ଅନ୍ନ, ଧନ ଓ ଗ୍ୟାସର ଚିନ୍ତା ଶେଷ; କୃଷକ, ଗରିବ ଓ ଶ୍ରମିକଙ୍କ ପାଇଁ ସରକାର ୧୦ଟି ବଡ ଘୋଷଣା କଲେ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ କରୋନା ଭାଇରସ ବିସ୍ତାର ଯୋଗୁଁ ଜାରି ଥିବା ଲକଡାଉନ୍ ସମୟରେ ସବୁ ଦେଶବାସୀଙ୍କ ପାଇଁ, ବିଶେଷତଃ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ, ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି ।

ଅନ୍ନ, ଧନ ଓ ଗ୍ୟାସର ଚିନ୍ତା ଶେଷ; କୃଷକ, ଗରିବ ଓ ଶ୍ରମିକଙ୍କ ପାଇଁ ସରକାର ୧୦ଟି ବଡ ଘୋଷଣା କଲେ
ଆର୍ଥିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରୁଛନ୍ତି ନିର୍ମଳା ସୀତାରମଣ ।
  • News18 Odia
  • Last Updated: March 26, 2020, 3:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସକୁ ନେଇ ଉପୁଜିଥିବା ରାଷ୍ଟ୍ରୀୟ ସଙ୍କଟର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ଏହି ପ୍ୟାକେଜ୍‌ ଦ୍ୱାରା ସ୍ବାସ୍ଥ୍ୟ ସେବା ସହ ସଂପୃକ୍ତ ଡାକ୍ତର, ନର୍ସ ଓ ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ଗରିବ, ଖଟିଖିଆ, ବୃଦ୍ଧ, ବିଧବା, ଦିବ୍ୟାଙ୍ଗ, ୧୫ ହଜାର ଟଙ୍କାରୁ କମ୍‌ ବେତନ ପାଉଥିବା କର୍ମଚାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ସମସ୍ତେ ଉପକୃତ ହେବେ ।

“ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଏକ ପ୍ୟାକେଜ୍ ପ୍ରସ୍ତୁତ ହୋଇଛି । ଦେଶରେ କେହି ଭୋକିଲା ରହିବେ ନାହିଁ । ଏହା ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌,’’ COVID-19 ଟାସ୍କ ଫୋର୍ସର ନେତୃତ୍ୱ ନେଇଥିବା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କରୋନା ସମୟରେ ସେବା ଯୋଗାଉଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ସୀତାରମଣ । ସ୍ବାସ୍ଥ୍ୟ ସେବା ସହ ସଂପୃକ୍ତ ଡାକ୍ତର, ନର୍ସ ଓ ଆଶାକର୍ମୀଙ୍କ ପାଇଁ ଏହି ଘୋଷଣା କରାଯାଇଛି । ଏଥିରେ ପ୍ରାୟ ୨୦ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏଥି ସହ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ, ଖଟିଖିଆ ଓ ଦିନ ମଜୁରିଆଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି । ପ୍ରାୟ ୮୦ କୋଟି ଲୋକଙ୍କୁ ତିନି ମାସର ଆଗୁଆ ରାସନ ସାମଗ୍ରୀ ଯୋଗାଇ ଦେବେ କେନ୍ଦ୍ର ସରକାର । ଆଗାମୀ ତିନି ମାସ ପାଇଁ ମୁଣ୍ଡ ପିଛା ୫ କିଲୋ ଗହମ, ଡାଲି ଓ ଚାଉଳ ପ୍ରଦାନ କରାଯିବ ।

ଦେଶର ଗରିବ ଓ ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ମଧ୍ୟ ପ୍ୟାକେଜ୍‌ ଘୋଷଣା କରାଯାଇଛି । କରୋନା ସମୟରେ ଦେଶରେ କାହାରିକୁ ଭୋକିଲା ରଖିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ସୀତାରମଣ । ବୃଦ୍ଧ, ବିଧବା, ଦିବ୍ୟାଙ୍ଗଙ୍କୁ ମିଳିବ ହଜାରେ ଟଙ୍କାର ଏକକାଳୀନ ସହାୟତା । ଏହି ସହାୟତା ଦୁଇଟି କିସ୍ତିରେ ହିତାଧିକାରୀଙ୍କ ଜମାଖାତାକୁ ପଠାଯିବ । ଏହି ସହାୟତାର ଲାଭ ପାଇବେ ୩ କୋଟି ହିତାଧିକାରୀ ।

ସେହିପରି କୃଷକଙ୍କ ପାଇଁ ସହାୟତା ଘୋଷଣା କରି ସୀତାରମଣ କହିଛନ୍ତି ଯେ ଦେଶର ପାଖାପାଖି ୮ କୋଟି ୬୯ ଲକ୍ଷ କୃଷକଙ୍କୁ ମିଳିବ ୨ ହଜାର ଟଙ୍କା ଲେଖାଏଁ ସହାୟତା । ଏହି ସହାୟତା ଏପ୍ରିଲ ପ୍ରଥମ ସପ୍ତାହରେ କୃଷକଙ୍କ ଜମାଖାତାକୁ ପଠାଯିବ ।

ଦେଶକୁ ଉଦବୋଧନ ବେଳେ ମୋଦି କରୋନାର ପୂରା ରୂପ ଲେଖାଥିବା କାଗଜ ଦେଖାଇଥିଲେ ।


ମନରେଗା ଯୋଜନାରେ ୫ କୋଟି ଶ୍ରମିକଙ୍କୁ ମିଳିବ ୨ ହଜାର ଟଙ୍କା ଲେଖାଏଁ ସହାୟତା । ମନରେଗା ଯୋଜନାରେ ଦୈନିକ ମଜୁରି ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ।

ସେହିପରି ଉଜ୍ଜ୍ବଳା ଯୋଜନାରେ ବିପିଏଲ୍ ପରିବାରକୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର । ଆଗାମୀ ୩ ମାସ ଯାଏ ଲାଭ ପାଇବେ ୩ କୋଟି ୮୦ ଲକ୍ଷ ବିପିଏଲ୍‌ ପରିବାର । ଏହା ଛଡ଼ା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମହିଳାମାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏହି ସୁବିଧା ଆଗାମୀ ୩ ମାସ ଯାଏଁ ଜାରି ରହିବ । ଏହା ଦ୍ବାରା ପ୍ରାୟ ୨୦ କୋଟି ଜମାକାରୀ ମହିଳା ଉପକୃତ ହେବେ ବୋଲି କହିଛନ୍ତି ସୀତାରମଣ ।

୧୫ ହଜାର ଟଙ୍କାରୁ କମ୍‌ ବେତନ ପାଉଥିବା କର୍ମଚାରୀଙ୍କ ପାଇଁ ୩ ମାସର EPF ଟଙ୍କା ଦେବେ ସରକାର । ଉଭୟ କର୍ମଚାରୀ ଓ କମ୍ପାନୀର ଅଂଶ ଭରିବେ କେନ୍ଦ୍ର ସରକାର । ଏହି ଟଙ୍କା କେନ୍ଦ୍ର ସରକାର ୩ ମାସ ପର୍ଯ୍ୟନ୍ତ ଜମା କରିବେ ବୋଲି କହିଛନ୍ତି ସୀତାରମଣ ।

ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ମାଗଣା ଋଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏସ୍‌ଏଚଜିଙ୍କ ପାଇଁ ମାଗଣା ଋଣ ରାଶି ଦୁଇ ଗୁଣା କରାଯାଇଛି । ଏଣିକି ବିନା ସୁଧରେ ୨୦ ଲକ୍ଷ ଟଙ୍କା ଯାଏଁ ଋଣ ନେଇପାରିବେ ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀ  । ଏହା ଦ୍ବାରା ଦେଶର ପ୍ରାୟ ୭ କୋଟି ପରିବାର ଉପକୃତ ହେବେ ।
First published: March 26, 2020, 3:51 PM IST
corona virus btn
corona virus btn
Loading