‘କାଳିଆ’ ପରେ ଆସିଲା ‘ବଳରାମ’: ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଆଣିଲେ ନୂଆ ଯୋଜନା

ବର୍ଷକୁ ସାଢ଼େ ୩ ଲକ୍ଷ ଚାଷୀ ହିସାବରେ ଦୁଇ ବର୍ଷରେ ମୋଟ ୭ ଲକ୍ଷ ଭୂମିହୀନ ଚାଷୀ ବଳରାମ ଯୋଜନାରେ ଉପକୃତ ହେବେ । ଏହି ନୂଆ ଯୋଜନାରେ ମୋଟ ୧,୦୪୦ କୋଟି ଟଙ୍କାର ଋଣ ଦିଆଯିବ ।

‘କାଳିଆ’ ପରେ ଆସିଲା ‘ବଳରାମ’: ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଆଣିଲେ ନୂଆ ଯୋଜନା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କାଳିଆ ଯୋଜନା ପରେ ଏବେ ଆସିଛି ବଳରାମ ଯୋଜନା । ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ‘ବଳରାମ ଯୋଜନା’ ନାଆଁରେ ଆଉ ଏକ ନୂଆ ଯୋଜନା ଆଣିଛନ୍ତି । ବଳରାମ ଯୋଜନାରେ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ଯୋଗାଇ ଦିଆଯିବ ଋଣ ।

ବର୍ଷକୁ ସାଢ଼େ ୩ ଲକ୍ଷ ଚାଷୀ ହିସାବରେ ଦୁଇ ବର୍ଷରେ ମୋଟ ୭ ଲକ୍ଷ ଭୂମିହୀନ ଚାଷୀ ବଳରାମ ଯୋଜନାରେ ଉପକୃତ ହେବେ ବୋଲି କହିଛନ୍ତି ବରିଷ୍ଠ ସରକାରୀ ଅଧିକାରୀମାନେ । ଏହି ନୂଆ ଯୋଜନାରେ ମୋଟ ୧,୦୪୦ କୋଟି ଟଙ୍କାର ଋଣ ଦିଆଯିବ । ରାଜ୍ୟ ସ୍ତରରେ ଇମେଜ୍ ଓ ଜିଲ୍ଲା ସ୍ତରରେ ଆତ୍ମା ସଂସ୍ଥା ଏହି ଯୋଜନାର ସଂଯୋଜନା କରିବେ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟର ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସଂସ୍ଥା ଜରିଆରେ ଏହି ଋଣ ଚାଷୀମାନଙ୍କୁ ଦିଆଯିବ । ପ୍ରତି ବ୍ୟାଙ୍କର ବ୍ରାଞ୍ଚ ଅତି କମ୍‌ରେ ୧୦ଟି ଜଏଣ୍ଟ ଲିଆବିଲିଟି ଗ୍ରୁପ୍‌କୁ ଋଣ ଦେଇପାରିବେ । ଏହି ଭଳି ୭୦,୦୦୦ ଜଏଣ୍ଟ ଲିଆବିଲିଟି ଗ୍ରୁପ୍‌କୁ ଋଣ ଦିଆଯିବ । ଗୋଟିଏ ଜଏଣ୍ଟ ଲିଆବିଲିଟି ଗ୍ରୁପ୍‌ରେ ଅତି କମ୍‌ରେ ରହିବେ ପାଞ୍ଚ ଜଣ ଚାଷୀ ।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ଯୋଜନା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା ।


ଉଚ୍ଚସ୍ତରୀୟ ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଅର୍ଥ ସଚିବ ଅଶୋକ ମୀଣା, ଖାଦ୍ୟ ଯୋଗାଣ ସଚିବ ବୀରବିକ୍ରମ ଯାଦବ, ନାବାର୍ଡର ମୁଖ୍ୟ ପରିଚାଳନା ପ୍ରବନ୍ଧକ ଚନ୍ଦ୍ରଶେଖର, ରାଜ୍ୟ ସମବାୟ ବ୍ୟାଙ୍କ ଓ ରାଜ୍ୟସ୍ତରୀୟ ବ୍ୟାଙ୍କ ସମନ୍ବୟ କମିଟିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ବଳରାମ ଯୋଜନାରେ ଯେଉଁ ଋଣ ଦିଆଯିବ, ତା’ର ସୁଧ ହାର ଓ ସୁଧ ରିହାତି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ ବୋଲି କହିଛନ୍ତି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ ।
First published: July 2, 2020, 11:30 PM IST
corona virus btn
corona virus btn
Loading