News18 Odia Digital
ମୁମ୍ବାଇ: ଭେଟେରାନ୍ ଅଭିନେତା ଋଷି କପୁରଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ପତ୍ନୀ ନୀତୁ କପୁର ଦୁଇ ବର୍ଷ ଧରି ଲ୍ୟୁକେମିଆ ସହ ସଂଗ୍ରାମ କରିଥିବା ଏହି ଅଭିନେତାଙ୍କ ଯତ୍ନ ନେବାରେ ସହାୟତା କରିଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଅମ୍ବାନୀ ପରିବାର ପ୍ରତି କୃତଜ୍ଞତା ଜଣାଇବା ପାଇଁ ଏକ ନୋଟ୍ ଲେଖିଛନ୍ତି ।
“ଏହି ସମୟ ମଧ୍ୟରେ ସେମାନେ ଆମକୁ ନିରାପଦରେ ରଖିବା ପାଇଁ କରିଥିବା ଅସଂଖ୍ୟ ଉପାୟ ପାଇଁ” ଅମ୍ବାନୀ ପରିବାରକୁ ଧନ୍ୟବାଦ ଜଣେଇଛନ୍ତି ନୀତୁ । ଇନଷ୍ଟାଗ୍ରାମରେ ଋଷିଙ୍କ ସହ ନିଜର ଓ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଏକ ଫଟୋ ସେୟାର କରି ନୀତୁ ଲେଖିଛନ୍ତି, “ଆମ ପରିବାର ପାଇଁ ଗତ ଦୁଇ ବର୍ଷ ଏକ ଦୀର୍ଘ ଯାତ୍ରା ଥିଲା । କେତେକ ଭଲ ଦିନ ଥିଲା, କେତେକ ଖରାପ ଦିନ ମଧ୍ୟ ଥିଲା... ଏହା ଉଚ୍ଚ ଭାବନାରେ ପରିପୂର୍ଣ୍ଣ ଥିଲା । କିନ୍ତୁ ଏହି ଯାତ୍ରା ଯାହା ଆମେ ଅମ୍ବାନୀ ପରିବାରର ଅସୀମ ପ୍ରେମ ଓ ସମର୍ଥନ ବିନା ପୂରା କରିପାରି ନ ଥାନ୍ତୁ ।’’
ନୀତୁ ଆହୁରି ମଧ୍ୟ ଲେଖିଛନ୍ତି, “ଆମେ ଗତ କିଛି ଦିନ ମଧ୍ୟରେ ଆମର ଚିନ୍ତାଧାରାକୁ ଏକତ୍ର କରିଛୁ ଓ ଏହି ସମୟ ମଧ୍ୟରେ ଆମକୁ ନିରାପଦରେ ରଖିବାରେ ଅସଂଖ୍ୟ ଉପାୟରେ ସାହାଯ୍ୟ କରିଥିବା ପରିବାର ପ୍ରତି ଆମେ କୃତଜ୍ଞତା ଜଣାଇବାକୁ ଶବ୍ଦ ଖୋଜି ପାଇଛୁ । ଗତ ସାତ ମାସ ମଧ୍ୟରେ ଏହି ପରିବାରର (ଅମ୍ବାନୀ ପରିବାରର) ପ୍ରତ୍ୟେକ ସଦସ୍ୟ ଆମର ପ୍ରିୟ ଋଷିଙ୍କ ଯତ୍ନ ନେବା ପାଇଁ ଓ ସେ ଯଥାସମ୍ଭବ କମ୍ ଅସୁବିଧା ଅନୁଭବ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଛନ୍ତି । ତାଙ୍କୁ ମେଡିକାଲ୍ ସୁବିଧା ପହଞ୍ଚେଇବା ଠାରୁ ଆରମ୍ଭ କରି ବାରମ୍ବାର ଡାକ୍ତରଖାନାକୁ ବ୍ୟକ୍ତିଗତ ପରିଦର୍ଶନ କରିବା, ତାଙ୍କୁ ବହୁତ ପ୍ରେମ ଓ ଧ୍ୟାନ ଦେବା ଓ ଏପରିକି ଆମକୁ ଡର ଲାଗୁଥିବା ସମୟରେ ଆମ ହାତ ଧରିବା ଓ ସାନ୍ତ୍ୱନା ଦେବା ପର୍ଯ୍ୟନ୍ତ ସେମାନେ ସବୁ କରିଛନ୍ତି ।’’

ନୀତୁ କପୁର ଇନଷ୍ଟାଗ୍ରାମରେ ଶେୟାର୍ କରିଥିବା ପୋଷ୍ଟ
ଅମ୍ବାନୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନାମ ଲେଖି ନୀତୁ କହିଛନ୍ତି, “ଆପଣ ଏହି ଦୀର୍ଘ ଓ କଷ୍ଟପ୍ରଦ ସମୟରେ ଆମର ଅଭିଭାବକ ଦୂତ (guardian angeld) ହୋଇଛନ୍ତି । ଆମେ ଆପଣଙ୍କ ପାଇଁ ଯାହା ଅନୁଭବ କରୁଛୁ ତାହା ମାପ କରାଯାଇପାରିବ ନାହିଁ । ଆପଣଙ୍କର ନିଃସ୍ୱାର୍ଥ, ନିରନ୍ତର ସମର୍ଥନ ଓ ଧ୍ୟାନ ପାଇଁ ଆମେ ହୃଦୟର ଅନ୍ତରରୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ । ଆପଣଙ୍କୁ ନିଜର ନିକଟତମ ଓ ପ୍ରିୟତମଙ୍କ ମଧ୍ୟରେ ଗଣି ଆମେ ପ୍ରକୃତରେ ଆଶୀର୍ବାଦ ପାଇଥିବା ଅନୁଭବ କରୁଛଉ । ଆନ୍ତରିକତାର ସହ ଓ ଅତ୍ୟଧିକ କୃତଜ୍ଞତା ସହ, ନୀତୁ, ରିଦ୍ଧିମା, ରଣବୀର ଓ ସମଗ୍ର କପୁର ପରିବାର ।”
ଏହାର ଗୋଟିଏ ଦିନ ପୂର୍ବରୁ ନୀତୁ ଏକ ନୋଟ୍ ସେୟାର କରି ସେହି ଡାକ୍ତରଖାନାର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଯେଉଁଠି ଋଷି କପୁର୍ ଗୁରୁବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଋଷି କପୁର୍ ମୃତ୍ୟୁ ଶଯ୍ୟାରେ ସଙ୍ଘର୍ଷ କରୁଥିବା ଦେଖାଇ ଆସିଥିବା ଏକ ଭିଡିଓ କ୍ଲିପ୍ ତାଙ୍କ ପ୍ରଶଂସକ ଏବଂ ବନ୍ଧୁମାନଙ୍କ ଦ୍ୱାରା ତୀବ୍ରଭାବେ ସମାଲୋଚିତ ହେବାର କିଛି ଦିନ ପରେ ନୀତୁଙ୍କ ଏହି ନୋଟ୍ ଆସିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।