କଟକ ଓ ଗଞ୍ଜାମରେ ‘ମୋଡ୍ୟୁଲାର୍ ପୋର୍ଟେବଲ୍ କୋଭିଡ ହସ୍ପିଟାଲ୍’ ସ୍ଥାପନ କରିବାକୁ NGO ପ୍ରସ୍ତାବ ଦେଲା

ଆଠଟି ICU ଓ ୯୨ଟି ବେଡ୍ ବିଶିଷ୍ଟ ପ୍ରତି ହସ୍ପିଟାଲ୍ ପ୍ରସ୍ତୁତି ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ନିର୍ମାଣ କାମ ଆରମ୍ଭ ହେବାର ୨୮ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇ ପାରିବ ବୋଲି ‘ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍’ ପକ୍ଷରୁ ପକ୍ଷରୁ କୁହାଯାଇଛି ।

କଟକ ଓ ଗଞ୍ଜାମରେ ‘ମୋଡ୍ୟୁଲାର୍ ପୋର୍ଟେବଲ୍ କୋଭିଡ ହସ୍ପିଟାଲ୍’ ସ୍ଥାପନ କରିବାକୁ NGO ପ୍ରସ୍ତାବ ଦେଲା
ମହାରାଷ୍ଟ୍ରର ପୁଣେରେ ଥିବା ମୋଡ୍ୟୁଲାର୍ ପୋର୍ଟେବଲ୍ କୋଭିଡ୍ ହସ୍ପିଟାଲ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏବେ ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍ ନାମକ ଏକ ଏନ୍‌.ଜି.ଓ. ସହଯୋଗରେ ରାଜ୍ୟରେ ପ୍ରସ୍ତୁତ ହେବାକୁ ଯାଉଛି ଦୁଇଟି ମୋଡ୍ୟୁଲାର୍ ପୋର୍ଟେବଲ୍‌ କୋଭିଡ୍‌ ହସ୍ପିଟାଲ୍ । ଏହି ହସ୍ପିଟାଲ୍‌ ଅନ୍ୟ କୋଭିଡ ହସ୍ପିଟାଲ୍ ଠାରୁ ସ୍ବତନ୍ତ୍ର ଓ ଅଧିକ ସୁରକ୍ଷିତ ବୋଲି କୁହାଯାଉଛି ।

ମୋଡ୍ୟୁଲାର୍ ପୋର୍ଟେବଲ୍‌ କୋଭିଡ ହସ୍ପିଟାଲ୍ ଏକ କଙ୍କ୍ରିଟ୍ ବେସ୍ ଉପରେ ଛିଡ଼ା ହୋଇଥାଏ । ଆଇସିୟୁ, ଭେଣ୍ଟିଲେଟର୍‌, ବେଡ୍ ଓ ଏସି ଭଳି ମୂଳଭୁତ ଉପକରଣକୁ ବାଦ୍‌ ଦେଲେ ଏଥିରେ ବ୍ୟବହାର ହୋଉଥିବା ଭିତ୍ତିଭୂମି ଯେମିତି କି ୱାଲ୍ ଓ ସିଲିଂ ଇତ୍ୟାଦିକୁ ଏକ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରାଯାଇଥାଏ । କଙ୍କ୍ରିଟ୍ ବେସ୍ ତିଆରି ହୋଇଯିବା ପରେ ଫ୍ୟାକ୍ଟିରେ ପ୍ରସ୍ତୁତ ହୋଇଥିବା ସରଞ୍ଜାମକୁ କ୍ଷେତ୍ରକୁ ଆଣି କ୍ରେନ୍ ମାଧ୍ୟମରେ ତାହାକୁ ଖଞ୍ଜା ଯାଇଥାଏ । ଏହାର ଚଟାଣକୁ ଫାଇବର୍ ସିମେଣ୍ଟରେ ତିଆରି କରାଯାଉଥିବା ବେଳେ ଏହାର ୱାଲ୍ ବା କାନ୍ଥକୁ ସାଣ୍ଡଉଚ୍ ପି.ୟୁ.ଏଫ ଇନସୁଲେଟ୍ ଓ ଆଲୁମୁନିୟମ୍ କମ୍ପୋଜିଟ୍ ପ୍ୟାନେଲରେ ପ୍ରସ୍ତୁତ କରାଯାଇଥାଏ । ଏହା ସହିତ ଏହାର ନିର୍ମାଣ ଘଣ୍ଟା ପ୍ରତି ୧୭୫ କିମି ବେଗର ପବନକୁ ସହ୍ୟ କରିବାର କ୍ଷମତା ରଖିବା ସହ ଏହା ଅଗ୍ନିନିରୋଧୀ ମଧ୍ୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଭିନେତା ଆମୀର୍ ଖାନ୍ ପତ୍ନୀ କିରଣ ରାଓଙ୍କ Love Story The End! ଦୁହିଁଙ୍କ ଛାଡ଼ପତ୍ର ହେଲା

ଏହି ହସ୍ପିଟାଲ୍ ପାଇଁ ଏକ ସ୍ବତନ୍ତ୍ର ନକ୍ସସା ପ୍ରସ୍ତୁତ କରାଯାଇଛି । ୧୫,୦୦୦ ବର୍ଗଫୁଟ୍‌ ଅଞ୍ଚଳ ପରିବ୍ୟାପ୍ତ ଏହି ହସ୍ପିଟାଲଟିର ସର୍ଭିସ୍ ଏରିୟାକୁ ୭,୨୦୦ ବର୍ଗଫୁଟ୍‌ ରଖାଯାଇଛି । ଏହି ହସ୍ପିଟାଲକୁ ଚାରିଟି ଜୋନରେ ବିଭକ୍ତ କରାଯାଇଛି । ଜୋନ୍ ୧ରେ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ, ଜୋନ୍ ୨ରେ ଓପିଡି ଏବଂ ଟେଷ୍ଟିଂ, ଜୋନ୍ ୩ରେ କୋଭିଡ ପଜିଟିଭ ରୋଗୀ ଓ ଜୋନ୍ ୪ରେ ଆଇସିୟୁକୁ ସ୍ଥାନ ଦିଆଯାଇଛି । ବଡ଼ କଥା ଏହା ଯେ ଏହି ହସ୍ପିଟାଲକୁ ସମ୍ପୂର୍ଣ୍ଣ ଭାବେ ‘‘ନେଗେଟିଭ୍ ପ୍ରେସର୍’’ରେ ରଖାଯାଇଥାଏ । ଅର୍ଥାତ ଏହା ଭିତରକୁ ବାହାର ପବନ ପ୍ରବେଶ କରିପାରିବ କିନ୍ତୁ ଭିତରର ପବନ ବାହାରକୁ ଯାଇ ପାରିବ ନାହିଁ । ଭିତରର ପବନକୁ ଏକ ସ୍ବତନ୍ତ୍ର ଫିଲ୍ଟର୍ ମାଧ୍ୟମରେ ଜୀବାଣୁ ମୁକ୍ତ କରି ବାହାରକୁ ଛଡ଼ାଯାଇଥାଏ ।

ପୁଣେରେ ଥିବା ଏହି ପ୍ରକାରର ହସପିଟାଲର ଗୋଟିଏ ରୁମର ଦୃଶ୍ୟ


ଶହେ ବେଡ୍ ବିଶିଷ୍ଟ ଏହି ହସ୍ପିଟାଲ୍ ପ୍ରସ୍ତୁତି ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିର୍ମାଣ କାମ ଆରମ୍ଭ ହେବାର ୨୮ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇ ପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ‘ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍’ ପକ୍ଷରୁ ପ୍ରଥମ ଦଫାରେ ମହାରାଷ୍ଟ ଓ କର୍ଣ୍ଣାଟକରେ ଏମିତି ଦୁଇଟି ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ତାପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା

ଆଇ.ଆଇ.ଟି ମାଡ୍ରାସ୍ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ହସ୍ପିଟାଲର ଭିତ୍ତିଭୁମି ପ୍ରସ୍ତୁତ କରାଯାଉଛି । ଏହାର ଗୋଟିଏ ଫ୍ୟାକ୍ଟ୍ରି ପୁଣେ ଓ ଚେନାଇରେ ରହିଛି । ଓଡ଼ିଶାର ଦୁଇଟି ସ୍ଥାନରେ ଏହି ହସ୍ପିଟାଲ୍ ପ୍ରତିଷ୍ଠା କରିବା ପାଇଁ ସଂସ୍ଥା ଆଗ୍ରହୀ ଅଛି ବୋଲି କହିଛି । ମିଳିଥିବା ସୂଚନା ମୁତାବକ ଗୋଟିଏ ହସ୍ପିଟାଲ୍ କଟକ ଜିଲ୍ଳା ନିଶ୍ଚିତକୋଇଲି ଅଞ୍ଚଳରେ ଓ ଅନ୍ୟଟି ବ୍ରହ୍ମପୁରର ଏମ.କେ.ସି.ଜି. ହସ୍ପିଟାଲ୍ ପରିସରରେ ତିଆରି ହେବ ।

ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେ

‘‘ଆମେ ଓଡ଼ିଶାରେ ଏମିତି ଦୁଇଟି ହସ୍ପିଟାଲ୍ ତିଆରି କରିବାକୁ ଯାଉଛୁ । ପ୍ରତି ହସ୍ପିଟାଲ୍ ପାଇଁ ୪ କୋଟି ଟଙ୍କା ଲୋଖାଏଁ ଖର୍ଚ୍ଚ ହେବ ଓ ଏଥିରେ ଆଠଟି ଆଇସିୟୁ ଓ ୯୨ଟି ସାଧାରଣ ବେଡ୍ ରହିବ । ରାଜ୍ୟ ସରକାର କେବଳ ଆମକୁ ଜାଗା ସହିତ କଙ୍କ୍ରିଟ୍‌ ବେସ୍‌ ପ୍ରଦାନ କରିବା ପରେ ଆମେ ହସ୍ପିଟାଲ ତିଆରିରେ ଲାଗିବୁ । ଯଦି ସବୁ କିଛି ସମୟ ଅନୁଯାୟୀ ଚାଲେ ତା’ ହେଲେ ଅଗଷ୍ଟ ମାସ ଶେଷ ସୁଦ୍ଧା ଆମେ ଦୁଇଟି ଯାକ ହସ୍ପିଟାଲ ଛିଡ଼ା କରି ଦେବୁ । ଏହି ହସ୍ପିଟାଲ ପାଇଁ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ରାଜ୍ୟ ସରକାର ଯୋଗାଇ ଦେବେ,’’ କହିଛନ୍ତି ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନର ପୂର୍ବାଞ୍ଚଳ ମୁଖ୍ୟ ସୁବ୍ରତ ସରକାର ।



ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ଦ୍ବାରା ଗଠିତ ଏନ.ଜି.ଓ.  ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ଦିନ କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ସଙ୍ଗଠନ ପକ୍ଷରୁ କଟକ ଜିଲ୍ଲାକୁ ୨୩ଟି ଅକ୍ସିଜେନ୍ କନସେଣ୍ଟ୍ରେଟର୍‌ ପ୍ରଦାନ କରିବା ସହିତ ଏହି କୋଭିଡ ହସ୍ପିଟାଲ ପ୍ରତିଷ୍ଠା ବାବଦରେ ସୂଚନା ଦେଇଥିଲା ସଂସ୍ଥା । ଏହି ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ ।
Published by: Anand ST Das
First published: July 2, 2021, 11:25 PM IST