କରୋନା ମୁକାବିଲା: ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ

ମହାମାରୀ ଆଇନରେ ଦଣ୍ଡ ବ୍ୟବସ୍ଥାକୁ କଠୋର କରାଯାଇ ପ୍ରଥମ ତିନି ଥର ଯାଏଁ ମାସ୍କ ପିନ୍ଧିବା ନିୟମ ଉଲ୍ଲଙ୍ଘନ କଲେ ୨୦୦ ଟଙ୍କା ଲେଖାଏଁ ଜୋରିମାନାର ପ୍ରାବଧାନ କରାଯାଇଛି । ତା’ ପର ଠାରୁ ୫୦୦ ଟଙ୍କା ତଣ୍ଡ ଗଣିବେ ଉଲ୍ଲଙ୍ଘନକାରୀ ।

କରୋନା ମୁକାବିଲା: ଏଣିକି ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ ହେବ, ଜେଲ୍ ଦଣ୍ଡ ବି ହୋଇପାରେ
ଭୁବନେଶ୍ୱରରେ ମାସ୍କ ପିନ୍ଧି ସାଇକେଲ ଚଳାଇ ଜଣେ ବ୍ୟକ୍ତି ଯାଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସର ମୁକାବିଲା କରିବା ପାଇଁ ଏଣିକି ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରକୁ ବାହାରିବା ବେଳେ ମାସ୍କ ନ ପିନ୍ଧିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ।

ମହାମାରୀ ଆଇନରେ ଦଣ୍ଡ ବ୍ୟବସ୍ଥାକୁ କଠୋର କରାଯାଇ ପ୍ରଥମ ତିନି ଥର ଯାଏଁ ମାସ୍କ ପିନ୍ଧିବା ନିୟମ ଉଲ୍ଲଙ୍ଘନ କଲେ ୨୦୦ ଟଙ୍କା ଲେଖାଏଁ ଜୋରିମାନାର ପ୍ରାବଧାନ କରାଯାଇଛି । ତା’ ପର ଠାରୁ ୫୦୦ ଟଙ୍କା ତଣ୍ଡ ଗଣିବେ ଉଲ୍ଲଙ୍ଘନକାରୀ । ଉଲ୍ଲଙ୍ଘନକାରୀଙ୍କୁ ଦୁଇ ବର୍ଷ ଯାଏ ଜେଲ୍‌ ଦଣ୍ଡ ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ହୋଇପାରେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ରାସ୍ତା ଘାଟରେ ଚେକିଂରେ ଲାଗିଥିବା ପୋଲିସ ବି ଲୋକଙ୍କୁ ମାସ୍କ ନ ପିନ୍ଧିଲେ ନିସ୍ତାର ନାହିଁ ବୋଲି ସଫା ସଫା କହି ଦେଇଛି । ରାଜଧାନୀ ଭୁବନେଶ୍ୱର ସାରା ପୋଲିସର ପ୍ରଚାର ଗାଡ଼ି ବୁଲି ବୁଲି ଲୋକଙ୍କୁ ଏହି କଛା କହୁଛି । ମାସ୍କ ନ ପିନ୍ଧି ଘରୁ ବାହାରିଲେ ଫାଇନ୍ ଲାଗିବା ନିୟମ ଜାରି ହେବାକୁ ଆଜି ମଧ୍ୟାନ୍ନ ପରେ ଭୁବନେଶ୍ବରର ଅଧିକାଂଶ ସ୍ଥାନରେ ଲୋକେ ମାସ୍କ ପିନ୍ଧୁଥିବା ଦେଖାଯାଇଥିଲା । କିଛି ବେପରୁଆ ଲୋକେ ବିଭିନ୍ନ ଆଳ ଦେଖାଇ ଖସି ଯାଉଥିବା ବେଳେ ଆଉ କେତେକ ପାଖରେ ମାସ୍କ ରଖି ମଧ୍ୟ ପିନ୍ଧୁ ନ ଥିବା ଦେଖାଯାଇଥିଲା ।

ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧାଉଛନ୍ତି ଜଣେ ପୋଲିସ୍ କର୍ମୀ ।


ଆଜି ଭୁବନେଶ୍ୱରରେ ବିଭିନ୍ନ ପରିବା ଦୋକାନୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ବ୍ୟବସାୟୀଙ୍କୁ ମାସ୍କ ପିନ୍ଧାଇ ସଚେତନ କରାଇଥିଲେ ପୋଲିସ୍‌ କର୍ମୀମାନେ । ଲକଡାଉନ ପାଇଁ ପୂରା ସହରରେ ନାକାବନ୍ଦୀ ଲାଗିଛି । ସବୁ ଛକରେ କଡ଼ାକଡ଼ି ଚେକିଂ ହେଉଛି । ଏଜି, ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଓ ବାଣୀବିହାର ଆଦି ପ୍ରମୁଖ ଛକରେ ଘନ ଘନ ପଇଁତରା ମାରୁଛି ପୋଲିସ ଗାଡ଼ି । କେବଳ ପାସଧାରୀ ଓ ଜରୁରୀ ସେବାରେ ଲାଗିଥିବା ଗାଡ଼ିକୁ ଯିବାକୁ ମିଳୁଛି ଅନୁମତି । ସଚେତନତା ସହ ପୋଲିସର ୨୪ ଘଣ୍ଟିଆ ଡ୍ୟୁଟିକୁ ସାବାସି ଦେଇଛନ୍ତି ରାଜଧାନୀବାସୀ ।

କଟକରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି । ମାଇକ୍‌ ଯୋଗେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ସଚେତନ କରୁଛି ପୋଲିସ । ବିଗତ ତିନି ଦିନ ଧରି ପୋଲିସର କଡ଼ା ଆଭିମୁଖ୍ୟ ପରେ ବଦଳି ଯାଇଛି କଟକବାସୀଙ୍କ ହାବଭାବ । ଅଧିକାଂଶ ଲୋକେ ମୁହଁରେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି । ପିଲା ଠାରୁ ବୟସ୍କ ସମସ୍ତେ ମାସ୍କ କିମ୍ବା ରୁମାଲରେ ମୁହଁକୁ ଢାଙ୍କୁଛନ୍ତି । ରାସ୍ତାଘାଟରେ ଆଉ ବେଶୀ ଗହଳିଚହଳି ଦେଖିବାକୁ ମିଳୁନି । ପରିବା କି ଗ୍ରୋସରୀ କିଣିବା ବେଳେ ଲୋକେ ମାନୁଛନ୍ତି ସାମାଜିକ ଦୂରତା ନିୟମ । ବ୍ୟବସାୟୀଙ୍କ ଠାରୁ ଗ୍ରାହକ ପର୍ଯ୍ୟନ୍ତ  ସମସ୍ତେ ସଚେତନ ହୋଇଛନ୍ତି ।
First published: April 9, 2020, 7:12 PM IST
corona virus btn
corona virus btn
Loading