କଟକରେ ଅନଲାଇନ ପାଠପଢ଼ା ବେଳେ ପିଲାଙ୍କ ହ୍ୱାଟ୍ସଆପ୍ ଗୃପରେ ପଡ଼ିଲା ‘ଅଶ୍ଳୀଳ’ ଫଟୋ

ଖୋଦ୍ ସ୍କୁଲର ପ୍ରଧାନ ଶିକ୍ଷକ ହିଁ ଏହି ଅଶ୍ଳୀଳ ଫଟୋର ଲିଙ୍କ୍ ଶେୟାର୍ କରିଥିଲେ । ତାକୁ ଦେଖି ଅଭିଭାବକମାନଙ୍କ ହୋସ୍ ଉଡ଼ିଯାଇଥିଲା । ପ୍ରଧାନ ଶିକ୍ଷକଙ୍କ ନାଁରେ ଏକ FIR ଦାୟର କରାଯାଇଛି । କଟକରେ ଏହା ଏହି ପ୍ରକାରର ଦ୍ୱିତୀୟ ଘଟଣା ।

କଟକରେ ଅନଲାଇନ ପାଠପଢ଼ା ବେଳେ ପିଲାଙ୍କ ହ୍ୱାଟ୍ସଆପ୍ ଗୃପରେ ପଡ଼ିଲା ‘ଅଶ୍ଳୀଳ’ ଫଟୋ
ପିଲାଙ୍କ ପାଇଁ ଥିବା ସ୍କୁଲର ହ୍ୱାଟ୍ସଆପ୍ ଗୃପ୍ ଓ (ଡାହାଣ) ଅଭିଯୁକ୍ତ ପ୍ରଧାନ ଶିକ୍ଷକ
  • News18 Odia
  • Last Updated: August 1, 2020, 8:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଲକଡାଉନ୍‌ କାରଣରୁ ସ୍କୁଲ ସବୁ ବନ୍ଦ ଅଛି ଓ ଅନଲାଇନରେ ପାଠପଢ଼ା ଚାଲିଛି । ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀମାନେ ଅନଲାଇନରେ ପିଲାଙ୍କୁ ଶିକ୍ଷା ଦାନ କରୁଥିବା ବେଳେ ଉଭୟଙ୍କୁ ବିଭିନ୍ନ ଅବ୍ୟବସ୍ଥାର ସାମନା କରିବାକୁ ହେଉଛି । ହେଲେ କଟକ ଦରଘାବଜାରରେ ଥିବା ଏକ ପ୍ରତିଷ୍ଠିତ ତଥା ପୁରାତନ ସରକାରୀ ସ୍କୁଲରେ ଏକ ଅକ୍ଷମଣୀୟ ଘଟଣା ଘଟିଛି । ଅନଲାଇନ୍‌ ଶିକ୍ଷା ଦାନ ବେଳେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ହ୍ୱାଟ୍ସଆପ୍‌ ଗୃପରେ ଜଣେ ଶିକ୍ଷକଙ୍କ ଦ୍ୱାରା ଏକ ଅଶ୍ଳୀଳ ଲିଙ୍କ୍‌ ଶେୟାର୍‌ କରାଯାଇଛି ।

ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍କୁଲର ହ୍ବାଟ୍ସଆପ ଗୃପରେ ଅନଲାଇନ ପାଠପଢା ଚାଲିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ହିଁ ଏହି ଲିଙ୍କ୍‌ ସେହି ଗୃପରେ ସେୟାର କରିଥିଲେ । କିଛି ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଧାନ ଶିକ୍ଷକ ଏହି ଲିଙ୍କ ମାଧ୍ୟମରେ ଦେଇଥିବା ଭାବି ଅଭିଭାବକମାନେ ଏହାକୁ ଖୋଲିବା ବେଳକୁ ସମସ୍ତଙ୍କର ହୋସ ଉଡ଼ିଯାଇଥିଲା । କାରଣ ତାହା ଥିଲା ଏକ ଅଶ୍ରୀଳ ଫଟୋ ଚିତ୍ର ଥିବା ଏକ ୱେବସାଇଟର ଲିଙ୍କ୍ ।

ଏହା ଦେଖି କିଛି ଅଭିଭାବକ ସଙ୍ଗେ ସଙ୍ଗେ ସେହି ଗୃପରୁ ବାହାର ହୋଇଯାଇଥିଲେ । ଆଉ କିଛି ପିଲାଙ୍କ ଠାରୁ ମୋବାଇଲ ଫୋନ୍‌ ନେଇଯାଇଥିଲେ । ଆଶ୍ଚର୍ଯ୍ୟର କଥା ଯେ ମଧ୍ୟାନ୍ନ ୧ଟା ୧୧ ମିନିଟରୁ ସେହି ଲିଙ୍କ୍‌ଟି ଅପରାହ୍ଣ ପର୍ଯ୍ୟନ୍ତ ସେହି ଗୃପରେ ରହିଥିଲା । ସନ୍ଧ୍ୟା ୫ଟା ୧୨ ମିନିଟରେ ନିଜେ ପ୍ରଧାନ ଶିକ୍ଷକ ହିଁ ତାକୁ ଡିଲିଟ୍ କରିଥିଲେ । ଏହା ପରେ ସେହି ହ୍ବାଟ୍ସଆପ ଗୃପକୁ ସ୍କୁଲ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା ।

ଏହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଧିରେନ୍ଦ୍ର ନାଥ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦରଘାବଜାର ଥାନାରେ ଏକ ଏତାଲା ଦାୟର ହୋଇଛି । ବାସ୍ତବରେ ସେହି ଲିଙ୍କ୍‌ ବିଭିନ୍ନ ସାଇଜର ବ୍ରା, ସେଗୁଡ଼ିକର ନାମକରଣ ଓ ଅର୍ଥ ସମ୍ବନ୍ଧୀୟ ତଥ୍ୟ ଓ ଛବି ସମ୍ବଳିତ ଏକ ଅନଲାଇନ୍‌ ପୃଷ୍ଠା ଥିଲା ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ


‘‘ଏହି ଘଟଣା ଗତ ୩୦ ତାରିଖ ଦିନ ଘଟିଛି । ସେହି ହ୍ବାଟ୍ସଆପ ଗୃପରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଛି । ତାଙ୍କ ପିତାମାତାମାନେ ମଧ୍ୟ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଏହି କାର୍ଯ୍ୟ ଯୋଗୁଁ ଦୁଶ୍ଚିନ୍ତା ମଧ୍ୟରେ ଅଛନ୍ତି । ଏହା ବ୍ୟତୀତ ଆମ ସ୍କୁଲର ସମ୍ମାନରେ ମଧ୍ୟ ଆଞ୍ଚ ଆସିଛି । ତେଣୁ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଦରଘାବଜାର ଥାନାରେ ଏକ ଏତାଲା ଦେଇଛୁ । ଏହା ସହ ତାଙ୍କୁ ତୁରନ୍ତ ନିଲମ୍ବିତ କରିବା ପାଇଁ ଦାବି କରୁଛୁ,’’ କହିଛନ୍ତି ସମ୍ପୃକ୍ତ ସ୍କୁଲର ପରିଚାଳନା କମିଟି ସଦସ୍ୟ ଅରୁଣ ସାହୁ ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ‘‘ଏ ସମ୍ପର୍କରେ ମୋ’ ପାଖରେ କୌଣସି ଖବର ନାହିଁ । ଅଭିଯୋଗ ଆସିଲେ ତା’ର ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଏହା ବି ପଢ଼ନ୍ତୁ: ‘‘ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି? ଇ-ଦର୍ଶନ ତ ଦର୍ଶନ ନୁହେଁ,’’ କହିଲେ ସୁପ୍ରିମ୍ କୋର୍ଟ

ଏହା ବି ପଢ଼ନ୍ତୁ:  ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଏହି ଘଟଣା ବିଷୟରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ମୋବାଇଲ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲା, ହେଲେ ତାହା ସୁଇଚ୍ଡ ଅଫ୍‌ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏହା ପ୍ରଥମ ଘଟଣା ନୁହେଁ । କିଛି ଦିନ ପୂର୍ବରୁ କଟକ ସହରର ଆଉ ଏକ ପ୍ରତିଷ୍ଠିତ ସ୍କୁଲରେ ଅନଲାଇନ ପାଠପଢ଼ା ଚାଲିଥବା ବେଳେ ଜଣେ କେହି ବ୍ୟକ୍ତି ସେହି ଗୃପରେ ଏକ ଅଶ୍ଳୀଳ ଭିଡ଼ିଓ ପୋଷ୍ଟ କରିଥିଲା । ଫଳରେ ସ୍କୁଲ ପକ୍ଷରୁ ବେଶ୍‌ କିଛି ଦିନ ଧରି ଅନଲାଇନ ପାଠପଢ଼ା ବନ୍ଦ ହେବା ସହ ଚାଉଳିଆଗଞ୍ଜ ଥାନାରେ ଏ ନେଇ ଏକ ମାମଲା ମଧ୍ୟ ଦାୟର କରାଯାଇଥିଲା । ​



ଏବେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ସରକାରୀ ଓ ବେସରକାରୀ ସବୁ ସ୍କୁଲ ବନ୍ଦ ରହିଛନ୍ତି ଓ ଅନଲାଇନରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ଏହି ପ୍ରକାର ଅବାଞ୍ଛନୀୟ ଘଟଣା ପରେ ଅନଲାଇନ୍‌ ଶିକ୍ଷାଦାନ ଉପରେ ଶିକ୍ଷା ଅଧିକାରୀମାନେ କଡ଼ା ନଜର ରଖିବା ଉଚିତ ବୋଲି କହିଛନ୍ତି ଶିକ୍ଷାବିତ୍‌ ଓ ସହରର ପ୍ରବୁଦ୍ଧ ନାଗରିକମାନେ ।
Published by: Anand Shankar Thankur Das
First published: August 1, 2020, 8:55 PM IST
corona virus btn
corona virus btn
Loading