ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଡୋନାଲ୍ଡ ଟ୍ରମ୍ପଙ୍କ ସହ କରୋନା ମୁକାବିଲା ବିଷୟରେ ଫୋନରେ କଥା ହେଲେ PM ମୋଦି

ଡୋନାଲ୍ଡ ଟ୍ରମ୍ପଙ୍କ ସହ କରୋନା ମୁକାବିଲା ବିଷୟରେ ଫୋନରେ କଥା ହେଲେ PM ମୋଦି

ଏହା ପୂର୍ବରୁ ମୋଦି ଫୋନରେ ଇସ୍ରାଏଲର ପ୍ରଧାନ ମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଭାରତ ଆମେରିକା ଓ ଇସ୍ରାଏଲର ସହାୟତା ନେବ ।

ଡୋନାଲ୍ଡ ଟ୍ରମ୍ପଙ୍କ ସହ କରୋନା ମୁକାବିଲା ବିଷୟରେ ଫୋନରେ କଥା ହେଲେ PM ମୋଦି
ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରୋନା ଭାଇରସ ସଂକ୍ରମଣ ବିଷୟରେ ଆଲୋଚନା କରିଛନ୍ତି । କରୋନା ଭୂତାଣୁର ମୁକାବିଲା କରିବାରେ ଉଭୟ ଦେଶ ପରସ୍ପରକୁ ସାହାଯ୍ୟ କରିବା ବେଲି ସହମତ ହୋଇଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦି ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶନିବାର ଏକ ଟ୍ୱିଟ୍ କରି ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି: ‘‘ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ବିସ୍ତୃତ କଥାବାର୍ତ୍ତା କଲି । ଆମେ ଏକ ସକାରାତ୍ମକ ଆଲୋଚନା କଲୁ, ଆଉ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଭାରତ ଓ ଆମେରିକା ଭଉୟ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗେଇବେ ବୋଲି ସହମତ ହେଲୁ ।’’

ଏହା ପୂର୍ବରୁ ଶୁକ୍ରବାର ଦିନ ପ୍ରଧାନ ମନ୍ତ୍ରୀ ମୋଦି ଫୋନରେ ଇସ୍ରାଏଲର ପ୍ରଧାନ ମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଦୁଇ ନେତା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଔଷଧ ଯୋଗାଣରେ ଉନ୍ନତି ଆଣିବା ଓ ଉଚ୍ଚ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ଦ୍ୱିପାକ୍ଷିକ ସହଯୋଗ ବିଷୟରେ ପ୍ରଧାନ ମନ୍ତ୍ରୀ ମୋଦି ଓ ନେତାନ୍ୟାହୁ ଆଲୋଚନା କରିଥିଲେ । ଭାରତର ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଆଲୋଚନା ବିଷୟରେ ଏକ ବିବୃତ୍ତିରେ ସୂଚନା ଦେଇଥିଲା ।

ଭାରତରେ କରୋନା ଭାଇରସ୍ ସଙ୍କଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଦୁଇ ତିନି ଦିନ ମଧ୍ୟରେ କରୋନା ଭୂତାଣୁରେ ସଂକ୍ରମିତ ପଜିଟିଭ୍‌ ଲୋକଙ୍କ ସଂଖ୍ୟାରେ ଭୀଷଣ ବୃଦ୍ଧି ଦେଖିବାକୁ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ଡାଟା ଅନୁସାରେ ମୋଟ ୨,୯୦୨ ଲୋକ ଏ ପର୍ଯ୍ୟନ୍ତ ସଂକ୍ରମିତ ହୋଇଛନ୍ତି ଓ ୬୮ ଜଣଙ୍କ ପ୍ରାଣ ଯାଇଛି । ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଏପର୍ଯ୍ୟନ୍ତ ୧୮୪ ଜଣ ଲୋକ ଏହି ରୋଗରୁ ମୁକ୍ତି ପାଇଛନ୍ତି ।

ଆମେରିକାରେ ବର୍ତ୍ତମାନ ସୁଦ୍ଧା କୋଭିଡ-୧୯ରେ ୨,୭୮,୪୫୮ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭,୧୫୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୯,୭୭୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସାରା ବିଶ୍ୱରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଶନିବାର ଦିନ ୫୯,୪୫୬କୁ ବୃଦ୍ଧି ପାଇଛି । ସରକାରୀ ତଥ୍ୟକୁ ଆଧାର କରି ଏ.ଏଫ୍‌.ପି. ଦ୍ୱାରା ସଂଗୃହିତ ତଥ୍ୟ ଅନୁଯାୟୀ ଏହି ସୂଚନା ପ୍ରକାଶ ପାଇଛି ।
First published: April 4, 2020, 8:59 PM IST