News18 Odia Digital
ଭୁବନେଶ୍ବର: ରାଜ୍ୟରେ କୋଭିଡ ଚିକିତ୍ସାକୁ ସୁଦୃଢ଼ ଓ ସଫଳ କରିବା ପାଇଁ ପ୍ଳାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ ମାନଙ୍କୁ ଗୁରୁତ୍ବପୂର୍ଣ ଦାୟିତ୍ବ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ପାଇଁ ପୁରା ସରକାରୀ କଳ ଏକାଠି ହୋଇଥିବା ବେଳେ ଏହି ପ୍ରକ୍ରିୟାରେ ମନ୍ତ୍ରୀମାନଙ୍କୁ ପ୍ରତ୍ୟକ୍ଷଭାବେ ଯୋଡ଼ା ଯାଇଛି । ଏଥି ପାଇଁ ବିଭିନ୍ନ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ଦିଆଯାଇଛି ।
ମନ୍ତ୍ରୀମାନେ ଏଣିକି ବିଭିନ୍ନ ଜିଲ୍ଲା ଗସ୍ତ କରି ଆରୋଗ୍ୟ ଲାଭ କରିଥିବା କୋଭିଡ଼ ରୋଗୀଙ୍କ ସହ ଯୋଗାଯୋଗ କରି ପ୍ଳାଜମା ଦାନ କରିବା ପାଇଁ ଉତ୍ସାହିତ କରିବେ ଓ ଆବଶ୍ୟକ ବ୍ୟବସ୍ଥା କରିବେ । ଏହି ପ୍ରକିୟାର ଅଗ୍ରଗତି ସମ୍ବନ୍ଧରେ ମୁଖ୍ୟ ମନ୍ତ୍ରୀ ନିୟମିତ ବ୍ୟବଧାନରେ ସମୀକ୍ଷା କରିବେ ।
ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଅନୁସାରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ ଜିଲ୍ଲାର ଦାୟିତ୍ବ ଦିଆଯାଇଥିବା ବେଳେ କନ୍ଧମାଳ ଓ ଗଞ୍ଜାମ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ଼, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡ଼ା, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା ଓ ବୌଦ୍ଧ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୟୁରଭଞ୍ଜ ଓ କଟକ, କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ନୟାଗଡ଼ ଓ ଖୋର୍ଦ୍ଧା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସୋନପୁର, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଓ ସମ୍ବଲପୁର, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଦାୟିତ୍ବ ଅର୍ପଣ କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକିନି ସାହୁଙ୍କୁ ଦେବଗଡ଼ ଓ ସୁନ୍ଦରଗଡ଼, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗଜପତି ଓ କୋରାପୁଟ, ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଢ଼େଙ୍କାନାଳ, ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ, ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଯାଜପୁର, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ବର, ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ କେଉଁଝର, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର ଓ ଜଗତସିଂପୁର, ହସ୍ତ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ରାୟଗଡ଼, ଓ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ମାଲକାନାଗିରି ଦାୟିତ୍ବ ଅର୍ପଣ କରାଯାଇଛି ।
‘‘କୋଭିଡ଼ ଚିକିତ୍ସାରେ ପ୍ଳାଜ୍ମା ଥେରାପି ଉତ୍ସାହଜନକ ସଫଳତା ଆଣିଛି । ଏହି ଚିକିତ୍ସା ବ୍ୟବସ୍ଥା ଦ୍ବାରା କଟକର ଜଣେ ୪୮ ବର୍ଷୀୟା ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଆଶା ସଞ୍ଚାର ସହ ଆତ୍ମ ବିଶ୍ବାସ ବି ବୃଦ୍ଧି ପାଇଛି,’’ ଏହି ଅବସରରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗତ ସପ୍ତାହରେ ଓଡ଼ିଶାରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିବା ବେଳେ ଏସସିବି ଓ ଆଇଜିଏଚରେ ପ୍ଳାଜମା ବ୍ୟାଙ୍କ ପ୍ରତିଷ୍ଠା ହେବା ସହ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରରେ ପ୍ଳାଜମା ଥେରାପି ଆରମ୍ଭ ହୋଇଛି । ଅନେକ ବ୍ୟକ୍ତି ନିଜ ଆଡ଼ୁ ପ୍ଳାଜମା ମଧ୍ୟ ଦାନ କରୁଛନ୍ତି ।
ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁକୋଭିଡ଼ରୁ ସୁସ୍ଥ ହେବାର ଚାରି ସପ୍ତାହ ପରେ ଜଣେ ବ୍ୟକ୍ତି ପ୍ଳାଜମା ଦାନ କରିପାରିବେ । ଜଣେ ବ୍ୟକ୍ତି ଚାହିଁଲେ ଏକାଧିକ ବାର ବି ପ୍ଳାଜମା ଦାନ କରିପାରିବେ । ଗୋଟିଏ ୟୁନଟ ରକ୍ତରେ ଦୁଇ ଜଣ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇ ପାରିବ । ତେଣୁ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରି ପ୍ଳାଜମା ଦାନ କରିବା ପାଇଁ ଉତ୍ସାହିତ କରିବା ସହ ଏଥି ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଆଜି ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ।
ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ ।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।