କରୋନା ଭାଇରସ୍: କଟକ ବଡ଼ ମେଡିକାଲରେ ବଢ଼ିଲା ସନ୍ଦିଗ୍ଧ ରୋଗୀଙ୍କ ପାଇଁ ବିଛଣା ସଂଖ୍ୟା

ଦୁଇ ଜଣ ଚ଼ୀନ ଫେରନ୍ତା ଓଡ଼ିଆ – ଜଣେ ଡାକ୍ତରୀ ଛାତ୍ରୀ ଓ ଜଣେ ଡାକ୍ତରୀ ଛାତ୍ର – ଏବେ ଏସ୍.ସି.ବି.ର କରୋନା ୱାର୍ଡ଼ରେ ନୀରିକ୍ଷଣରେ ଅଛନ୍ତି । ଦେଶରେ ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ସପ୍ତାହେ ପୂର୍ବରୁ ୪୦ଟି ବେଡ୍ ସହ ଆରମ୍ଭ ହୋଇଥିବା କରୋନା ୱାର୍ଡରେ ବେଡ ସଂଖ୍ୟା ବଢ଼େଇ ୭୬ କରିଛନ୍ତି ।

କରୋନା ଭାଇରସ୍: କଟକ ବଡ଼ ମେଡିକାଲରେ ବଢ଼ିଲା ସନ୍ଦିଗ୍ଧ ରୋଗୀଙ୍କ ପାଇଁ ବିଛଣା ସଂଖ୍ୟା
ଏସ୍‌.ସି.ବି. ହସ୍‌ପିଟାଲ୍‌ରେ କରୋନା ୱାର୍ଡ଼ର ଏକ ଦୃଶ୍ୟ
  • News18 Odia
  • Last Updated: February 3, 2020, 4:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସମଗ୍ର ବିଶ୍ବ ଏବେ କରୋନା ଭାଇରସ୍‌ ଭୟରେ ଥରହର ହେଉଥିବା ବେଳେ ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତି ସ୍ଥଳ ଚ଼ୀନରେ ସ୍ଥିତି ଉଦବେଗଜନକ ରହିଛି, ହେଲେ ଭାରତରେ ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏଠାରେ ବି ଚ଼ିନ୍ତା ବଢ଼ିଛି । କଟକ ବଡ ମେଡିକାଲରେ ଗଲା ଦୁଇ ଦିନ ମଧ୍ୟରେ ଦୁଇ ଜଣ ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇ ସାରିଛନ୍ତି । ଉଭୟଙ୍କ ସ୍ୱାବ୍‌ ଓ ରକ୍ତ ନମୂନାର ରିପୋର୍ଟ ଆସି ନ ଥିଲେ ମଧ୍ୟ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଛି ଡାକ୍ତରୀ ଟିମ୍‌ ।

ଗତକାଲି ଏସସିବିରେ ଭର୍ତ୍ତି ହୋଇଥିବା ଜଣେ ଚ଼ୀନ୍ ଫେରନ୍ତା ଡାକ୍ତରୀ ଛାତ୍ରୀଙ୍କ ସ୍ୱାବ୍‌ ଓ ରକ୍ତ ନମୂନାକୁ ପରୀକ୍ଷା ପାଇଁ ଆଜି ଭୁବନେଶ୍ୱରସ୍ଥ ଆର୍‌.ଏମ୍‌.ଆର୍‌.ସି.କୁ ପଠାଯାଇଛି । ସେଠାରୁ ସେହି ନମୂନାଗୁଡିକୁ ଆଜି ହିଁ ପୁନେ ସ୍ଥିତ ଏନ୍‌.ଆଇ.ଭି.କୁ ପଠାଯିବ । ତେବେ ସମ୍ପୃକ୍ତା ଛାତ୍ରୀଜଣଙ୍କ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଅର୍ଥାତ ଚ଼ୀନର ଉହାନ୍ ପ୍ରଦେଶରୁ ଆସିଥିବାରୁ ତାଙ୍କ ପ୍ରତି ଆଶଙ୍କା ବୃଦ୍ଧି ପାଇଛି ।

‘‘ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସମ୍ପୃକ୍ତ ସନ୍ଧିଗ୍ଧ ରୋଗୀଜଣଙ୍କୁ ଅବଜରଭେସନରେ ରଖାଯାଇଛି । ଶନିବାର ଦିନ ଭର୍ତ୍ତି ହୋଇଥିବା କନ୍ଧମାଳର ଅନ୍ୟ ଜଣେ ଚ଼ୀନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ପରୀକ୍ଷା ରିପୋର୍ଟ ଆସନ୍ତାକାଲି ସୁଦ୍ଧା ଆସି ପାରେ । ଯଦି କୌଣସି ରୋଗୀଙ୍କ ନମୂନା ପଜିଟିଭ୍ ଆସେ ତେବେ ସେମାନଙ୍କୁ ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯିବା ସହ ଗାଇଡଲାଇନ୍ ଅନୁସାରେ ତାଙ୍କର ଚିକିତ୍ସା କରାଯିବ,’’ କହିଛନ୍ତି ଏସ୍‌.ସି.ବି.ର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଚ଼ୀନର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶହ ଶହ ସଂଖ୍ୟାରେ ଓଡିଆ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଅନେକ ଓଡିଆ ମଧ୍ୟ ସେଠାରେ ରହୁଛନ୍ତି । ତେବେ ଅନ୍ୟମାନଙ୍କ ସହ ସେମାନେ ମଧ୍ୟ ସ୍ୱଦେଶ ଫେରିବା ଆରମ୍ଭ କରିଛନ୍ତି । ଯଦି ସେମାନଙ୍କ ମଧ୍ୟରେ କାହା ଠାରେ ବି କରୋନା ଭାଇରସ୍‌ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଏ, ତେବେ ସେମାନେ ମଧ୍ୟ ହସପିଟାଲରେ ଭର୍ତ୍ତି ହୋଇପାରନ୍ତି ।

ଏଭଳି ପରିସ୍ଥିତିରେ ଗୋଟିଏ ସପ୍ତାହ ପୂର୍ବରୁ ୪୦ଟି ବେଡ୍‌ ସହ ଆରମ୍ଭ ହୋଇଥିବା ଏସସିବିର କରୋନା ୱାର୍ଡର ବେଡ ସଂଖ୍ୟା ବୃଦ୍ଧି ପାଇ ଆଜି ୭୬ରେ ପହଞ୍ଚିଛି ।

‘‘ଯଦି ଆବଶ୍ୟକ ହୁଏ ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସେ, ତେବେ ଏହି ବେଡ୍ ସଂଖ୍ୟାକୁ ୩୦୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଏସସବି ପ୍ରସ୍ତୁତ ଅଛି,’’ କହିଛନ୍ତି ଡାକ୍ତର ମହାରଣା ।

ଏସସବିର କରୋନା ୱାର୍ଡରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କୁ ରୋଗୀଙ୍କ ପାଖକୁ ଯିବା ପୂର୍ବରୁ ପର୍ସନାଲ୍ ପ୍ରୋଟେକ୍ସିଭ୍ କିଟ୍ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି ।

ଏସସିବିରୁ ମିଳିଥିବା ଏକ ସୂଚନା ମୁତାବକ ବର୍ତ୍ତମାନ ଚକ୍ଷୁ ବିଭାଗର କେବଳ ଦୁଇଟି ମହଲାକୁ କୋରୋନା ୱାର୍ଡ ଭାବେ ଘୋଷଣା କରାଯାଇଛି । ଯଦି ପରିସ୍ଥିତି ଅଧିକ ଉତ୍କଟ ହୁଏ ତେବେ ପୂରା ଚକ୍ଷୁ ବିଭାଗର ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାକୁ କରୋନା ୱାର୍ଡ ଭାବେ ପ୍ରସ୍ତୁତ କରାଯାଇ ପାରିବବୋଲି କହିଛନ୍ତି ଡାକ୍ତରମାନେ ।
First published: February 3, 2020, 4:27 PM IST