ଏ ଥର ରଥ ଯାତ୍ରା ହେବ ତ? ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତି ଆରମ୍ଭ, ହେଲେ ସ୍ଥିତି ଅସ୍ପଷ୍ଟ ରହିଛି

ଏପ୍ରିଲ ୨୬ ଅକ୍ଷୟ ତୃତୀୟାରୁ ରଥ ନର୍ମାଣ ଆରମ୍ଭ ହେବ । ହେଲେ କରୋନା ଭାଇରସ୍ ଓ ଲକଡାଉନ୍ ଯୋଗୁଁ ଏ ବର୍ଷ ରଥ ଯାତ୍ରା ହେବ କି ନାହିଁ ସେ ନେଇ ସରକାର ଏ ଯାଏଁ କିଛି ନିଷ୍ପତ୍ତି ନେଇ ନାହାନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଏ ଥର ରଥ ଯାତ୍ରା ହେବ ତ? ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତି ଆରମ୍ଭ, ହେଲେ ସ୍ଥିତି ଅସ୍ପଷ୍ଟ ରହିଛି
ଶ୍ରୀମନ୍ଦିର ସାମନାରେ କିଛି ଭକ୍ତ ହାତ ଟେକି ମହାପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି ।
  • News18 Odia
  • Last Updated: April 15, 2020, 9:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଲକଡାଉନ ଜାରି ଥିବା ବେଳେ ଏପ୍ରିଲ ୨୬ ଅକ୍ଷୟ ତୃତୀୟା ଦିନ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ରଥ ନର୍ମାଣର ଅନୁକୁଳ ହେବ । ଏ ବର୍ଷ ଜୁନ ୨୩ରେ ପଡ଼ୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅକ୍ଷୟ ତୃତୀୟା ଦିନ ଠାରୁ ହାଜର ହେବାକୁ ରଥ ନିର୍ମାଣ ସେବାୟତଙ୍କୁ ଜାରୀ ହୋଇଛି ଚିଠି ।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ନୀତି ପ୍ରଶାସକଙ୍କ ସହ ଚନ୍ଦନ ଯାତ୍ରା ନୀତି ଓ ରଥ ନିର୍ମାଣରେ ସାମାଜିକ ଦୂରତ୍ୱ କିଭଳି ବଜାୟ ରଖିହେବ ସେ ନେଇ ଆଲୋଚନା କରିଛନ୍ତି । ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡର ରଥଖଳାରେ ଷଷ୍ଠ ପର୍ଯ୍ୟାୟର ରଥ କାଠ ଆସି ପହଞ୍ଚିସାରିଲାଣି । ରଥଯାତ୍ରାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରି ନ ଥିଲେ ସୁଦ୍ଧା ସେବାୟତମାନଙ୍କ ସହ ଆଲୋଚନ ପରେ ଏ ଥର ରଥ ଯାତ୍ରା କେମିତି ପାଳନ କରାଯିବ ସେ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ।

ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟାର ପବିତ୍ର ତିଥିରେ ରଥ ନିର୍ମାଣର ଅନୁକୁଳ ପର୍ବ । ସେହି ଦିନ ଠାରୁ ମହାପ୍ରଭୁଙ୍କ ୪୨-ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ୨୧-ଦିନିଆ ବାହାର ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ ଚଳନ୍ତି ପ୍ରତିମା । ଆଉ ଉଭଁରି ସରିବା ପରେ ତା’ ପର ଦିନ ଶ୍ରୀମନ୍ଦିର ଭିତରେ ୨୧-ଦିନିଆ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବ ।

ରଥ ନିର୍ମାଣ ପାଇଁ କାଠ ଆସି ପହଞ୍ଚିବାରେ ଲାଗିଛି ।


‘‘ଏଥି ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ନୀତି ପ୍ରଶାସକଙ୍କ ସହ ବୈଠକ କରି ନୀତି ନିର୍ଘଣ୍ଟ କରିଛନ୍ତି । ପ୍ରଥମେ ଅକ୍ଷୟ ତୃତୀୟା ଉପରେ ଫୋକସ କରାଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ହେବ ବର୍ତ୍ତମାନ ସ୍ଥିତିରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳଙ୍କ ସହ ଆଲୋଚନା ହୋଇଛି । ସେବାୟତମାନେ ପ୍ରସ୍ତୁତ ରହିଛନ୍ତି । ମୁଖ୍ୟ ପ୍ରଶାସକ ଛତିଶା ନିଯୋଗ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ପରେ ଯାହା କିଛି ପଦକ୍ଷେପ ନିଆଯିବ । ମହାପ୍ରଭୁଙ୍କ ସେବକ ଭାବେ ଆମେ ପ୍ରସ୍ତୁତ ରହିଛୁ, ହେଲେ ସବୁକିଛି ମହାପ୍ରଭୁଙ୍କ ଇଛା,’’ କହିଛନ୍ତି ପୁଜା ପଣ୍ଡା ନିଯୋଗର ସମ୍ପାଦକ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ପୁଜାପଣ୍ଡା ।

ରଥଯାତ୍ରା ଏ ବର୍ଷ କିଭଳି ପାଳନ ହେବ ସେ ନେଇ ରାଜ୍ୟ ସରକାର ସଠିକ ଭାବେ ନିଷ୍ପତ୍ତି ନେବେ ବୋଲି ବଶ୍ୱାସ ପ୍ରକଟ କରିଛନ୍ତି ସେବାୟତ ଓ ଦଇତାପତିମାନେ । ରାଜ୍ୟ ସରକାର ବା ଆଇନ ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବା ପରେ ତାଙ୍କ ପଦକ୍ଷେପ ଓ ପ୍ରସ୍ତାବକୁ ନେଇ ଶେଷ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସେମାନେ ।

‘‘ମହାପ୍ରଭୁଙ୍କ ପରମ୍ପରା କେବେ ବି ସେବାୟତମାନେ ବନ୍ଦ କରିବେ ନାହିଁ । ରଥଯାତ୍ରା କରିବେ ବୋଲି ସେବାୟତମାନେ ଅଣ୍ଟା ଭିଡ଼ି ପ୍ରସ୍ତୁତ ହେଲେଣି । ଯଦି ସେତେବେଳେ ବି କରୋନା ମହାମାରୀର ଆତଙ୍କ ଥିବ, ତେବେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା କରିବା ପାଇଁ ସେବାୟତମାନେ ରଥ ସମନ୍ୱୟ ବୈଠକ ଓ ଛତିଶା ନିଯୋଗ ବୈଠକରେ ପ୍ରସ୍ତାବ ଦେବେ । ରଥଯାତ୍ରାରେ ଭକ୍ତମାନେ ନ ଆସି ଗଣମାଧ୍ୟମ ଜରିଆରେ ଘରେ ରହି ଦେଖିବେ,’’ କହିଛନ୍ତି ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ।

ଆଇନ ମନ୍ତ୍ରୀ ପ୍ରତାପ ଜେନା


ରଥ ନିର୍ମାଣ ପାଇଁ କଟକ ଖପୁରିଆ କରତ କଳରେ ଶ୍ରୀରାମ ନବମୀ ଠାରୁ କାଠ ଚିରଟ ପକ୍ରିୟା ଚାଲିଛି । ପୁଣି ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଷଷ୍ଠ ପର୍ଯ୍ୟାୟ ରଥକାଠ ଆସି ରଥଖଳାରେ ରଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ କରିବା ପାଇଁ ନିୟୋଜିତ ସେବାୟତଙ୍କୁ ମଧ୍ୟ ଚିଠି ଦିଆଯାଇଛି । ସେଥିରେ ଭୋଇ ସେବକ ଓ ମହାରଣା ଆଦି ୧୫୦ ଜଣ ସେବାୟତ ନିୟୋଜିତ ହେବେ ଓ ପବିତ୍ର ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ତତ୍ତ୍ୱବଧାରକ ସୁଦର୍ଶନ ମେକାପ  ।

ରଥ ଖଳା ରେ ପହଞ୍ଚିଛି ୪୯ ଖଣ୍ଡ ଷଷ୍ଠ ପର୍ଯ୍ୟାୟର କାଠ । ତେବେ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ସେଥିରୁ ୧୯୩ କାଠ ବଳକା ରହିଛି । ମୋଟ ୬୭୨ ଖଣ୍ଡ କାଠରୁ ପୂବରୁ ୧୦୪ ଖଣ୍ଡ କାଠ ଆସିଥିଲା । ଗତ ଦୁଇ ଦିନ ପୂର୍ବରୁ ପୁରୀରେ ପହଞ୍ଚିଥିଲା ତୃତୀୟ  ଓ ଚତୁର୍ଥ ପର୍ଯ୍ଯାୟ ରଥ କାଠ । ନୟାଗଡ ବନଖଣ୍ଡରୁ ଏକୋଇଶି ଖଣ୍ଡ କାଠରୁ  ଅସନ ୧୨ ଫୁଟିଆ ୬ଟି, ଅସନ ୨୦ ଫୁଟିଆ ୯ଟି, ଧଉରା ୨୦ ଫୁଟିଆ ୬ଟି କାଠ ଆସିଥିଲା ଓ ୮ ଖଣ୍ଡ  ତୁମ୍ଭ କାଠ ଆସିଥିଲା । ମୋଟ ୧୭୫ ଖଣ୍ଡ କାଠ ରଥ ଖଳାରେ ମହଜୁଦ ରହିଥିଲା । ପାଞ୍ଚଟି ପର୍ଯ୍ଯାୟରେ ମୋଟ ୧୭୫ ଖଣ୍ଡ କାଠ ଆସିଥିଲା । ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ । ସେଥିରୁ ୧୯୩ କାଠ ବଳକା ରହିଛି । ମୋଟ ୬୭୨ ଖଣ୍ଡ କାଠରୁ ପୂବରୁ ୧୭୫ ଖଣ୍ଡ କାଠ ଆସିଥିଲା । ଆଜି ନୟାଗଡ ବନଖଣ୍ଡରୁ  ୪୯ ଖଣ୍ଡ କାଠରୁ  ଧଉରା ୧୨ ଫୁଟିଆ ୪ଟି, ଅସନ ୨୦ ଫୁଟିଆ ୨୬ଟି, ଧଉରା ୨୦ ଫୁଟିଆ ୧୨ଟି, ଅସନ ୧୨ ଫୁଟିଆ ୬ଟି, ସିମିଳି ଖଣ୍ଡେ କାଠ ଆସିଛି । ଷଷ୍ଠ ପର୍ଯ୍ୟାୟକୁ ମିଶାଇ ମୋଟ ୨୨୪ ଖଣ୍ଡ କାଠ ଆସିଛି ବୋଲି  କହିଛନ୍ତି ମେକାପ ।

‘‘ବର୍ତ୍ତମାନ କରୋନାକୁ ନେଇ ଲକଡାଉନ ରହିଛି । ତେଣୁ ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟା ପୂର୍ବରୁ ରଥଖଳାରେ ଚାଳି ନିର୍ମାଣ ହେବ । ଏଥର ସାମାଜିକ ଦୁରତ୍ୱକୁ ନେଇ ଶ୍ରୀନଅର ଠାରୁ ଚାଳିଟି ସୂର୍ଯ୍ୟା କଂପ୍ଲେକ୍ସ ପର୍ଯ୍ୟନ୍ତ କରାଯିବ । ପ୍ରତିଟି ରଥ ନିର୍ମାଣ ସମୟରେ ସେବାୟତମାନେ ସୋସିଆଲ ଡିଷ୍ଟାନ୍ସ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ । ୧୫୦ରୁ ଅଧିକ ସେବାୟତ ରଥ ନିର୍ମାଣରେ ନିୟୋଜିତ ହେବାକୁ ଥିବାରୁ ସେମାନଙ୍କ ପାଇଁ ପରିଚୟ ପତ୍ର କରାଯିବ । ଆଉ କଣ କଣ କରାଯିବ ସେ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ନିଷ୍ପତ୍ତି ହେବ,’’ କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି: ‘‘ରଥ ଯାତ୍ରା ହେବ କି ନାହିଁ ସେ ନେଇ ସରକାର କିଛି ନିଷ୍ପତ୍ତି ନେଇ ନାହାନ୍ତି । ସେ ନେଇ ଆଲୋଚନା ଚାଲିଛି । ପୁଣି ସେବାୟତ ନିଯୋଗମାନଙ୍କ ସହ ଆଲୋଚନା କରାଯିବ । ବର୍ତ୍ତମାନ ପରିସ୍ଥିତିରେ କୌଣସି ନିଷ୍ପତ୍ତି ହୋଇନାହିଁ । ଖୁବ ଶୀଘ୍ର ଏହା ଉପରେ ଆଲୋଚନା କରାଯିବ ।’’

ବିଶ୍ୱର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅନେକ ସମୟରେ କଠିନ ପରିସ୍ଥିତି ଯୋଗୁଁ ବନ୍ଦ ହୋଇଥିବା ଇତିହାସ ରହିଛି । କରୋନା ମହାମାରୀର ଆତଙ୍କ ଜୁନ ୨୩ ଯାଏଁ ଥିବ କି ନାହିଁ ସବୁ କିଛି କେବଳ ମହାପ୍ରଭୁଙ୍କ ଇଚ୍ଛା ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ସେବାୟତ ଓ ପ୍ରଶାସନିକ ଅଧିକାରୀମାନେ ।
First published: April 15, 2020, 9:55 PM IST
corona virus btn
corona virus btn
Loading