କରୋନା ଯୋଦ୍ଧାଙ୍କ ଉପରେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଓଡ଼ିଆଙ୍କୁ ଆଣିଦେଲା ଆନ୍ତର୍ଜାତିକ ପୁରସ୍କାର

ବି.କେ. ଆର୍ଟ କଲେଜର ପ୍ରଫେସର ତଥା ଲେଖକ ଗଜେନ୍ଦ୍ର ପାଢ଼ୀଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଦୁଇ ମିନିଟ ୧୨ ସେକେଣ୍ଡର କ୍ଷୁଦ୍ର ଚଳଚ୍ଚିତ୍ର ‘ୱାରିଅର୍ସ୍ ୱାର୍ ୱିଦିନ୍’ କୋଭିଡ୍-୧୯ରେ ଆକ୍ରାନ୍ତ ନ ହୋଇ ବି ଅନେକ କଷ୍ଟ ସହୁଥିବା ଯୋଦ୍ଧାମାନଙ୍କ କାହାଣୀ କହୁଛି ।

କରୋନା ଯୋଦ୍ଧାଙ୍କ ଉପରେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଓଡ଼ିଆଙ୍କୁ ଆଣିଦେଲା ଆନ୍ତର୍ଜାତିକ ପୁରସ୍କାର
ପ୍ରାମାଣିକ ଚଳଚ୍ଚିତ୍ରର ଏକ ପୋଷ୍ଟର ଓ (ଡାହାଣ) ନିର୍ମାତା-ନିର୍ଦ୍ଦେଶକ ଗଜେନ୍ଦ୍ର ପାଢ଼ୀ
  • News18 Odia
  • Last Updated: November 17, 2020, 11:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସଙ୍ଘର୍ଷର କାହାଣୀ କହୁଛି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ୱାରିଅର୍ସ୍‌ ୱାର୍‌ ୱିଦିନ୍‌’ (Warrior’s War Within) । ଜଣେ କରୋନା ଯୋଦ୍ଧାଙ୍କର ନିଜ ସହ ସଂଗ୍ରାମ ବା ଯୁଦ୍ଧର କଥା କହୁଥିବା ଏହି ଫିଲ୍ମଟି ଆନ୍ତର୍ଜାତିକ ସ୍ତରରେ ସଫଳତା ଲାଭ କରିଛି । ବି.କେ. ଆର୍ଟ କଲେଜର ପ୍ରଫେସର ତଥା ଲେଖକ ଗଜେନ୍ଦ୍ର ପାଢ଼ୀଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଦୁଇ ମିନିଟ ୧୨ ସେକେଣ୍ଡର ଏହି କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କୁ କେତେକ ପୁରସ୍କାର ଆଣିଦେବା ସହ ଆହୁରି ଅନେକ କିଛି କରିବାର ପ୍ରେରଣା ଯୋଗାଇଛି ।

କରୋନା ମହାମାରୀ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ବେଳେ ଜଣେ କରୋନା ଯୋଦ୍ଧା ନିଜେ ନିଜ ସହ ଲଢ଼େଇ କରୁଛନ୍ତି । କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ନର୍ସ କର୍ତ୍ତବ୍ୟ ଆଗରେ ନିଜର କଅଁଳ ଶିଶୁକୁ ଧରି ନ ପାରି କି କ୍ଷୀର ଟିକିଏ ନ ଦେଇପାରି କିଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା ଏହି ଚଳଚ୍ଚିତ୍ରର କାହାଣୀ । କୋଭିଡ୍‌-୧୯ ରୋଗରେ ଆକ୍ରାନ୍ତ ନ ହୋଇ ବି ଯୋଦ୍ଧା ସହୁଛନ୍ତି ଅନେକ କଷ୍ଟ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ମାର୍ଚ୍ଚ ଓ ଏପ୍ରିଲ ମାସରେ ସାରା ଦେଶ କଡ଼ା କଟକଣା ଭିତରେ ଦିନ କାଟୁଥିବା ବେଳେ ଗଜେନ୍ଦ୍ର ଦେଖିଥିଲେ ଏମିତି କିଛି ଯୋଦ୍ଧାମାନଙ୍କ କଷ୍ଟ। ତାଙ୍କ ମନକୁ ଆସିଥିଲା ଏହି ଯୋଦ୍ଧାମାନଙ୍କୁ ନେଇ ଏକ କ୍ଷୁଦ୍ର ଚଳଚିତ୍ର ବନେଇବାର ଆକାଙ୍କ୍ଷା । କଟକଣା ଭିତରେ ମାତ୍ର ଗୋଟିଏ ଦିନରେ ତିଆରି ହୋଇଥିଲା ତାଙ୍କ ଚଳିଚିତ୍ର ‘Warrior’s War Within’.

ଫିଲ୍ମର ସୁଟିଂ ସମୟର ଏକ ଦୃଶ୍ୟ


‘‘କରୋନା ସମୟରେ ଏଭଳି କରୁଣ କାହାଣୀ ଦେଶର ଅନେକ ସ୍ଥାନରେ ଘଟିଥିଲା । ସେ ସବୁ ମୋ’ ମନକୁ ଆନ୍ଦୋଳିତ କରିଥିଲା । ସେହି ଛବି ବା ଘଟଣାଗୁଡ଼ିକୁ ମୁଁ ଏକ ଫିଲ୍ମ ମାଧ୍ୟମରେ ଜୀବନ୍ତ କରିବାକୁ ଚାହିଁଥିଲି । ମୋ’ ପ୍ରଚେଷ୍ଟା ପ୍ରଶଂସିତ ହୋଇଛି ଜାଣି ମୁଁ ଖୁବ୍‌ ଆନନ୍ଦିତ,’’ କହିଛନ୍ତି ଗଜେନ୍ଦ୍ର କୁମାର ପାଢ଼ୀ ।

ଏହା ବି ପଢ଼ନ୍ତୁ | ପଞ୍ଜାବରେ କାର୍ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ପରେ କାର୍ ଭିତରେ ଜଳି ମଲେ ଜଣ ଲୋକ

ଗଜେନ୍ଦ୍ର କୁମାର ବି.କେ. ଆର୍ଟ କଲେଜରେ ଜଣେ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟରତ। ସେ ୧୯୯୧ ମସିହାରୁ ସେଠାରେ କାମ କରିଆସୁଛନ୍ତି । ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପ୍ରତି ବେଶ୍‌ ଆଗ୍ରହ ଥିଲା, ଯାହା ଆଜି ତାଙ୍କୁ ସଫଳତା ଆଣିଦେଇଛି । ତାଙ୍କର ଏହି ଚଳଚ୍ଚିତ୍ରରେ କୌଣସି ଭାଷାର ପ୍ରୟୋଗ ନ କରି ଭାବ ମାଧ୍ୟମରେ ଦର୍ଶକଙ୍କ ମନକୁ ଛୁଇଁବାକୁ ସେ ଚେଷ୍ଟା କରି ସଫଳ ହୋଇଛନ୍ତି ।

କେତେକ ପୁରସ୍କାର ସହ ଗଜେନ୍ଦ୍ର ପାଢ଼ୀ


ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

ଫିଲ୍ମଟି କେବଳ ଓଡ଼ିଶା ବା ଭାରତରେ ନୁହେଁ, ବରଂ ଆନ୍ତର୍ଜାତିକ ସ୍ତରରେ ସଫଳତା ପାଇଛି । ଏହା ଲସ୍‌ ଏଞ୍ଜେଲସ, ଭୁଟାନ ଓ ସିଙ୍ଗାପୁରରେ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହୋଇଛି । ନ୍ୟୁ ୟର୍କ ମୁଭିଜ ଆୱାର୍ଡ ଓ ଆନାଟୋଲିଆ ଆନ୍ତର୍ଜାତିୟ ଚଳଚିତ୍ର ମହୋତ୍ସବରେ ଇସ୍ତାନବୁଲ ଆୱାର୍ଡ ପାଇଁ ବି ଏହା ମନୋନୀତ ହୋଇଛି । ଗଜେନ୍ଦ୍ର କୌଣସି ପୁରସ୍କାର ପାଇଁ ଇଚ୍ଛା କରି ଏହି ଚଳଚ୍ଚିତ୍ରଟି ନିର୍ମାଣ କରି ନ ଥିବା ବେଳେ ଏହି ପୁରସ୍କାରଗୁଡ଼ିକ ତାଙ୍କୁ ଆଣିଦେଇଛି ଅନେକ ଖୁସି ଓ ପ୍ରେରଣା ।

‘‘ଏତେ ଆୱାର୍ଡ଼ ପାଇବି ବୋଲି କେବେ ଭାବି ନ ଥିଲି କି ଆଶା ବି ନ ଥିଲା । ଫିଲ୍ମ ଫେଷ୍ଟିଭଲ ଚାଲିଥିଲା । ଅନେକ ସାଙ୍ଗ କହିଲେ ଫିଲ୍ମଟି ପଠାଇଦେବାକୁ । ତିନି ତିନିଟି ଆୱାର୍ଡ ଆଜି ମୋତେ ଆହୁରି ଭଲ କାମ କରିବାକୁ ପ୍ରେରଣା ଦେଇଛି,’’ କହିଛନ୍ତି ଗଜେନ୍ଦ୍ର ।



ପୂର୍ବରୁ ଦିବ୍ୟାଙ୍ଗମାନଙ୍କୁ ନେଇ ‘ଜୀବନ ଜୁଆର’ ଓ ‘ଏ ଦୁନିଆଟା ଗୋଲ୍‌’ ଏବଂ ନବରସକୁ ନେଇ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ରସାଭିସାର’ ନିର୍ମାଣ କରିଛନ୍ତି ସେ । ଆଗକୁ ଏଭଳି ନିଚ୍ଛକ କାହାଣୀକୁ ଆଧାର କରି ଚଳଚିତ୍ର ନିର୍ମାଣ କରିବା ପାଇଁ ସେ ଯୋଜନା ରଖିଛନ୍ତି ବୋଲି କହିଛନ୍ତି ।
Published by: Anand Shankar Thankur Das
First published: November 17, 2020, 11:38 PM IST
corona virus btn
corona virus btn
Loading