ସେପ୍ଟେମ୍ବର ସୁଦ୍ଧା +୩ ଓ PG ପରୀକ୍ଷା ଶେଷ କରିବାକୁ UGCର ନିର୍ଦ୍ଦେଶ ପରେ ଅଡ଼ୁଆରେ ରାଜ୍ୟ ସରକାର

ଏପ୍ରିଲ ମାସରେ ୟୁଜିସି ଦେଇଥିବା ନିର୍ଦ୍ଦେଶନାମା ଆଧାରରେ ସବୁ କୁଳପତିମାନଙ୍କ ସହ ଆଲୋଚନା କରି ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏବେ ୟୁଜିସିର ନୂଆ ନିଷ୍ପତ୍ତି ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

ସେପ୍ଟେମ୍ବର ସୁଦ୍ଧା +୩ ଓ PG ପରୀକ୍ଷା ଶେଷ କରିବାକୁ UGCର ନିର୍ଦ୍ଦେଶ ପରେ ଅଡ଼ୁଆରେ ରାଜ୍ୟ ସରକାର
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ହେବ କି ନା ସେ ନେଇ ଅଡ଼ୁଆରେ ପଡ଼ିଛି ଉଚ୍ଚ ଶିକ୍ଷା ବିଭାଗ । ବିଶ୍ୱବିଦ୍ୟାଳୟ ଫାଇନାଲ ପରୀକ୍ଷାକୁ ନେଇ ୟୁଜିସିର ନୂଆ ଗାଇଡ଼ଲାଇନ କହୁଛି ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ଶେଷ କରିବାକୁ । ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଏ ନେଇ ବିଧିବଦ୍ଧ ଚିଠି କରି ନିର୍ଦ୍ଦେଶ ଦେଇଛି ୟୁଜିସି । ଏହାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ତରବରିଆ ନିଷ୍ପତ୍ତି ଛାତ୍ରଛାତ୍ରୀମାନଙ୍କ ପାଇଁ ମହଙ୍ଗା ପଡ଼ିଛି ।

ଯୁକ୍ତ ୩ ଷଷ୍ଠ ଓ ପିଜି ଶେଷ ବର୍ଷ ପରୀକ୍ଷା ବାଧ୍ୟତାମୂଳକ ହୋଇଛି । ୟୁଜିସିର ନିୟମାବଳୀ ଅନୁଯାୟୀ ଶେଷ ବର୍ଷର ପରୀକ୍ଷା ହେବା ନିତାନ୍ତ ଜରୁରୀ । ତେଣୁ ସେପ୍ଟେମ୍ବର ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅନଲାଇନ ବା ଅଫଳାଇନ ଯେ କୌଣସି ଆଧାରରେ ପରୀକ୍ଷା କରିବାକୁ କୁହାଯାଇଛି। ଏହାକୁ ନେଇ ଏବେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି।

ରାଜ୍ୟରେ ଯୁକ୍ତ ୩  ଓ ପିଜି ପରୀକ୍ଷା ବାତିଲ କରି ପୂର୍ବ ସେମିଷ୍ଟର ଓ ଇଣ୍ଟରନାଲ ଆଧାରରେ ଫଳ ପ୍ରକାଶ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବି ଆସିଥିଲା । ବର୍ତ୍ତମାନ ୟୁଜିସି ଗାଇଡ଼ଲାଇନ ପରେ ଅନିଶ୍ଚିତତା ଭିତରେ ଅଛି ପରୀକ୍ଷା । ତେବେ ଏପ୍ରିଲରେ ଆସିଥିବା ଗାଇଡ଼ଲାଇନ ଅନୁଯାୟୀ ପୂର୍ବ ନିଷ୍ପତ୍ତି ନିଆଯାଇଥିଲା । ଏବେ ପୁଣି ଥରେ ବୈଠକ ବସି ସମସ୍ତ କୁଳପତିଙ୍କ ସହ ଆଲୋଚନା ହେବା ପରେ ନିଷ୍ପତ୍ତି ନିଆଯିବ ।

‘‘ଏପ୍ରିଲ ମାସରେ ୟୁଜିସି ଦେଇଥିବା ନିର୍ଦ୍ଦେଶନାମା ଆଧାରରେ ସବୁ କୁଳପତିମାନଙ୍କ ସହ ଆଲୋଚନା କରି ପରୀକ୍ଷା ବାତିଲ ନିଷ୍ପତ୍ତି ହୋଇଥିଲା । ଏବେ ପୁଣି ବୈଠକ ବସିବା ପରେ ନିଷ୍ପତ୍ତି ହେବ। ହେଲେ ୟୁଜିସି ଆଉ ତା’ର ମତ ପରିବର୍ତ୍ତନ ନ କରୁ,’’ କହିଛନ୍ତି ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ କୁମାର ଦାଶ ।

ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସମେତ ମହାବିଦ୍ୟାଳୟରେ ଯୁକ୍ତ ୩ ଓ ଏହା ପରେ ପିଜି ଶେଷ ବର୍ଷ ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା । ତେବେ କରୋନା ଯୋଗୁଁ ତାରିଖ ଘୁଞ୍ଚାଇ ଜୁନ ୧୭ ପରେ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ପରେ ଜୁନ ୧୧ ତାରିଖରେ ଏହାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିଲା। ତେବେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସାରା ଦେଶର ଶିକ୍ଷାଅନୁଷ୍ଠାନ ବନ୍ଦ ରଖିବାକୁ କେନ୍ଦ୍ର ସରକାର କହିଥିବା ବେଳେ ରାଜ୍ୟ ସରକାର କାହା ସ୍ୱାର୍ଥରେ ତରବରିଆ ଭାବେ ନିଷ୍ପତ୍ତି ନେଲେ ବୋଲି ବର୍ତ୍ତମାନ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ତରବରିଆ ନିଷ୍ପତ୍ତି କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଅଡୁଆ ବୋଲି ଅଭିଯୋଗ କରିଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ: ‘Dil Bechara’ ଟ୍ରେଲର୍ ଆସିଗଲା, ଦେଖନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଏହି ଶେଷ ଫିଲ୍ମ ହସାଇବ ଓ କନ୍ଦାଇବ

ଏହା ବି ପଢ଼ନ୍ତୁ: ବଡ଼ ଅଡ଼ୁଆରେ ପଡ଼ିଛନ୍ତି ବିରାଟ କୋହଲି; ହୁଏତ କ୍ୟାପଟେନ୍ ପଦ ଛାଡ଼ିବାକୁ ପଡ଼ିପାରେ ତାଙ୍କୁ

‘‘ପରୀକ୍ଷା ବାତିଲ ହେବା ପରେ ଆମେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲୁ। ଆଜିକୁ ମାସେ ହେବ ସିଲାବସ ପାଠ ବନ୍ଦ ରହିଛି । ଏବେ ପରୀକ୍ଷା କରିବାକୁ କହିଲେ ଦେବୁ ନିଶ୍ଚିତ। ହେଲେ ରାଜ୍ୟ ସରକାର ବି ସମୟ ନେଇ ସ୍ଥିର କରନ୍ତୁ କେବେ ଓ କେଉଁ ଆଧାରରେ ପରୀକ୍ଷା ହେବ,’’ କହିଛନ୍ତି ଯୁକ୍ତ ୩   ଶେଷ ବର୍ଷର ଛାତ୍ର ସାଇ ରଞ୍ଜନ ବେହେରା ।

ପରୀକ୍ଷା ଅନଲାଇନ କି ଅଫଳାଇନ ହେବ ତାହା ରାଜ୍ୟ ସରକାର ସ୍ଥିର କରିବେ । ଏସ.ଓ.ପି. ଆଧାରରେ ପରୀକ୍ଷା କରିବାକୁ ରହିଛି ନିର୍ଦ୍ଦେଶ ।
Published by: Anand Shankar Thankur Das
First published: July 7, 2020, 9:49 PM IST
corona virus btn
corona virus btn
Loading