ଅକ୍ଟୋବର ୪ ରବିବାର ଠାରୁ ଖୋଲିବ ନନ୍ଦନ କାନନ; ସରକାର ଜାରି କଲେ ଗାଇଡଲାଇନ୍

ବୋଟାନିକାଲ୍ ଗାର୍ଡେନ୍ ଭିତରେ କାହାରିକୁ ପିକନିକ୍ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି । ଛଅ ମାସ ହେଲା ପ୍ରାଣୀ ଉଦ୍ୟାନ ବନ୍ଦ ଥିବାରୁ ପାଖାପାଖି ଛଅ କୋଟି ଟଙ୍କାର କ୍ଷତି ହେଲାଣି ।

ଅକ୍ଟୋବର ୪ ରବିବାର ଠାରୁ ଖୋଲିବ ନନ୍ଦନ କାନନ; ସରକାର ଜାରି କଲେ ଗାଇଡଲାଇନ୍
ନନ୍ଦନ କାନନ ପ୍ରାଣୀ ଉଦ୍ୟାନର ମୁଖ୍ୟ ପ୍ରବେଶ ଦ୍ୱାର
  • News18 Odia
  • Last Updated: September 30, 2020, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଦୀର୍ଘ ଛଅ ମାସ ବନ୍ଦ ରହିବା ପରେ ଅକ୍ଟୋବର ୪ ତାରିଖ ରବିବାର ଠାରୁ ଖୋଲିବାକୁ ଯାଉଛି ନନ୍ଦନ କାନନ ପ୍ରାଣୀ ଉଦ୍ୟାନ । ଏହାର ପରିଚାଳନା ଉପରେ ରାଜ୍ୟ ସରକାର ଆଜି (ସେପ୍ଟେମ୍ବର ୩୦) ଗାଇଡଲାଇନ୍‌ ଜାରି କରିଛନ୍ତି । ଏ ନେଇ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ସୂଚନା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପର୍ଯ୍ୟଟକ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରାଯାଉଛି ।

ପ୍ରାଣୀ ଉଦ୍ୟାନ ଓ ହରିଣ ପାର୍କ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିବା ପରେ ବନ୍ୟ ଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁସାରେ ପ୍ରାଣୀ ଉଦ୍ୟାନ ଓ ହରିଣ ପାର୍କ ଭିତରକୁ ବିନା ମାସ୍କରେ କୌଣସି ପରିଦର୍ଶକ ପ୍ରବେଶ କରିପାରିବେ ନାହିଁ । ପରିଦର୍ଶକମାନଙ୍କୁ ଭିତରକୁ ଛାଡ଼ିବା ପାଇଁ ଇ-ଟିକେଟ ବ୍ୟବହାର ଉପରେ ପ୍ରାଧାନ୍ୟ ଦିଆଯିବ ।

ଥଣ୍ଡା, ଜ୍ୱର ଓ କାଶ ଥିବା କୌଣସି ପରିଦର୍ଶକମାନଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏଥି ପାଇଁ ପ୍ରାଣୀ ଉଦ୍ୟାନର ଗେଟରେ ସବୁ ପରିଦର୍ଶକଙ୍କ ଥର୍ମାଲ୍‌ ସ୍କ୍ରିନିଂ ହେବ ବୋଲି ସରକାରୀ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ବୃହତ ପ୍ରାଣୀ ଉଦ୍ୟାନ ଭିତରକୁ ଦୈନିକ ୧,୫୦୦ରୁ ଅଧିକ ପରିଦର୍ଶକଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ମଧ୍ୟମ ଧରଣର ଚିଡ଼ିଆଖାନା ଭିତରକୁ ୭୫୦ ପର୍ଯ୍ୟଟକ ଯାଇପାରିବେ ଓ ଡିୟର ପାର୍କକୁ ୩୦୦ ପର୍ଯ୍ୟଟକ ଯାଇପାରିବେ ବୋଲି କୁହାଯାଇଛି । ବୋଟାନିକାଲ୍ ଗାର୍ଡେନ୍‌ ଭିତରେ କାହାରିକୁ ପିକନିକ୍ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ଦୋକାନ ଛଅ ମାସ ବନ୍ଦ ରହିବା ଯୋଗୁଁ ଲୁହା ଟେବୁଲରେ ଲାଗିଥିବା କଳଙ୍କି ସଫା କରୁଛନ୍ତି ବ୍ୟବସାୟୀ ଗଜେନ୍ଦ୍ର ।


ବରିଷ୍ଠ ନାଗରିକ ଓ ଶିଶୁମାନଙ୍କୁ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିବାକୁ ନ ଆସିବାକୁ ସରକାର ପରାମର୍ଶ ଦେଇଛନ୍ତି । ସବୁ ପରିଦର୍ଶକଙ୍କୁ ପ୍ରାଣୀ ଉଦ୍ୟାନର ପ୍ରବେଶ ପଥରେ ଲଗାଯାଇଥିବା ଏକ ଔଷଧୀୟ ଫୁଟ୍ ମ୍ୟାଟ୍ ଉପରେ ପାଦ ଘସି ଓ ସେଠାରେ ସମ୍ପୂର୍ଣ୍ଣ ଶରୀରକୁ ସାନିଟାଇଜ୍‌ କରି ଭିତରକୁ ଯିବାକୁ କୁହାଯାଇଛି ।

ମାର୍ଚ୍ଚ ୨୨ ତାରିଖରୁ ବନ୍ଦ ରଖାଯାଇଥିବା ନନ୍ଦନ କାନନକୁ ପର୍ଯ୍ୟଟକମାନଙ୍କ ଆସିବା ଆଗରୁ ବନ୍ଦ ପଡ଼ିଥିବା ଦୋକାନକୁ ସଜାଡ଼ିବାରେ ଲାଗିପଡିଛନ୍ତି ବ୍ୟବସାୟୀମାନେ । ଛଅ ମାସ ହେଲା ହାତ ବାନ୍ଧି ବସିବା ପରେ ପୁଣି ଥରେ ରୋଜଗାର ଆଶାରେ ସେମାନେ ଉତ୍ସାହିତ ଲାଗୁଛନ୍ତି ।

ପ୍ରାଣୀ ଉଦ୍ୟାନକୁ ପ୍ରବେଶ କରିବା ପୂର୍ବରୁ ଏକ ଗାଡ଼ିକୁ ସାନିଟାଇଜ କରାଯାଉଛି ।


‘‘ପ୍ରାଣୀଉଦ୍ୟାନ ବନ୍ଦ ହୋଇଯିବା ସମୟରୁ ପର୍ଯ୍ୟଟକ ଆସୁ ନ ଥିଲେ । ତା’ ପରେ ଲକଡାଉନ ଓ ସଟଡାଉନ କଟକଣା ଲାଗୁ ହୋଇଥିଲା । ଆମ ବେପାର ବନ୍ଦ ହୋଇଗଲା । ଛଅ ମାସ ହେଲା ଦୋକାନ ବନ୍ଦ। ବ୍ୟବହାର ବିନା ଲୁହା ଟେବୁଲରେ କଳଙ୍କି ଲାଗିଗଲାଣି । ଅକ୍ଟୋବର ୪ ତାରିଖରେ ପ୍ରାଣୀ ଉଦ୍ୟାନ ଖୋଲିବ ବୋଲି ଜାଣି ଆମେ ଦୋକାନ ସଜାଡ଼ିବାରେ ଲାଗିପଡ଼ିଛୁ,’’ କହିଛନ୍ତି ବ୍ୟବସାୟୀ ଗଜେନ୍ଦ୍ର ବେହେରା ।

ଦୀର୍ଘ ୩୦ ବର୍ଷ ହେଲା ନନ୍ଦନ କାନନ ଆଗରେ ସ୍ନାକ୍ସ ଦୋକାନ କରିଥିବା ସୁଶାନ୍ତ କୁମାର ସାହୁଙ୍କ ପାଇଁ ସେହି ଦୋକାନ ହିଁ ରୋଜଗାରର ଏକ ମାତ୍ର ମାଧ୍ୟମ । ‘‘ଦିନକୁ ଦୁଇରୁ ତିନି ହଜାର ଟଙ୍କା ରୋଜଗାର ହୁଏ । ପର୍ଯ୍ୟଟକ ବଢ଼ିଲେ ବେପାର ବି ବଢ଼େ । କେବେ ନନ୍ଦନକାନନ ଖୋଲିବ ତାକୁ ଚାହିଁକି ରହିଥିଲୁ । ପର୍ଯ୍ୟଟକ ଆସିଲେ ରୋଜଗାର ହେବ ଓ ଆମ ପରିବାର ଚାଲିବ । ଦୋକାନ ବନ୍ଦ ରହି ଜିନିଷ ନଷ୍ଟ ହୋଇଗଲାଣି । ତେଣୁ ତାକୁ ସଜାଡିବା ଆରମ୍ଭ କରିଛୁ,’’ କହିଛନ୍ତି ସୁଶାନ୍ତ ।

ବଟାନିକାଲ ଗାର୍ଡେନର ପରିବେଶ ଖାଁ ଖାଁ ରହିଛି ।


‘‘ବର୍ତ୍ତମାନ ସ୍ଥିତିରେ ମଣିଷଙ୍କ ଠାରୁ ବନ୍ୟ ପ୍ରାଣୀଙ୍କୁ ଓ ବନ୍ୟ ପ୍ରାଣୀଙ୍କ ଠାରୁ ମଣିଷଙ୍କୁ ସଂକ୍ରମଣ ବ୍ୟାପିବାର ଭୟ ରହିଛି । ତେଣୁ ସେ ନେଇ ସଚେତନ ରହିବ ଜରୁରୀ । ତା’ ଛଡା ପର୍ଯ୍ୟଟକମାନେ ଯେଉଁ ଅଞ୍ଚଳରେ ବୁଲିବେ ତାହା ଓ ଟିକେଟ କାଉଣ୍ଟର ଆଦି ଅଞ୍ଚଳକୁ ନିୟମିତ ସାନିଟାଇଜ କରିବା ଜରୁରୀ,’’ କହିଛନ୍ତି ପୂର୍ବତନ ପିସିସିଏଫ ଲାଲ ଏ.କେ. ସିଂ ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେକଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲୁଥିବାରୁ ପଶୁପ୍ରେମୀମାନେ ଖୁବ୍‌ ଉତ୍ସାହିତ ହୋଇଛନ୍ତି । ‘‘ସାପ୍ତାହିକ ଛୁଟି ହେଉ ବା ମାସକୁ ଥରେ, ଯେମିତି ହେଲେ ନନ୍ଦନକାନନ ମୁଁ ଯାଏ । ପଶୁପକ୍ଷୀଙ୍କୁ ଦେଖିଲେ ବହୁତ ଆନ୍ଦନ ମିଳେ। ଯେତେ ଟେନସନ ଥିଲେ ବି ପ୍ରାଣୀ ଉଦ୍ୟାନ ଭିତରକୁ ଗଲେ ମନକୁ ଶାନ୍ତି ମିଳେ । ଏତେ ଦିନ ପରେ ଏହାକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ଜାଣି ଖୁସି ଲାଗୁଛି,’’ ବୋଲି କହିଛନ୍ତି ପଶୁପ୍ରେମୀ ହରେକୃଷ୍ଣ ବହିଦାର।



ନନ୍ଦନ କାନନକୁ ବାର୍ଷିକ ୩୦ରୁ ୩୨ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି ଓ ବାର୍ଷିକ ୧୫ରୁ ୧୬ କୋଟି ଟଙ୍କା ଆୟ ହୁଏ । କରୋନା ସଂକ୍ରମଣ କାରଣରୁ ଛଅ ମାସ ହେଲା ପ୍ରାଣୀ ଉଦ୍ୟାନ ବନ୍ଦ ଥିବାରୁ ପାଖାପାଖି ଛଅ କୋଟି ଟଙ୍କାର କ୍ଷତି ହେଲାଣି ବୋଲି କହିଛନ୍ତି ଜଣେ ଅଧିକାରୀ ।
Published by: Anand Shankar Thankur Das
First published: September 30, 2020, 11:52 PM IST
corona virus btn
corona virus btn
Loading