କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କ ସହ ନବୀନ ଓ ଧର୍ମେନ୍ଦ୍ର ବି ତାଳି ମାରିଲେ, ଘଣ୍ଟା ବଜେଇଲେ

କରୋନା ବିରୋଧରେ ଜନତା କର୍ଫ୍ୟୁର ବ୍ୟାପକ ସଫଳତା ପରେ ଦେଶବାସୀଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଦେଇଥିଲେ । କରୋନା ବିପକ୍ଷରେ ଲଢ଼େଇରେ ପ୍ରତ୍ୟେକ ବ୍ୟକ୍ତି ସାମିଲ ହୋଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ ।

ନବୀନ ପଟ୍ଟନାୟକ ଘଣ୍ଟା ବଜେଇ ଜନତା କର୍ଫ୍ୟୁ ପାଳନ କରୁଛନ୍ତି ।

ନବୀନ ପଟ୍ଟନାୟକ ଘଣ୍ଟା ବଜେଇ ଜନତା କର୍ଫ୍ୟୁ ପାଳନ କରୁଛନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: ସାରା ଦେଶ ସମେତ ରାଜ୍ୟରେ ଜନତା କର୍ଫ୍ୟୁର ଅଭୂତପୂର୍ବ ସଫଳତା ଦେଖିବାକୁ ମିଳିଥିଲା । ଦେଶବ୍ୟାପୀ ହୋଇଥିବା ଏହି ଅଭିଯାନକୁ ସ୍ବତଃପ୍ରବତ୍ତ ଭାବେ ରାଜ୍ୟବାସୀ ସମର୍ଥନ କରିଥିଲେ । ବିପତ୍ତିର ମୁକାବିଲା ଲାଗି ରାଜ୍ୟବାସୀ ଏକ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜେ ମଧ୍ୟ ଥାଳି ଓ ତାଳି ବଜାଇ ସମର୍ଥନ ଜଣାଇଥିଲେ ଏହି କର୍ଫ୍ୟୁକୁ । କରୋନା ପ୍ରତିରୋଧ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଥିଲେ ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପରିବାର ସଦସ୍ୟଙ୍କ ସହ ଘଣ୍ଟି ବଜାଇ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇବା ସହ କାର୍ଯ୍ୟରତ କର୍ମଚାରୀଙ୍କୁ ବି ଧନ୍ୟବାଦ ଜଣାଇଥିଲେ । ବିଶେଷ କରି କରୋନା ପ୍ରତିରୋଧ ନେଇ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ୟମରେ ସାରା ଦେଶବାସୀ ଏକାଠି ହୋଇଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ଏହି ଆହ୍ବାନକୁ ରାଜ୍ୟବାସୀ ପାଳନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।

ସେହି ପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ବର ନୀଳଗିରିର ନିଜ ଗାଁରେ କରୋନା ବିରୋଧରେ ବଜାଇଥିଲେ ଘଣ୍ଟି । ଜରୁରୀକାଳୀନ ସେବାରେ କାମ କରୁଥିବା ଲୋକମାନଙ୍କ ଉତ୍ସାହ ବଢ଼ାଇବା ଲାଗି ସେ ଘଣ୍ଟ ଘଣ୍ଟା ବଜାଉଛନ୍ତି ବୋଲି କହିଥିଲେ । ଷଡ଼ଙ୍ଗୀଙ୍କ ସହ ସାମିଲ ହୋଇଥିଲେ ସ୍ଥାନୀୟ ଅଞ୍ଚଳର ଲୋକେ, ଛୋଟ ପିଲା ଓ ଛାତ୍ରଛାତ୍ରୀ । ମହିଳାମାନେ ମଧ୍ୟ ଏହି ଅବସରରେ ଶଙ୍ଖ ଫୁଙ୍କିଥିଲେ । ସେ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହ କରୋନା ବିରୋଧରେ ଦେଶବାସୀ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ନିଜ ପରିବାର ସହ ଘଣ୍ଚି ବଜାଉଛନ୍ତି ।


ସାରା ଦେଶବାସୀଙ୍କ ବାର୍ତ୍ତା ସହ ସମାନ ବାର୍ତ୍ତା ଦେଇଥିଲେ ରାଜ୍ୟର ବରିଷ୍ଠ ବ୍ୟୁରୋକ୍ରାଟମାନେ । ଲୋକ ସେବା ଭବନରେ ଜନତା କର୍ଫ୍ୟୁ ଲାଗି ଏକାଠି ହୋଇଥିଲେ ସମସ୍ତେ । ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଥିବା ଦିନିକିଆ ଜନତା କର୍ଫ୍ୟୁର ସଫଳତା ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଥିଲେ ସେମାନେ । ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭି.କେ. ପାଣ୍ଡିଆନ, ଇଆସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ,  ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଓ ଏନଏଚଏମର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ତାଳିମାରି କୃତଜ୍ଞତା ଜଣାଇଥିଲେ ।

କରୋନା ବିରୋଧରେ ଜନତା କର୍ଫ୍ୟୁର ବ୍ୟାପକ ସଫଳତା ପରେ ଦେଶବାସୀଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଦେଇଥିଲେ । କରୋନା ବିପକ୍ଷରେ ଲଢ଼େଇରେ ପ୍ରତ୍ୟେକ ବ୍ୟକ୍ତି ସାମିଲ ହୋଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ‘‘ଏହି ଧନ୍ୟବାଦର ନାଦ ଲଢ଼େଇରେ ବିଜୟର ଆଦ୍ୟ ନାଦ ଭଳି । ଲୋକେ ସଂକଳ୍ପ ଓ ସଂଯମର ସହ ସାମାଜିକ ଦୂରତ୍ବ ଅବଲମ୍ବନ କରନ୍ତୁ,’’ ଏକ ଟ୍ବିଟ୍‌ ଜରିଆରେ ମୋଦି କହିଥିଲେ ।

ରାଜ୍ୟର ବରିଷ୍ଠ ବ୍ୟୁରୋକ୍ରାଟମାନେ ଜନତା କର୍ଫ୍ୟୁ ପାଳନ କରୁଛନ୍ତି ।


ଭୁବନେଶ୍ୱର ପରି ବ୍ରହ୍ମପୁରରେ ସଂଧ୍ୟା ୫ଟା ବେଳେ ଲୋକେ ଘରୁ ବାହାରି ଥାଳି, ତାଳି, ଘଣ୍ଟା ବଜାଇଥିଲେ । ଘଣ୍ଟା ବଜାଇବା ପରେ ପୁଣି ଘର ଭିତରକୁ ପଳାଇଯାଇଥିଲେ ଲୋକେ । ସଂଧ୍ୟା ୫ଟା ହେବା କ୍ଷଣି ଗଜପତି ଜିଲ୍ଲା ପ୍ରକମ୍ପତି ହୋଇଥିଲା ଘଣ୍ଟ, ଘଣ୍ଟା, ଥାଳି ଓ ତାଳି ଶବ୍ଦରେ । ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ପ୍ରତ୍ୟେକ ସାହି ଓ ଗଳିରେ ପିଲା ଠାରୁ ବୁଢା ସମସ୍ତ ଏକା ସମୟରେ ନିଜ ଘର ବାହାରେ କିମ୍ବା ଛାତ ଉପରେ ଛିଡ଼ା ହୋଇ ତାଳି ଏବଂ ଘଣ୍ଟ ବଜାଇଥିଲେ । କିଛି ସ୍ଥାନରେ ଶଙ୍ଖ ନାଦ ମଧ୍ୟ ହୋଇଥିଲା  । ପାରଳାଖେମୁଣ୍ଡି ସହରର ରାଜଦାଣ୍ଡରେ ଲୋକଙ୍କ ସହ ସାମିଲ ହୋଇଥିଲେ ଜିଲ୍ଲାପାଳ ଅନୁପମ ସାହା ଏବଂ ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ । ଏସ୍‌ପି ସାରା ଶର୍ମା ଆଦର୍ଶ ଥାନା ପିରସରରେ ନିଜ ସହକର୍ମୀଙ୍କ ସହ ତାଳି ମାରିଥିଲେ ।
Published by:Anand Shankar Thankur Das
First published: