ରାଜ୍ୟରେ କୋଭିଡ୍ ଶଯ୍ୟା ସଂଖ୍ୟା ବଢ଼େଇବାକୁ ଅଧିକାରୀମାନଙ୍କୁ କହିଲେ ମୁଖ୍ୟ ମନ୍ତ୍ରୀ

ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତେବାସୀଙ୍କୁ କୋଭିଡ ସମ୍ପର୍କିତ ତାଲିମ ଦିଆଯିବ । ସେମାନେ ସେଠାରୁ ଫେରିବା ପରେ କୋଭିଡ ସ୍ବେଚ୍ଛାସେବୀ ଭାବେ ସେବା ଯୋଗାଇବେ । ଏଥି ପାଇଁ ଏକ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ ହେବ ।

ରାଜ୍ୟରେ କୋଭିଡ୍ ଶଯ୍ୟା ସଂଖ୍ୟା ବଢ଼େଇବାକୁ ଅଧିକାରୀମାନଙ୍କୁ କହିଲେ ମୁଖ୍ୟ ମନ୍ତ୍ରୀ
ପ୍ରଧାନ ମନ୍ତ୍ରୀଙ୍କ ସହ ବୈଠକରେ ନିଜ ପାଞ୍ଚଟି ପ୍ରସ୍ତାବ ପଢ଼ି ଶୁଣାଉଛନ୍ତି ନବୀନ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ କୋଭିଡ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ସପ୍ତାହେ ମଧ୍ୟରେ ଗଞ୍ଜାମ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ବଲାଙ୍ଗୀର ଆଦି ଜିଲ୍ଲାରେ କୋଭିଡ କେୟାର ସେଣ୍ଟରରେ ଶଯ୍ୟା ବୃଦ୍ଧି ଉପରେ ମୁଖ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ରାଜ୍ୟର କରୋନା ମୁକାବିଲା ସ୍ଥିତି ନେଇ ଆଲୋଚନା କରି ସଙ୍ଗରୋଧ କେନ୍ଦ୍ରର ଉପଯୁକ୍ତ ପରିଚାଳନା ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ବି ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟ ମନ୍ତ୍ରୀ ।

ରାଜ୍ୟରେ କୋଭିଡ଼ ମୁକାବିଲା ନେଇ ମଙ୍ଗଳବାର ହୋଇଥିବା ଏହି ସମୀକ୍ଷା ବୈଠକରେ ଲୋକଙ୍କ ଜୀବନ ଓ ଜୀବିକା ସୁରକ୍ଷିତ କରିବା ସହ ଓ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ଉପରେ ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ବର୍ତ୍ତମାନ ସମୟରେ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରି ବିଭିନ୍ନ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି । ସଙ୍ଗରୋଧ କେନ୍ଦ୍ରର ଉପଯୁକ୍ତ ପରିଚାଳନା କରିବା ଓ ଲୋକମାନଙ୍କୁ ରୋଜଗାର ଯୋଗାଇଦେବା  ସହ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଭଦ୍ରକ ରେଳ ଷ୍ଟେସନରେ ପ୍ରବାସୀମାନେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି ।


ମନରେଗା ଓ ମିଶନ ଶକ୍ତି କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ପଟ୍ଟନାୟକ । ବିଭିନ୍ନ ବିଭାଗଗୁଡ଼ିକ ଯେପରି ଅଧିକରୁ ଅଧିକ କାର୍ଯ୍ୟ ଯୋଗାଇ ଦେଇପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ  ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଥଲେ ମୁଖ୍ୟ ମନ୍ତ୍ରୀ ।

ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଅଧିକ ପିପିଇ ସହିତ ଅନ୍ୟ ମେଡିକାଲ ଉପକରଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦେବା ସହ ଭିନ୍ନକ୍ଷମ, ଗର୍ଭବତୀ ମହିଳା, ପ୍ରସୁତି ଓ ଶୁଶୁଙ୍କ ପ୍ରତି ଅଧିକ ଦୃଷ୍ଟି ଦେବାକୁ ମୁଖ୍ୟ ମନ୍ତ୍ରୀ କହିଥିଲେ ।

କୃଷି ଅର୍ଥନୀତିକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖୁବ ଶୀଘ୍ର ତିନିଟି ଅର୍ଡିନାନ୍ସ ଆଣିବେ ବୋଲି ସେ କହିଥିଲେ ।

କୃଷି କାର୍ଯ୍ୟକୁ ନେଇ ମୁଖ୍ୟ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଶ୍ରମଭିତ୍ତିକ କାର୍ଯ୍ୟକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ ବିଭାଗ, ପୂର୍ତ୍ତ, ଜଙ୍ଗଲ ଓ ପରିବେଶ ବିଭାଗକୁ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିବା କୁହାଯାଇଛି ।

ଭୁବନେଶ୍ୱରରେ ଟ୍ରାଞ୍ଜିଟ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।


ଏହି ଆଲୋଚନା ସମୟରେ ମୁଖ୍ୟ ମନ୍ତ୍ରୀ କହିଥିଲେ ଯେ ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତେବାସୀଙ୍କୁ କୋଭିଡ ସମ୍ପର୍କିତ ଉପଯୁକ୍ତ ତାଲିମ ଦେବାର ଆବଶ୍ୟକତା ରହିଛି । ସେମାନେ ସେଠାରୁ ଫେରିବା ପରେ କୋଭିଡ ସ୍ବେଛାସେବୀ ଭାବେ ସେବା ଯୋଗାଇ ପାରିବେ । ଏଥି ପାଇଁ ଏକ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ମନ୍ତ୍ରୀ ।

‘‘କୋଭିଡ ଏକ ଲମ୍ବା ଯୁଦ୍ଧ । ତେଣୁ ବର୍ତ୍ତମାନ ସମୟରେ କୋଭିଡ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି । ତେଣୁ ମାନବିକତା ଓ ବୃତ୍ତିଗତ ଦକ୍ଷତା ସହ କଠିନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ,’’ କହିଥିଲେ ମୁଖ୍ୟ ମନ୍ତ୍ରୀ ।

ଏହି ବୈଠକରେ ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଥିଲେ ଯେ କୋଭିଡ ପରିଚାଳନାରେ ସ୍ଵୟଂସହାୟିକା ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ମହିଳା ମାନେ ୫୦ ଲକ୍ଷ ମାସ୍କ ପସ୍ତୁତ କରିଥିବା ବେଳେ ସେଥ୍ରୁ ୪୭ ଲକ୍ଷ ବଣ୍ଟନ କରାଯାଇଛି । ମାଗଣା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ପ୍ରାୟ ୧ କୋଟି ୬୦ ଲକ୍ଷ ମିଲ୍‌ ଯୋଗାଇ ଦିଆଯାଇଛି । ସ୍ଵୟ୍ଂସହାୟକ ଗୋଷ୍ଠୀମାନଙ୍କୁ ବିନା ସୁଧରେ ୩୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଥିବା ସେ କହିଥିଲେ ।

ଏହା ବି ପଢ଼ନ୍ତୁ: ପ୍ରବାସୀ ସଙ୍କଟ: ‘‘ସରକାର ଅହମିକା ଛାଡ଼ନ୍ତୁ; ସତ୍ୟକୁ ଲୁଚେଇବାକୁ ଚେଷ୍ଟା କରନ୍ତୁ ନାହିଁ’’

ଏହା ବି ପଢ଼ନ୍ତୁ: ଚାକିରୀ କରୁଥିବା ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ
First published: May 13, 2020, 10:42 PM IST
corona virus btn
corona virus btn
Loading