News18 ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି; କରୋନା ସହ ଲଢ଼ି ହାରିଗଲେ ଯୋଦ୍ଧା

ପ୍ରତିଭାବାନ ଯୁବ ରିପୋର୍ଟର ପ୍ରବୀର ପ୍ରଧାନ ନିଜ ଅବିରତ ଶ୍ରମ ଓ ଖବର ସଙ୍କଳନରେ ନିଷ୍ଠା ଯୋଗୁଁ ଓଡ଼ିଶାର ସାମ୍ବାଦିକତା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ପଛରେ ଛାଡ଼ିଯାଇଛନ୍ତି ପତ୍ନୀ ଓ ଦୁଇ ବର୍ଷର କୁନି ଝିଅ ସହିତ ତାଙ୍କ ବିଧବା ମା’ଙ୍କୁ ।

News18 ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି; କରୋନା ସହ ଲଢ଼ି ହାରିଗଲେ ଯୋଦ୍ଧା
ନ୍ୟୁଜ୍‌୧୮ ଓଡ଼ିଆର ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନ
  • News18 Odia
  • Last Updated: November 5, 2020, 2:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସହ ଲଢ଼େଇ କରି ହାରିଗଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା । ନ୍ୟୁଜ୍‌୧୮ ଓଡ଼ିଆର ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଯାଇଛି । କୋଭିଡ୍‌ ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଚିକିତ୍ସାଧୀନ ଥିଲେ ୩୫ ବର୍ଷୀୟ ପ୍ରବୀର । ତାଙ୍କ ବିୟୋଗରେ News18 ପରିବାର ସମେତ ସାରା ଓଡ଼ିଶାର ସାମ୍ବାଦିକତା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି ।

କରୋନା ଭାଇରସର ପ୍ରକୋପ ମଧ୍ୟରେ ଦର୍ଶକଙ୍କ ପାଇଁ ଖବର ସଙ୍କଳନ କରିବାରେ ସବୁ ସତର୍କତା ଅବଲମ୍ବନ କରି ପ୍ରବୀର (Prabir Pradhan of News18 Odia) କାର୍ଯ୍ୟ କରିଚାଲିଥିଲେ । ଅନୁଗୁଳ ଜିଲ୍ଲା ଆଠମଲିକର ମୂଳ ବାସିନ୍ଦା ପ୍ରବୀର ପଛରେ ଛାଡ଼ିଯାଇଛନ୍ତି ନିଜ ପତ୍ନୀ ଓ ଦୁଇ ବର୍ଷର କୁନି ଝିଅ ସହିତ ନିଜ ବିଧବା ମା’ଙ୍କୁ । ପ୍ରବୀର ନିଜ ବାପା-ମାଆଙ୍କର ଏକ ମାତ୍ର ପୁତ୍ର ଥିଲେ । ତାଙ୍କର ଜଣେ ବିବାହିତା ଭଉଣୀ ଓ ତାଙ୍କ ପରିବାର ଅଛନ୍ତି ।

ଗତ ମାସ ପ୍ରବୀରଙ୍କ ପିତାଙ୍କର କରୋନା ଭାଇରସ୍‌ ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ସେ ଦୁଇ ତିନି ବର୍ଷ ତଳେ ପୋଲିସ ଅଫିସର ଚାକିରିରୁ ଅବସରପ୍ରାପ୍ତ ହୋଇଥିଲେ ।

ନ୍ୟୁଜ୍‌ ରୁମ୍‌ ଷ୍ଟୁଡିଓରେ ପ୍ରବୀର ପ୍ରଧାନ


ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ପ୍ରବୀରଙ୍କ ଅକାଳ ବିୟୋଗରେ (death of Prabir Pradhan of News18 Odia) ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ଗଭୀର ସମବେଦନା ପ୍ରକାଶ କରି କହିଛନ୍ତି ଯେ ସାମ୍ବାଦିକତାରେ ପ୍ରବୀର ଜଣେ ବିଚକ୍ଷଣ ପ୍ରତିଭା ଥିଲେ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

କରୋନା ସଂକ୍ରମଣରେ ନିଜ ପିତାଙ୍କ ମୃତ୍ୟୁ ହେବା ପରେ ବାଧ୍ୟତାମୂଳକ ବିଚ୍ଛିନ୍ନତା ଅବଧି ପୂରଣ କରିବା ପରେ ପ୍ରବୀର ଡ୍ୟୁଟିରେ ଯୋଗ ଦେଇଥିଲେ । ତାଙ୍କୁ ଗତ ସପ୍ତାହରେ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖିବାକୁ ପଡ଼ିଥିଲା ।

‘‘ଅପରାଧ ପୋଲିସ ବିଷୟରେ ଖବର ସଙ୍କଳନ କରୁଥିବା ଯୁବ ତଥା ପ୍ରତିଭାଧାରୀ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଅକାଳ ବିୟୋଗ ବିଷୟରେ ଜାଣି ଦୁଃଖିତ । ନିକଟରେ ତାଙ୍କ ପିତା ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଆମ ସମସ୍ତଙ୍କୁ ଛାଡ଼ି ଯାଇଥିଲେ । ମୁଁ ତାଙ୍କ ଭଉଣୀଙ୍କ ସହ ସମବେଦନା ଜଣାଇ କଥା ହୋଇଛି । ତାଙ୍କ ଆତ୍ମାର ସଦଗତି ହେଉ,’’ ଓଡ଼ିଶାର ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ଏକ ଟ୍ୱିଟ୍ କରି କହିଛନ୍ତି ।



ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ପ୍ରବୀରଙ୍କୁ ସମ୍ମାନ ଜଣାଇ ଏକ ସମବେଦନା ବୈଠକ ଆୟୋଜନ କରିଛି । ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ପ୍ରବୀରଙ୍କ ଦେହାନ୍ତ ଉପରେ ଗଭୀର ଶୋକ ଓ ସମବେଦନା ଜଣାଇ କହିଛନ୍ତି ଯେ ସେ ଜଣେ ଅମାୟିକ ଓ ପ୍ରତିଭାବାନ ସାମ୍ବାଦିକ ଥିଲେ ।

‘‘ପ୍ରବୀର ପୋଲିସ ବିଷୟରେ ଖବର ସଙ୍କଳନ କରିବା ସମୟରେ ସାବଧାନତା ଓ ସଠିକ ତଥ୍ୟ ଉପରେ ଗୁରୁତ୍ୱ ଦେଉଥିଲେ । ସେ ସମସ୍ତଙ୍କ ସହ ଖୁବ୍‌ ସମ୍ମାନର ସହ କଥାବାର୍ତ୍ତା କରୁଥିଲେ ଓ ଭାରି ଅମାୟିକ ଥିଲେ,’’ କହିଛନ୍ତି ଷଢ଼ଙ୍ଗୀ ।



ଗତ କାଲି ପ୍ରବୀରଙ୍କ ମାଆ ତାଙ୍କୁ ଫୋନ୍‌ କରି ପ୍ରବୀରଙ୍କ ବିଗୁଡ଼ୁଥିବା ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ ବୋଲି କହିଛନ୍ତି ଷଢ଼ଙ୍ଗୀ । ‘‘ମୋତେ ଲାଗିଲା ସେ ତାଙ୍କ ସ୍ୱର୍ଗୀୟ ପତିଙ୍କ ଚାକିରି ଓ ଅବସର ବିଷୟରେ କିଛି ଜାଣିବାକୁ ଫୋନ୍‌ କରିଛନ୍ତି । ହେଲେ ସେ ପ୍ରବୀରଙ୍କ ଅବସ୍ଥା କରୋନା ଯୋଗୁଁ ଖରାପ ହେଉଥିବା ବିଷୟରେ ଜଣେଇଲେ । ତା’ପରେ ଆମେ ତାଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦେଲୁ । ସବୁ ଠିକ୍‌ ଚାଲିଥିଲା, ହେଲେ ତାଙ୍କ ବ୍ଲଡ୍‌ ପ୍ରେଶର୍‌ କମିବାକୁ ଲାଗିଲା ଓ ଅଚାନକ ଅନ୍ୟ ଭାଇଟାଲସ୍‌ ଖରାପ ହେବାରେ ଲାଗିଲା । ଶେଷରେ ଆମେ ତାଙ୍କୁ ହରାଇଲୁ,’’ ସେ କହିଛନ୍ତି ।

‘‘ପ୍ରବୀରଙ୍କ ଅକାଳ ଦେହାନ୍ତ ଆମ ସମସ୍ତଙ୍କ ପାଇଁ ଏକ ହୃଦୟବିଦାରକ ଘଟଣା । ମୁଁ ଏଥିରେ ମର୍ମାହତ । ପ୍ରବୀର ଜଣେ ପ୍ରତିଭାବାନ ଯୁବ ରିପୋର୍ଟର ଥିଲେ । ଅବିରତ ଶ୍ରମ ଓ ଖବର ଆଣିବା ପାଇଁ ନିଷ୍ଠା ତାଙ୍କ ସାମ୍ବାଦିକତାର ପ୍ରମୁଖ ଅଙ୍ଗ ଥିଲା । ସେ ଆହୁରି ଆଗକୁ ଯାଇଥା’ନ୍ତେ । ତାଙ୍କ ଆତ୍ମାର ସଦଗତି ହେଉ, ଏହା ହିଁ ପ୍ରଭୁଙ୍କ ନିକଟରେ ମୋ’ର କାମନା,’’ କହିଛନ୍ତି ନ୍ୟୁଜ୍‌୧୮ ଓଡ଼ିଆ ଚ୍ୟାନେଲର ସମ୍ପାଦକ ଦୟାନିଧି ଦାଶ ।

‘‘ପ୍ରବୀର ଆମ ସମସ୍ତଙ୍କୁ ଏମିତି ଛାଡ଼ି ଚାଲିଯିବେ ବୋଲି ମୁଁ କେବେ ଭାବି ନ ଥିଲି । ସେ କରୋନାରେ ଆକ୍ରାନ୍ତ ହେବା ତାଙ୍କ ଠାରୁ ଫୋନରେ ଜାଣିବା ପରେ ମୁଁ ତାଙ୍କୁ ଠିକ୍‌ ସମୟରେ ସବୁ ଓଷଧ ଖାଇବା ଓ ପଜିଟିଭ୍‌ ଆଟିଚ୍ୟୁଡ ରଖି ଆଇସୋଲେସନରେ ସମୟ ବିତାଇଲେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କହୁଥିଲି । ହେଲେ ମଝିରେ ମଝିରେ ଡିଜିଟାଲ୍‌ ପାଇଁ ଏକ୍ସକ୍ଲୁସିଭ୍‌ ଖବର ଲେଖି ପ୍ରବୀର ଯେମିତି ଚମକାଇ ଦେଉଥିଲେ, ଏବେ ସେମିତି ସେ ହଠାତ୍‌ ଚାଲିଯାଇ ଆମ ସମସ୍ତଙ୍କୁ ମର୍ମାହତ କରିଛନ୍ତି । ତାଙ୍କ ପରିବାରକୁ ଭଗବାନ ଏହି ଦୁଃଖ ସହି ଆଗକୁ ବଢ଼ିବାକୁ ଶକ୍ତି ଦିଅନ୍ତୁ,’’ କହିଛନ୍ତି ନ୍ୟୁଜ୍୧୮ ଓଡ଼ିଆ ଡିଜିଟାଲର ସମ୍ପାଦକ ଆନନ୍ଦ ଏସ୍‌.ଟି. ଦାସ ।

ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

ନ୍ୟୁଜ୍‌୧୮ ଓଡ଼ିଆ ଚ୍ୟାନେଲର ଆଉଟପୁଟ୍‌ ସମ୍ପାଦକ ମାୟାଧର ପ୍ରଧାନ କହିଛନ୍ତି: ‘‘ପ୍ରବୀର ଜଣେ ଖୁବ୍‌ ପ୍ରତିଭାବାନ ଯୁବ ସାମ୍ବାଦିକ ଥିଲେ । ତାଙ୍କ ଅକାଳ ଦେହାନ୍ତରେ ମୁଁ ମର୍ମାହତ । ମୁଁ ଓ ଅନ୍ୟ କିଛି ସହଯୋଗୀ ପ୍ରବୀରଙ୍କ ସ୍ୱାସ୍ଥାବସ୍ଥା ଲଗାତର ବୁଝୁଥିଲୁ ଓ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଥିଲୁ । ହେଲେ ସେ ଆମ ସମସ୍ତଙ୍କୁ ଦୁଃଖରେ ଡୁବାଇ ଚାଲିଗଲେ । ତାଙ୍କ ଆତ୍ମାର ସଦଗତି କାମନା କରୁଛି ।’’

ପ୍ରବୀର ପ୍ରଧାନଙ୍କ ଅକାଳ ଦେହାନ୍ତରେ ନ୍ୟୁଜ୍‌୧୮ ଓଡ଼ିଆର ନ୍ୟୁଜ୍‌ ରୁମରେ ଛାଇଯାଇଛି ଗଭୀର ଶୋକର ପରିବେଶ । ନ୍ୟୁଜ୍‌୧୮ ଓଡ଼ିଆର ଅପରେସନସ୍‌ ମ୍ୟାନେଜର ଅଶୋକ ମିଶ୍ର, ପ୍ରବୀରଙ୍କ ସମସ୍ତ ସହଯୋଗୀ ଓ କାର୍ଯ୍ୟାଳୟର ସବୁ କର୍ମଚାରୀ ପ୍ରବୀରଙ୍କ ଆତ୍ମାର ସଦଗତି ଓ ତାଙ୍କ ପରିବାରର ପ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି ।



ଭୁବନେଶ୍ୱରର ସତ୍ୟ ନଗର ଶ୍ମଶାନରେ ପ୍ରବୀରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏଥିରେ ନ୍ୟୁଜ୍‌୧୮ ପରିବାରର ଅନେକ ସଦସ୍ୟ, ପ୍ରବୀରଙ୍କ ପରିବାର ଓ ତାଙ୍କର ଅନେକ ସାମ୍ବାଦିକ ବନ୍ଧୁ ଆଖିରେ ଲୁହ ଧରି ଯୋଗଦେଇଥିଲେ ।
Published by: Anand Shankar Thankur Das
First published: November 5, 2020, 2:48 PM IST
corona virus btn
corona virus btn
Loading