News18 Odia Digital
ଭୁବନେଶ୍ୱର: କରୋନାର ଓମିକ୍ରନ୍ ବିଏଫ୍.୭ ପ୍ରଜାତି ଓଡ଼ିଶାରେ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କଠାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି। ଗତ ସେପ୍ଟେମ୍ବର ମାସରେ ତାଙ୍କଠାରେ ବିଏଫ୍.୭ ଭୂତାଣୁ ରହିଥିବା ନଜରକୁ ଆସିଥିଲା। ତେବେ ଗତ ୩ମାସ ଭିତରେ ରାଜ୍ୟରେ ଆଉ କୌଣସି ବ୍ୟକ୍ତି ଏହି ନୂଆ ପ୍ରଜାତି ଭୂତାଣୁରେ ସଂକ୍ରମିତ ହୋଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ରାଜ୍ୟରେ ସତର୍କ ରହିବା ଲାଗି ସବୁ ଜିଲ୍ଲା ସିଡିଏମ୍ଓ, ମେଡିକାଲ କଲେଜ ଅଧ୍ୟକ୍ଷ ଓ ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଏସବୁ ଦେଶରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟକୁ ଏଥିପାଇଁ ସତର୍କ ରହିବାକୁ ହେବ। ଟେଷ୍ଟିଂ-ଟ୍ରାକିଂ-ଟ୍ରିଟିଂ-କଣ୍ଟାକ୍ଟ ଟ୍ରେସିଂ, ଟିକାକରଣ ଓ କୋଭିଡ ନିୟମାବଳୀକୁ ପାଳନ କରିବା ଜରୁରୀ।
ଓଡ଼ିଶାରେ ଜଣେ ଓ ଗୁଜରାଟରେ ୨ ଜଣଙ୍କୁ ମିଶାଇ ଦେଶରେ ୩ଜଣ ବିଏଫ୍.୭ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। କୋଭିଡ ସମୀକ୍ଷା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କରୋନା ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଦେଶରେ ଯାଞ୍ଚ ବଢାଇବାକୁ ନିର୍ଦ୍ଦେଶ ଦେବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।