବା ଜଣେ ଓଡ଼ିଆ ଦାଦନ ଶ୍ରମିକ ପାଖରେ ଟଙ୍କା ପଇସା କିଛି ନ ଥିବାରୁ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ । ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଓ ତାମିଲ ନାଡ଼ୁ ସରକାରଙ୍କ ସାହାଯ୍ୟ ପରେ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଗୁନ୍ଦୁଲିଆ ପଞ୍ଚାୟତର କିଛି ଶ୍ରମିକ ତାମିଲ ନାଡ଼ୁର କୋଏମ୍ବାଟୁରରେ ଏଲ.ଏନ.ଡବ୍ଲୁ. ନାମକ ଏକ କମ୍ପାନୀରେ ଶ୍ରମିକ ଭାବେ ଦୁଇ ବର୍ଷ ହେଲା କାମ କରୁଥିଲେ । ସେମାନଙ୍କ ମଧ୍ୟରେ ଥିବା ସନାତନ ମଲ୍ଲିକ ନାମକ ଶ୍ରମିକ ବ୍ରେନ ଟ୍ୟୁମର ରୋଗର ଶିକାର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ । ଲକଡାଉନ୍‌ ଘୋଷଣା ହେବା ପରେ ତାଙ୍କ କମ୍ପାନୀର କାର୍ଯ୍ୟ ବନ୍ଦ ହୋଇଗଲା ଓ ତାଙ୍କ ରୋଜଗାରର ଏକ ମାତ୍ର ବାଟ ବି ବନ୍ଦ ହୋଇଗଲା ।

‘‘ତାଙ୍କ ପାଖରେ ଟଙ୍କା ପଇସା କିଛି ନ ଥିଲା । କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ କୌଣସି ଶ୍ରମିକଙ୍କ ଦୁଖ ଶୁଣୁ ନ ଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ସନାତନଙ୍କ ଚିକିତ୍ସା ପାଇଁ ବେଶ୍‌ କିଛି ଅର୍ଥ ଦରକାର ବୋଲି କହିବା ପରେ ଆମ ସମସ୍ତଙ୍କ ଚିନ୍ତା ବଢ଼ିଯାଇଥିଲା,’’ କହିଛନ୍ତି ସନାତନଙ୍କ ସହକର୍ମୀ କୃପାସିନ୍ଧୁ ବଙ୍କ ।

କୌଣସି ବୁଦ୍ଧି ବାଟ ନ ପାଇ ସନାତନ ସୋସିଆଲ ମିଡିଆରେ ତାଙ୍କୁ ତୁରନ୍ତ ସହାୟତା କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କୁ ନିବେଦନ କରିଥିଲେ । ଏହାର ଖବର ପାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲ ନାଡୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କୋଏମ୍ବାଟୁର ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ । ତା’ପରେ ସେଠାରୁ ସ୍ଥାନୀୟ ତହସିଲଦାର ଓ ଏକ ଡାକ୍ତରୀ ଦଳ ଆସି ସନାତନଙ୍କୁ ଆମ୍ବୁଲାନ୍ସରେ ନେଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

‘‘କୋଏମ୍ବାଟୁରର ଜିଲ୍ଲାପାଳ ଓ ଏଲ୍.ଏନ୍.ଡବ୍ଲୁ. ସଂସ୍ଥାର ପରିଚାଳକ ଆମ ପାଖରେ ପହଞ୍ଚିଥିଲେ। ସନାତନ ମଲ୍ଲିକଙ୍କ ସ୍ୟସ୍ଥ୍ୟାବସ୍ଥା ଦେଖି ତାଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଛନ୍ତି । ପ୍ରଥମେ କେତେଟା ପରୀକ୍ଷା ହେବା ପରେ ଏବେ ତାଙ୍କୁ ସେଲାଇନ ଦିଆଯାଇଛି । ସମସ୍ତ ଖର୍ଚ୍ଚ ଉକ୍ତ ସଂସ୍ଥାର ପରିଚାଳକ ବୁଝୁଛନ୍ତି,’’  କହିଛନ୍ତି କୃପାସିନ୍ଧୁ ।

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚାର ସମ୍ପାଦକ ଓମ୍ ପ୍ରକାଶ ମିଶ୍ର କହିଛନ୍ତି ଯେ ସନାତନଙ୍କ ଗୁରୁତର ଅବସ୍ଥା ବିଷୟରେ ଜାଣିବାକୁ ପାଇବା ପରେ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ । ‘‘ଏହା ପରେ ଧର୍ମେନ୍ଦ୍ର ପ୍ରଧାନ ତାମିଲ ନାଡୁର ମୁଖ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସେଥି ପାଇଁ ସନାତନଙ୍କ ଚିକିତ୍ସାର ବ୍ୟବସ୍ଥା ହୋଇପାରିଛି । ସେ ଶୀଘ୍ର ସୁସ୍ଥ ହେବା ମୁଁ କାମନା କରୁଛି,’’ କହିଛନ୍ତି ମିଶ୍ର ।
First published: April 12, 2020, 10:49 PM IST
corona virus btn
corona virus btn
Loading