ଅଭିନେତା ଅଜିତ୍‌ ଦାସ ଆଉ ନାହାନ୍ତି; ୭୧ ବର୍ଷ ବୟସରେ ତାଙ୍କୁ କରୋନା ଛଡ଼େଇନେଲା

ଅଜିତ୍‌ ଦାସ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ‘ହାକିମ ବାବୁ’ ଫିଲ୍ମରେ ତାଙ୍କ ଅଭିନୟ ସବୁ ଦିନ ପାଇଁ ମନେ ରହିବ । ‘ଗୋଲାମଗିରି’ ଫିଲ୍ମରେ ଖଳନାୟକ ଚରିତ୍ରକୁ ଖୁବ୍‌ ସୁନ୍ଦର ଭାବେ ଫୁଟାଇଥିଲେ ସେ ।

ଅଭିନେତା ଅଜିତ୍‌ ଦାସ ଆଉ ନାହାନ୍ତି; ୭୧ ବର୍ଷ ବୟସରେ ତାଙ୍କୁ କରୋନା ଛଡ଼େଇନେଲା
ଅଭିନେତା ଅଜିତ ଦାସ
  • News18 Odia
  • Last Updated: September 13, 2020, 5:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତ ଓଲିଉଡ୍‌କୁ (Ollywood) ଆଉ ଏକ ଧକ୍କା ଲାଗିଛି । ବର୍ଷିଆନ ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ ହୋଇଯାଇଛି (Odia actor Ajit Das dies)। କରୋନା ମହାମାରୀରେ (Coronavirus) ଆକ୍ରାନ୍ତ ହେବା ପରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ବର୍ଷିଆନ ଓଡ଼ିଆ ଅଭିନେତା ଅଜିତ୍‌ ଦାସ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ‘ସିନ୍ଦୂର ବିନ୍ଦୁ’ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲେ । ଅଜିତଙ୍କ ଫିଲ୍ମ କରିୟରରେ ‘ସନ୍ଧ୍ୟା ତାରା’, ‘ଆହୁତି’, ‘ପୁନର୍ମିଳନ’, ‘କୁଳ ଚନ୍ଦ୍ରମା’, ‘କେବେ ତମେ ନାହଁ, କେବେ ମୁଁ ନାହିଁ’ ଆଦି ଫିଲ୍ମ ଖୁବ୍‌ ଦର୍ଶକୀୟ ଆଦୃତି ପାଇଥିଲା ।

‘ହାକିମ ବାବୁ’ ଫିଲ୍ମରେ ତାଙ୍କ ଅଭିନୟ ସବୁ ଦିନ ପାଇଁ ମନେ ରହିବ । ‘ଗୋଲାମଗିରି’ ଫିଲ୍ମରେ ଖଳନାୟକ ଚରିତ୍ରକୁ ଖୁବ୍‌ ସୁନ୍ଦର ଭାବେ ଫୁଟାଇ ପାରିଥିଲେ ଅଜିତ ଦାସ ।

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୧୯୪୯ରେ ଜନ୍ମ ହୋଇଥିଲେ ଅଜିତ । ଚଳଚ୍ଚିତ୍ର, ଟେଲିଭିଜନ ଓ ମଞ୍ଚ ନାଟକରେ ସେ ଥିଲେ ଜଣେ ସଫଳ ଅଭିନେତା । 'ଅଜିତ' ନାମକ ସଂସ୍ଥା ମାଧ୍ୟମରେ ସେ ନାଟ୍ୟ ଶିକ୍ଷା ବି ଦେଇ ଆସୁଥିଲେ ।

ଅଜିତ ନ୍ୟାସନାଲ ସ୍କୁଲ୍‌ ଅଫ୍‌ ଡ୍ରାମାରେ ଶିକ୍ଷା ଲାଭ କରିଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବହୁ ବର୍ଷ ଅଧ୍ୟାପନା କରିଥିଲେ ସେ । କିଛି ବର୍ଷ ପାଇଁ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବି ଥିଲେ ।

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ବିୟୋଗରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି । ‘‘ଅଜିତ ଉଚ୍ଚ କୋଟୀର ଅଭିନେତା ଓ ନିର୍ଦେଶକ ଭାବେ ସ୍ମରଣୀୟ ହୋଇ ରହିବେ । ଓଡ଼ିଆ ସିନେପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଜିତ । ତାଙ୍କ ବିୟୋଗ ଚଳଚ୍ଚିତ୍ର ଓ ନାଟ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି,’’ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଅଜିତ ଦାସଙ୍କ ବିୟୋଗରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଅଜିତଙ୍କ ପାଇଁ ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଶୋକ ବ୍ୟକ୍ତ କରି କହିଛନ୍ତି ଯେ ଅଜିତଙ୍କ ବିୟୋଗ ଚଳଚ୍ଚିତ୍ର ଓ ନାଟ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ‘‘ଓଡ଼ିଶା ମାଟି ଜଣେ ବଳିଷ୍ଠ ବ୍ୟକ୍ତିତ୍ବଙ୍କୁ ହରାଇଲା,’’ କହିଛନ୍ତି ରଥ ।



ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଜିତ ଦାସଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ ତାଙ୍କ ଦେହାନ୍ତ ଓଡ଼ିଶାବାସୀଙ୍କ ପାଇଁ ଓ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ‘‘ଅଜିତ ଦାସ ଜଣେ ବ୍ୟକ୍ତି ନ ଥିଲେ ।​ କଳାକାର ସୃଷ୍ଟି କରିବାର ଏକ ଅନୁଷ୍ଠାନ ଥିଲେ ସେ । ଉଚ୍ଚ କୋଟୀର ଅଭିନୟ ପାଇଁ​ ସେ ଦର୍ଶକଙ୍କ ହୃଦୟରେ ସବୁ ଦିନ ରହିବେ,’’ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
Published by: Anand Shankar Thankur Das
First published: September 13, 2020, 5:32 PM IST
corona virus btn
corona virus btn
Loading